ପ୍ରତ୍ୟେକ ଗ୍ରାମରେ ପହଞ୍ଚିବ ସରକାରୀ ଯୋଜନା, କୋଟିପତି ହେବେ ଚାଷୀ

3

ଭଞ୍ଜନଗର ରୁ { ଉଦୟନାଥ ପଣ୍ଡା }: ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗ ପକ୍ଷରୁ ଓଡ଼ିଶା ସରକାରଙ୍କ ନିର୍ଦ୍ଦେଶ କ୍ରମେ ନଭେମ୍ବର ମାସ ମଙ୍ଗଳବାର ୧୮ ତାରିଖ ୨୦୨୫ ଦିବସରେ ଭଞ୍ଜନଗର ଜଳ ସମ୍ପଦ ବିଭାଗ ଡ଼ାକବଙ୍ଗଳା ପଡିଆରେ ବ୍ଲକ ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା ଅନୁଷ୍ଟିତ ହୋଇଯାଇଛି । ଏଥିରେ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମେଳାକୁ ଉଦଘାଟନ କରିଥିଲେ। ଏହି ଅବସରରେ ସେ କହିଥିଲେ,
ଆନ୍ଧ୍ରପ୍ରଦେଶ, ଗୁଜରାଟ ଚାଷୀ କୋଟିପତି। ଆମ ଚାଷୀଙ୍କୁ ମଧ୍ୟ କୋଟିପତି କରିବା ପାଇଁ ଯୋଜନା ଚାଲିଛି। ତେଣୁ ନୂଆ ନୂଆ ଯୋଜନା ସବୁ କାର୍ଯ୍ୟକାରୀ କରାଯାଉଛି। ସରକାରୀ ଯୋଜନା ଗାଁରେ ପହଞ୍ଚିବ। ବର୍ତ୍ତମାନ ଚାଷୀଙ୍କୁ ସର୍ବାଧିକ ୧ କୋଟି ଟଙ୍କା ପର୍ଯ୍ୟନ୍ତ ସବସିଡି ପ୍ରଦାନ କରାଯାଉଛି ।
ଆଗାମୀ ଦିନରେ ତାହାକୁ ୫ କୋଟି ପର୍ଯ୍ୟନ୍ତ ବଢ଼ାଇବା ଯୋଜନା ଅଛି ବୋଲି ମନ୍ତ୍ରୀ କହିଥିଲେ। ଏଥିସହ ସେ କହିଥିଲେ ଯେ କୃଷି କ୍ଷେତ୍ରରେ ମହିଳା ମାନଙ୍କୁ ଆଗକୁ ଆଣିବା ପାଇଁ ସେମାନଙ୍କୁ ପୁରୁଷ ଅପେକ୍ଷା ଅଧିକ ୧୦ ପ୍ରତିଶତ ଛାଡ ଦିଆଯାଉଛି। ଗାଈ ଚାଷୀଙ୍କୁ ୬୦ ଟଙ୍କା ବାନ୍ଧିଲେ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବିମା ପ୍ରଦାନ କରାଯାଉଛି। ଚାଷୀକୁଳ ହସିଲେ ରାଜ୍ୟ ଆଗକୁ ବଢ଼ିବ। ତେଣୁ ସେମାନଙ୍କ ବିକାଶ ପାଇଁ ସବୁ ପ୍ରକାର ପଦକ୍ଷେପ ନିଆଯାଇଛି। ପୂର୍ବରୁ ବିଜେଡି ଶାସନ ସମୟରେ ନେଳିଆ ଗାମୁଛା ବାଲା ସରକାରଙ୍କ ଯୋଜନା କୁ ଲୁଟି ନେଉଥିଲେ। ପୋଲିସ ମଧ୍ୟ ନେଳିଆ ଗାମୁଛା ବାଲା ହତ୍ୟାକାରୀଙ୍କୁ ଛାଡ଼ି ଦେଉଥିଲା। ବର୍ତ୍ତମାନ ଆଉ ସେହି ସୁବିଧା ନାହିଁ। ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନାରେ ୧୪୨୩ କୋଟି ଟଙ୍କା ଖର୍ଚ୍ଚ ହେଉଛି। ଇତିମଧ୍ୟରେ ଆଉ ୨୯୪ କୋଟି ଟଙ୍କା ଅନୁମୋଦନ ହୋଇଛି ଚାଷୀଙ୍କ ବିକାଶ ପାଇଁ ବୋଲି ମନ୍ତ୍ରୀ କହିଥିଲେ। ବିଜେଡି ୨୪ ବର୍ଷ ଶାସନ ସମୟରେ ଚାଷୀଙ୍କ ବିକାଶ କରିନଥିଲେ। ତେଣୁ ଏହି ଜିଲ୍ଲାରୁ ଅଧିକରୁ ଅଧିକ ଚାଷୀ ଦାଦନ ଖଟିବାକୁ ଚାଲି ଯାଉଥିଲେ। ପୂର୍ବରୁ ଛାୟା ମୁଖ୍ୟମନ୍ତ୍ରୀ ଶାସନ ଚଳାଉଥିଲେ। ବର୍ତ୍ତମାନ ଲୋକଙ୍କ ମୁଖ୍ୟମନ୍ତ୍ରୀ ହେଉଛନ୍ତି ମୋହନ ମାଝୀ। ପୂର୍ବ ସରକାର ମିଥ୍ୟା ଯୋଜନା କରି ଅର୍ଥ ହରିଲୁଟ କରୁଥିଲେ। ଚାଷୀ, ମହିଳା, ଯୁବକଙ୍କ ବିକାଶ କରିନାହାନ୍ତି ବୋଲି ମନ୍ତ୍ରୀ ଅଭିଯୋଗ କରିଥିଲେ। ଏଥିରେ ବିଭିନ୍ନ ଗ୍ରାମରୁ ଆସିଥିବା ଭିନ୍ନ ଭିନ୍ନ ଚାଷୀ ମାନେ ନିଜ ନିଜ ନାମକୁ ପଞ୍ଜିକରଣ କରିଥିଲେ। ଏଠାରେ ମଧ୍ୟ ମତ୍ସ୍ୟ ଓ ପଶୁ ସମ୍ବଦ୍ଧିୟ ବିଭିନ୍ନ ଷ୍ଟଲ୍ ଖୋଲାଯାଇଥିଲା, ସେଥିରେ ବିଭିନ୍ନ ପ୍ରକାର ଉନ୍ନତ ମାନର ଯନ୍ତ୍ରାଂଶ,ସାର ଓ ବିଭିନ୍ନ ମାର୍ଗଦର୍ଶିତା ସ୍ଥାନିତ ହୋଇଥିଲା। ଯାହାଫଳରେ ଏହାକୁ ଦେଖି ବୁଝି ଚାଷୀମାନେ ଉପକୃତ ହୋଇପାରିବେ। ତତ୍ ସହିତ ସଭାରେ ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ ସମ୍ମାନୀତ ଅତିଥି ଭାବେ ଯୋଗଦେଇ ଭଞ୍ଜନଗର ବ୍ଲକର କୃଷକମାନଙ୍କ ଉନ୍ନତି ପାଇଁ ସରକାର ସବୁ ପ୍ରକାର ସହାୟତା ଯୋଗାଇ ଦେବେ ବୋଲି କହିଥିଲେ। ଖରିଫ ଓ ରବି ଫସଲ ପାଇଁ ଅଧିକରୁ ଅଧିକ ଅଞ୍ଚଳକୁ ଜଳସେଚନ ବ୍ୟବସ୍ଥା ହେବ ବୋଲି ବିଧାୟକ କହିଥିଲେ। ଉପ ଜିଲ୍ଲାପାଳ ଉମା ଶଙ୍କର ବେହେରା, ବିଡ଼ିଓ ଭାରତୀ ଦେବୀ, ଏନ୍. ଏ .ସି ଅଧକ୍ଷ ଗୋପବନ୍ଧୁ ମହାପାତ୍ର, ଭାଜପା ଭଞ୍ଜନଗର ସାଂଗଠନିକ ଜିଲା ସଭାପତି ନୀଳ ମାଧବ ପାତ୍ର, ଏମ୍ .ପି ପ୍ରତିନିଧି ସନ୍ତୋଷ ତିଆଡି, ରବିନ୍ଦ୍ର ଗୌଡ ପ୍ରମୁଖ ଏହି ଅବସରରେ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମକୁ ପରିଚାଳନା କରିବାରେ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗର ଅଧିକାରୀମାନେ ସହଯୋଗ କରିଥିଲେ। ସଭା ପୁର୍ବରୁ ମନ୍ତ୍ରୀ ବିଭିନ୍ନ ବିଭାଗ ପକ୍ଷରୁ ହୋଇଥିବା ଷ୍ଟଲ ବୁଲି ଦେଖିଥିଲେ। ଏଥିସହ କିଛି ସଫଳ ଉଦ୍ୟୋଗି ଚାଷୀଙ୍କୁ ସବସିଡି ଅର୍ଥ ପ୍ରଦାନ କରାଯାଇଥିଲା।

Leave A Reply

Your email address will not be published.