କୁରାଳ ଗ୍ରାମରେ ବିଦ୍ୟୁତ୍ ଆଘାତରେ ଜଣେ ମୃତ

4

ଓଡ଼ଗାଁ,୧୦।୧୧(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନା କୁରାଳ ଗ୍ରାମର କାଳୁ ଚରଣ ଚୌଧୁରୀ(୫୫)ଙ୍କ ସୋମବାର ସକାଳେ ବିଦ୍ୟୁତ୍ ଆଘାତରେ ମୃତ୍ୟୁ ଘଟିଥିବା ନେଇ ଝିଅ ଜ୍ୟୋତ୍ସ୍ନାମୟୀ ଚୌଧୁରୀ ଓଡ଼ଗାଁ ଥାନାରେ ଅଭିଯୋଗ କରିଛନ୍ତି । ଅଭିଯୋଗ ପାଇ ଓଡ଼ଗାଁ ପୋଲିସ ୪୦/୨୦୨୫ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ଜବତ କରିଥିଲେ । ଏବଂ ଓଡ଼ଗାଁ ଡାକ୍ତରଖାନାରେ କାଳୁଙ୍କ ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା । ସୂଚନା ଅନୁସାରେ ସୋମବାର ଦିନ ପ୍ରାୟ ୧୧ଟା ବେଳେ ଜଣେ ଅର୍ଦ୍ଧ କପାଳି ରୋଗୀ ଆସି ଔଷଧ ନେବା ନିମନ୍ତେ କାଳୁ ଚୌଧୁରୀଙ୍କ ଘରେ ଡାକିଥିଲେ । କେହି ନ ଶୁଣିବାରୁ ଫେରିଯାଇ ପୁଣି ଘଣ୍ଟାଏ ପରେ ଆସି ଡାକିଥିଲେ । ତେବେ ଘର ମଧ୍ୟରୁ କୌଣସି ଉତ୍ତର ନମିଳିବାରୁ ନିକଟରେ ଥିବା ପିଲାଙ୍କୁ ଡାକିବାକୁ କହିଥିଲେ । ହେଲେ କେହି ନ ଶୁଣିବାରୁ ଝରକା କବାଟ ଠେଲି ଖୋଲିବାରୁ କାଳୁ ତଳ ପଡ଼ିଥିବା ଦେଖିବାକୁ ମିଳିବା ପରେ ପଛପଟୁ ସେମାନେ ଘରେ ପଶିଥିଲେ । ଏବଂ ଯାହା ଦେଖିଲେ ସେଥିରେ ସେମାନେ ଆଶ୍ଚର୍ଯ୍ୟ ଚକିତ ହୋଇ ଯାଇଥିଲେ । ରସ ବାଲଟିରେ ପଡ଼ିଥିବା ୱାଟର ହିଟର ଲାଗି ତରଳି ଯାଇ ଲୋଚା ହୋଇଯାଇଥିଲା । ଏବଂ ବାଲଟିକୁ ୨ଇଞ୍ଚ ଛାଡ଼ି କାଳୁଙ୍କ ମୃତ ଶରୀର ପଡ଼ିଥିବା ଦେଖିବାକୁ ମିଳିଥିଲା । ଗାଁ ଯୁବକ ମାନଙ୍କ ଠାରୁ ଖବର ପାଇ ନୟାଗଡ଼ ନିକଟ ଶାଶୁ ଘରୁ ମୃତ କାଳୁଙ୍କ ଝିଅ ଆସି ଅପରାହ୍ନ ୨ଟାରେ ବାପଘରେ ପହଞ୍ଚି ସଙ୍ଗେ ସଙ୍ଗେ ଓଡ଼ଗାଁ ସ୍ବାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ । ସେଠାରେ ଡାକ୍ତର ତାଙ୍କୁ ଆନୁଷ୍ଠାନିକ ଭାବେ ମୃତ ଘୋଷଣା କରିଥିଲେ । ଖୋର୍ଦ୍ଧାରେ ପାଠ ପଢ଼ିବାକୁ ଯାଇଥିବା ପୁଅ ଓଡ଼ଗାଁରେ ପହଞ୍ଚିବା ପରେ ଶବ ବ୍ୟବଚ୍ଛେଦ କରାଯାଇଥିଲା । ପ୍ରକାଶ ଥାଉକି ଗତ ନଭେମ୍ବର ମାସ ୩୦ତାରିଖରେ କୁରାଳ ଚଣ୍ଡୀ ଛକ ଠାରେ ଗୃହ ନିର୍ମାଣ କାର୍ଯ୍ୟ ଚାଲିଥିବା ବେଳେ ଜଣେ ଶ୍ରମିକ ବିଦ୍ୟୁତ୍ ସଂସ୍ପର୍ଶରେ ଆସି ମୃତ୍ୟୁ ବରଣ କରିଥିଲେ।

Leave A Reply

Your email address will not be published.