ମଲାପୁଅ ମୁକୁଳେଇଲା ବନ୍ଧକ ଗୃହ

4

ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ବୀମାରୁ ମୃତକଙ୍କ ମା’ଙ୍କୁ ମିଳିଲା ୨ ଲକ୍ଷ ଟଙ୍କା


ଓଡ଼ଗାଁ,୩୦।୧୦(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ ସାକେରୀ ଗ୍ରାମର ମୃତ ଯୁବକଙ୍କ ନୋମିନି ଥିବା ବୃଦ୍ଧା ମା’ଙ୍କୁ ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ବୀମା ଯୋଜନାରେ ଷ୍ଟେଟ ବ୍ୟାଙ୍କ ତରଫରୁ ୨ ଲକ୍ଷ ଟଙ୍କାର ଚେକ ପ୍ରଦାନ କରାଯାଇଛି । ପୁଅର ଚିକିତ୍ସା ପାଇଁ ଦେଢ଼ ଲକ୍ଷ ଟଙ୍କାକୁ ବନ୍ଧା ପଡ଼ିଥିବା ଘର ଏବେ ବୀମା ଅର୍ଥରେ ମୁକୁଳିବ । ସୂଚନା ଅନୁସାରେ ସାକେରୀ ଗ୍ରାମର ସନ୍ତୋଷ କୁମାର ମହାରଣା (୩୪)କିଡ଼ନୀ ରୋଗରେ ଆକ୍ରାନ୍ତ ହୋଇ ଅଗଷ୍ଟ ମାସରେ ମୃତ୍ୟୁ ବରଣ କରିଥିଲେ ।ଅସହାୟ ବୃଦ୍ଧା ମା’ ପୁଅକୁ ଭଲକରିବା ନିମନ୍ତେ ବିଭିନ୍ନ ଡାକ୍ତରଖାନା ବୁଲାଇଥିବା ବେଳେ ଅର୍ଥାଭାବରୁ ରହିବା ଘରକୁ ବନ୍ଧା ପକାଇ ପ୍ରାୟ ଦେଢ଼ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ଖର୍ଚ୍ଚ କରିଥିଲେ । ତେବେ ସ୍ଥାନୀୟ ଷ୍ଟେଟ ବ୍ୟାଙ୍କରେ ପିଏମଜିଜିୱାଇ ଯୋଜନାରେ ଜୀବିତ ଅବସ୍ଥାରେ ପୁଅ ମାତ୍ର ୪୩୬ ଟଙ୍କା ବାନ୍ଧି ବୀମା ଭୁକ୍ତ ହୋଇଥିଲେ । ଯୁବାବସ୍ଥାରେ ଏକମାତ୍ର ରୋଜଗାରକ୍ଷମ ପୁଅକୁ ହରାଇ ପରିବାର ଲୋକେ ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିଥିବା ବେଳେ ବିଧବା ବୃଦ୍ଧା ମା’ଦ୍ରୋପଦୀ ମହାରଣା (୭୦) ମଧ୍ୟ ଅସହାୟ ହୋଇପଡ଼ିଥିଲେ । ଏଭଳି ସମୟରେ ଷ୍ଟେଟ ବ୍ୟାଙ୍କ ପିଏମଜିଜିୱାଇ ଯୋଜନା ମାଧ୍ୟମରେ ୨ ଲକ୍ଷ ଟଙ୍କାର ଚେକ୍ ମିଳିବା ପରେ ବନ୍ଧକ ଭିଟାମାଟି ମୁକୁଳେଇବା ସହଜ ହୋଇ ପାରିଛି । ସାଧାରଣରେ ଏହି ଯୋଜନା ଏବେ ବି ଅପହଞ୍ଚ ରହିଥିବା ବେଳେ ଏନେଇ ବ୍ୟାପକ ପ୍ରଚାର ପ୍ରସାରର ଆବଶ୍ୟକତା ରହିଛି ‌ବୋଲି ଉପସ୍ଥିତ ଶିକ୍ଷାବିତ୍ ଅଶୋକ କୁମାର ମହାପାତ୍ର ଓ ଆଦର୍ଶ କୁମାର ପଟ୍ଟନାୟକ ମତ ପୋଷଣ କରିଥିଲେ ।

Leave A Reply

Your email address will not be published.