କେନ୍ଦୁଝର,ତା୯/୧୧- କେନ୍ଦୁଝର ଜିଲ୍ଲା କ୍ରୀଡ଼ା ସଂସ୍ଥା ବା ଡିଷ୍ଟ୍ରିକ ଆଥଲେଟିକ ଆସୋସିଏସନର ସାଧାରଣ ସମ୍ପାଦକ ଭାବେ ବରିଷ୍ଠ କ୍ରୀଡ଼ାବିତ ସଂଗ୍ରାମ ପଟ୍ଟନାୟକ ମନୋନୀତ ହୋଇଛନ୍ତି। ରାଜ୍ୟ କ୍ରିକେଟ ଆସୋସିଏସନର ପୂର୍ବତନ ସ୍ୱୀକୃତିପ୍ରାପ୍ତ ଅମ୍ପାୟାର ଭାବେ ଜଣାଶୁଣା ଶ୍ରୀ ସଂଗ୍ରାମ ପଟ୍ଟନାୟକ ସର୍ବସମ୍ମତି କ୍ରମେ ସମ୍ପାଦକ ଭାବେ ମନୋନୀତ ହୋଇଥିବାରୁ ବିଭିନ୍ନ ମହଲରେ ତାଙ୍କୁ ଶୁଭେଚ୍ଛା ଜ୍ଞାପନ କରା ଯାଇଛି। ଦୀର୍ଘ ୮ଥର ସେ’ ଜିଲ୍ଲା କ୍ରୀଡ଼ା ସଂସ୍ଥାର ଯୁଗ୍ମ ସମ୍ପାଦକ ଭାବେ ନିର୍ବାଚିତ ହେବା ସହ ଏବେ ମଧ୍ୟ ଏହି ପଦବୀରେ ରହି ଆସିଥିଲେ। ମାତ୍ର ସାଧାରଣ ସମ୍ପାଦକ ଥିବା ଡ଼. ଜନାର୍ଦ୍ଦନ ଦାଶଙ୍କ ପରଲୋକ ପରେ ରବିବାର ଦିନ ଜିଲ୍ଲା କ୍ରୀଡ଼ା ସଂସ୍ଥାର କାର୍ଯ୍ୟନିର୍ବାହୀ ପରିଷଦ ବା କାଉନସିଲରର ଏକ ଜରୁରୀ ବୈଠକ ଉପସଭାପତି ସୁରେଶ ଚନ୍ଦ୍ର ପଟ୍ଟନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇ ଏହି ନିଷ୍ପତ୍ତି ନିଆ ଯାଇଥିଲା। ଜିଲ୍ଲା କ୍ରୀଡ଼ା ସଂସ୍ଥାର ଆଗାମୀ ନିର୍ବାଚନ ପର୍ଯ୍ୟନ୍ତ ସେ ଏହି ଦାୟିତ୍ୱ ନିର୍ବାହ କରିବେ ବୋଲି ଜଣା ପଡିଛି। ତେବେ ନିର୍ବାଚିତ କାଉନସିଲର ସମୟ ଅବଧି ଶେଷ ହୋଇଥିବାରୁ ଖୁବ ଶୀଘ୍ର ନିର୍ବାଚନ କରିବା ପାଇଁ ଏକ ପ୍ରତିନିଧିଦଳ ସୋମବାର ଜିଲ୍ଳାପାଳ ତଥା ସଂସ୍ଥାର ସଭାପତିଙ୍କୁ ଭେଟିବେ ବୋଲି ଶ୍ରୀ ପଟ୍ଟନାୟକ ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ ଯେ ଶ୍ରୀ ସଂଗ୍ରାମ ପଟ୍ଟନାୟକ ରାଜ୍ୟର ଜଣେ ପରିଚିତ କ୍ରିକେଟ ଅମ୍ପାୟାର ସହିତ ବିଭିନ୍ନ ଆନ୍ତର୍ଜାତୀୟ ଓ ଜାତୀୟସ୍ତରୀୟ ମ୍ୟାଚରେ ମ୍ୟାଚ ରେଫରୀ ଭାବେ ଏବଂ ସଂଖ୍ୟାଧିକ ରଣଜି ଟ୍ରଫିରେ ଓଡିଶା ଦଳର ମ୍ୟାନେଜର ଭାବରେ ଦାୟିତ୍ୱ ସୂଚାରୁ ଭାବେ ସମ୍ପାଦନ କରିବା ସହିତ ତାଙ୍କ ନେତୃତ୍ୱରେ କେନ୍ଦୁଝର ଫ୍ରେଣ୍ଡସ କ୍ଲବ ପକ୍ଷରୁ ମୀନକେତନ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହେଉଥିଲା। ଜଣେ ସୁପରିଚିତ ସାମ୍ବାଦିକ ଭାବେ ନିଜର ଅନ୍ୟଏକ ପରିଚୟ ସୃଷ୍ଟି କରିଥିବା ଶ୍ରୀ ପଟ୍ଟନାୟକ କ୍ରୀଡ଼ାର ବିକାଶ ଦିଗରେ ନିଜର ସମୃଦ୍ଧ ଅଭିଜ୍ଞତାକୁ କାର୍ଯ୍ୟରେ ଲଗାଇବେ ବୋଲି କ୍ରୀଡ଼ା ପ୍ରେମୀଙ୍କ ମଧ୍ୟରେ ଆଶା ସଂଚାର କରିଛି।
Sign in
Sign in
Recover your password.
A password will be e-mailed to you.