ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନମଣ୍ଡଳୀରେ ବି ବିକାଶ ବାଟବଣା !!

4

କେନ୍ଦୁଝର: (ସ୍ଵତନ୍ତ୍ର ପ୍ରତିନିଧି ) – ଓଡ଼ିଶା ବିକଶିତ ହେବ। ଦେଶରେ ଏକ ନମ୍ବର ହେବ। ଅନ୍ୟ ରାଜ୍ୟ ସବୁକୁ ପଛରେ ପକାଇ ଦେବ। ଚାରିଆଡେ ବିକାଶ ହିଁ ବିକାଶ। ଏଇ ସବୁ ନାରା ନିତିଦିନ ରଟୁଛନ୍ତି ମୋହନ ବାବୁ। ନିଜକୁ ଲୋକଙ୍କ ମୁଖ୍ୟମନ୍ତ୍ରୀ ବୋଲି ଦାବି ମଧ୍ୟ କରୁଛନ୍ତି। ଏଇ ନାରାରେ କେତେ ଦମ୍ ଅଛି, ଆସନ୍ତୁ ଦେଖିବା ।

ଦେଖନ୍ତୁ ଏଇ ଘରଟି। ବର୍ଣ୍ଣନା ଆବଶ୍ୟକ କରୁନାହିଁ। ନିଜ ପାଇଁ ନିଜେ ସ୍ପଷ୍ଟ କହୁଛି। ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀ। ସଦର, କେନ୍ଦୁଝର। ବାଂଶପାଳ ବ୍ଳକ୍। ଗାଁ – ଘୁଙ୍ଗି। କୋଡିପଶା ପଞ୍ଚାୟତ। ଜିଲ୍ଲା ସଦର ମହକୁମାଠାରୁ ମାତ୍ର ତେଇଶି କିଲୋମିଟର।

ଶ୍ରୀ ସୁରେନ ଜୁଆଙ୍ଗ ର ପରିବାର – ସ୍ତ୍ରୀ ଓ ଚାରି ପିଲା। ଦୁଇ ପୁଅ, ଦୁଇ ଝିଅ। ସମସ୍ତେ ରୁହନ୍ତି ଏଇଠି। ଘରର ଏକ ପାଖର ଚାଳ ନାହିଁ। ଘରର ଦ୍ଵାର ନାହିଁ। ମଶାରୀ ଠିଆ ହୋଇଛି କବାଟ ସ୍ଥାନରେ। ବର୍ଷା ପାଣି, ଥଣ୍ଡା ପବନ, ଧୂଳି, ବିଛା, ପୋକ, ଯୋକ, ସାପ, ସରିସୃପ ଙ୍କ ଅବାଧ ପ୍ରବେଶ। ତା’ ସାଙ୍ଗ କୁ ହାତୀ ଉପଦ୍ରବ ଇଲାକା। ସବୁବେଳେ ଭୟ ହିଁ ଭୟର ବାତାବରଣ।

ସରକାରୀ ପକ୍କା ଘର ମିଳି ନାହିଁ ସୁରେନ୍ କୁ। ନା ବିଜୁ ପକ୍କା ଘର, ନା ପ୍ରଧାନମନ୍ତ୍ରୀ ଆବାସ । ଆଖ ପାଖ ଗାଁର ଅନେକ ଲୋକ ସରକାରୀ ପକ୍କା ଘର ପାଇଥିବା ବେଳେ, ଏ ବିଚାରା ସୁରେନ ଜୁଆଙ୍ଗ କ୍ଷେତ୍ରରେ ଏ ଯୋଜନା ବାଟ ବଣା ହେଲା କିପରି? ଅପେକ୍ଷାକୃତ ସ୍ଵଛଳ ବର୍ଗର ଲୋକ ସରକାରୀ ପକ୍କା ଘର ପାଇଥିବା ସ୍ଥଳେ, ଏତେ ଗରିବ ସୁରେନ କୁ ମନା କଲା କିଏ ? ଏହାର ଉତ୍ତର କାହା ପାଖରେ? ମୋହନ ବାବୁ ଜାଣନ୍ତି କି?

ନିଜର ସମ୍ବଳ ନାହିଁ ଘର ମରାମତି କରିବାକୁ। ସୁରେନ ଧାଇଁଛି ପଞ୍ଚାୟତ ଠୁ ବ୍ଲକ୍ ପର୍ଯ୍ୟନ୍ତ। କେହି ଶୁଣିଲେନି ତା’ ଗୁହାରି। ଭାଗ୍ୟକୁ ଆଦରି ପଡିଛି ଏବେ। ତା’ ମନରେ ପ୍ରଶ୍ନ — ଅନ୍ୟମାନେ ପାଉଛନ୍ତି, ତା ବେଳକୁ କ’ଣ ହେଉଛି? ସମସ୍ୟା ତା ପାଖରେ, ନା ସରକାରୀ ବ୍ୟବସ୍ଥାରେ? ଅବଶ୍ୟ ସେ ସରପଞ୍ଚ, ପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀ ଙ୍କୁ ହାତ ଗୁଞା ଦେଇ ପାରୁ ନାହିଁ !! ଏଇଟା କ’ଣ ତା’ର ଅଯୋଗ୍ୟତା ?

ସବୁଠାରୁ ବିଡ଼ମ୍ବନାର ବିଷୟ ହେଉଛି – ବିଗତ ଦଶ ବର୍ଷ ମଧ୍ୟରେ ବିଧାୟକଙ୍କ ପାଦ ଥରୁଟିଏ ବି ପଡି ନାହିଁ ଏଠି। କିଏ କେମିତି ଅଛନ୍ତି, ଜାଣନ୍ତି ନାହିଁ ମାନ୍ୟବର। ୨୦୨୪ ରେ ଥରେ ଯାଇଥିଲେ ଭୋଟ ମାଗିବାକୁ। ବାସ୍। ସାଂସଦଙ୍କ କଥାତ ନିଆରା।
ପଡୋଶୀ ଗାଁରେ ନବ ଗଠିତ ସ୍ଵେଚ୍ଛାସେବୀ ଅନୁଷ୍ଠାନ ” ଆଶା” ର ନଜର ପଡ଼ିଲା ଏଇ ଘର ଉପରେ। ସ୍ଵେଚ୍ଛାସେବୀ ଶ୍ରୀ ଡମ୍ବରୁଧର ଘଣା, ଶ୍ରୀ ତୁଷାର ଭୁଷଣ ମହାନ୍ତ, ଶ୍ରୀ ମନୋଜ କୁମାର ପଟେଲ ଓ ଶ୍ରୀ ରାମଚନ୍ଦ୍ର ମହାନ୍ତ ଏ ସମସ୍ୟା କୁ ଖବର କାଗଜରେ ପ୍ରକାଶିତ କଲେ। ଏଥିସହିତ ମହାମହିମ ରାଷ୍ଟ୍ରପତି, ଜାତୀୟ ଜନଜାତି ଆୟୋଗ, ପଞ୍ଚାୟତି ରାଜ ମନ୍ତ୍ରୀ, ମୁଖ୍ୟ ଶାସନ ସଚିବ, ଓ ଜିଲ୍ଲାପାଳ ଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ସୁରେନର ଏ ଘରକୁ ତୁରନ୍ତ ମରାମତି କରି, ତାକୁ ମଣିଷ ରହିବା ଉପଯୋଗୀ କରିବାକୁ ଏବଂ ତୁରନ୍ତ ଏକ ପକ୍କା ଘର ଯୋଗାଇ ଦେବାକୁ ଅନୁରୋଧ କରିଛନ୍ତି। କେବଳ ସୁରେନ ର କଥା ନୁହେଁ। ଏପରି ଆଉ କିଛି ପରିବାର ଅଛନ୍ତି, ଯେଉଁମାନେ ଏବେ ବି ପକ୍କା ଘର ପାଇ ନାହାଁନ୍ତି।

ଇତିମଧ୍ୟରେ କିଛି ମାସ ବିତିଯାଇଥିଲେ ମଧ୍ୟ, କୈ।ଣସି ସରକାରୀ ଅଧିକାରୀ ଯାଇ ଏ ଦୁଃଖି ସୁରେନ୍ ର ଦୁଃଖ ଦେଖିବାକୁ ଉଚିତ୍ ମଣିଲେ ନାହିଁ। ବିଧାୟକ ତ ସ୍ଵୟଂ ମାନ୍ୟବର। ଶାସନ ଏମିତି ବେଗରେ ଚାଲିଛି ଯେ ସରପଞ୍ଚ ଟି ମଧ୍ୟ ଗଲା ନାହିଁ ଦେଖିବାକୁ। ଏଇଥିରୁ ଆପଣ ବୁଝନ୍ତୁ – ଏ ମୋହନ ବାବୁର କଥାରେ କେତେ ଦମ୍ ଅଛି। ଯେ ନିଜ ନିର୍ବାଚନ ମଣ୍ଡଳୀର ଏକ ଆଦିମ ଜନଜାତି କୁ ଘର ଖଣ୍ଡେ ଯୋଗାଇ ପାରୁନାହିଁ, ସେ ପୁଣି ଗଢିବ ବିକଶିତ ଓଡିଶା। ଏ କି କଥା ? କି ଶାସନ? କାହାର ବିକାଶ କରୁଛନ୍ତି ଏମାନେ?

ଦେଖାଯାଉ, ଏ ଦୁଃଖି ସୁରେନ ର ଦୁଃଖ କେବେ ଦୂର ହେଉଛି।

Leave A Reply

Your email address will not be published.