ସଇଁତଳାରେ ଜାତୀୟ ପ୍ରେସ ଦିବସ ପାଳନ

4

ବଲାଙ୍ଗିର, ଘନଶ୍ୟାମ ନାଗ (ବିଶେଷ ପ୍ରତିନିଧି):- ବଲାଙ୍ଗିର ଜିଲ୍ଲାର ସଇଁତଳା ସ୍ଥିତ ପୁରୁଣା ଏମ.ଇ. ସ୍କୁଲ ପରିସରରେ ସ୍ଥାନୀୟ କାର୍ଯ୍ୟରତ ସାମ୍ବାଦିକ ସଂଘର ଆୟୋଜନରେ ଜାତୀୟ ପ୍ରେସ ଦିବସ ଉତ୍ସବମୟ ପରିବେଶରେ ପାଳିତ ହେଲା। ସଂଘ ସଭାପତି ନାରାୟଣ ସାହୁଙ୍କ ସଭାପତିତ୍ୱରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ପ୍ରଥମେ ଅତିଥିମାନେ ବିବେକାନନ୍ଦଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରି ଓ ଦୀପ ପ୍ରଜ୍ଜ୍ୱଳନ କରି ଉଦଘାଟନ କରିଥିଲେ।
ମୁଖ୍ୟ ଅତିଥି ଭାବରେ ଯୋଗଦେଇ ସଇଁତଳା ବିଡ଼ିଓ ପୁରୁଷୋତ୍ତମ ମିର୍ଦ୍ଧା କହିଥିଲେ, “ଗଣମାଧ୍ୟମ ହେଉଛି ଗଣତନ୍ତ୍ରର ସୁରକ୍ଷା କବଚ ଓ ସାମ୍ବାଦିକମାନେ ଗଣତନ୍ତ୍ରର ଜାଗ୍ରତ ପ୍ରହରୀ। ସୁସ୍ଥ ସମାଜ ଗଠନରେ ସାମ୍ବାଦିକମାନଙ୍କ ଭୂମିକା ଅପରିହାର୍ଯ୍ୟ।”
ସମ୍ମାନିତ ଅତିଥି ଭାବରେ ଓଡିଶା ସାମ୍ବାଦିକ ସଂଘର ରାଜ୍ୟ ସାମ୍ବାଦିକ ପ୍ରମୋଦ କୁମାର ସେଲମା, ସ୍ଥାନୀୟ ସରପଞ୍ଚ ସୁବ୍ରତ ନାଗ ଓ ମୁଖ୍ୟ ବକ୍ତା ଭାବେ ସଇଁତଳା ବ୍ଲକ ଉପାଧ୍ୟକ୍ଷ ଗୁଣସାଗର ମାଝୀ ଯୋଗଦାନ କରିଥିଲେ। ଗୁଣସାଗର ମାଝୀ ତାଙ୍କ ଉଦ୍ବୋଧନରେ କହିଥିଲେ ଯେ, “ଗଣତନ୍ତ୍ରର ସଫଳତା ଚାରୋଟି ସ୍ତମ୍ଭରେ ନିର୍ଭର କରେ। ନିର୍ଭିକ ସମ୍ବାଦ ପରିବେଷଣ ଶାସନ ବ୍ୟବସ୍ଥାକୁ ମାର୍ଜିତ କରେ ଓ ସ୍ୱେଚ୍ଛାଚାରୀ ଶାସକଙ୍କୁ ସତପଥରେ ଆଣିବାରେ ସାହାଯ୍ୟ କରେ।”
କାର୍ଯ୍ୟକ୍ରମରେ ସଂଘ ସମ୍ପାଦକ ସୁଶାନ୍ତ ମେହେର ପ୍ରାରମ୍ଭିକ ସୂଚନା ଦେଇଥିଲେ, ଯେତେବେଳେ ସାମ୍ବାଦିକ ଚନ୍ଦ୍ରଭାନୁ ପ୍ରଧାନ ଧନ୍ୟବାଦ ଜଣାଇ କାର୍ଯ୍ୟକ୍ରମର ଶେଷ କରିଥିଲେ। ଏହି ଅବସରରେ ଯୁବ ସାମ୍ବାଦିକ ରଞ୍ଜନ ବାଗ, ଲକ୍ଷ୍ମୀକାନ୍ତ ସାହୁ ଓ ପେପର ବିତରକ ଅନି ରାଓଙ୍କୁ ସାମ୍ବାଦିକ ସଂଘ ପକ୍ଷରୁ ସମ୍ମାନିତ କରାଯାଇଥିଲା।

Leave A Reply

Your email address will not be published.