ବାଡ଼ ତିଆରି କରିବାକୁ ନେଇ ମାଡ଼ ମାରିବା ମାମଲାରେ ଦୋଷୀ ସାବ୍ୟସ୍ତ ହେଲେ ବଡ଼ ଭାଇ ଓ ପୁତୁରା

4

 ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ସୂଚନାଯୋଗ୍ୟ , ତା ୧୬-୦୬-୨୦୨୩ ରିଖ ଦିନ ସକାଳ ସମୟରେ ଯେତେବେଳେ ପି. ଅନ୍ତରଡା ଗ୍ରାମ ନିବାସୀ ଏତଲାକାରି ବୁରୁଷି ଦୋରା ନିଜ ସ୍ତ୍ରୀ ସହ ଆମ୍ବ ତୋଳିବାକୁ ଯାଉଥିଲେ , ସେହି ସମୟରେ ତାଙ୍କ ବଡ଼ ଭାଇ ଜାମ୍ବିଙ୍ଗ ଦୋରା ଓ ପୁତୁରା ଜୟସ ଦୋରା ଆସି ବାଡ଼ ତିଆରି କଥାକୁ କେନ୍ଦ୍ର କରି ପାଟିତୁଣ୍ଡ ଆରମ୍ଭ କରିଥିଲେ ଓ ପରେ ସେମାନଙ୍କୁ ମାରଧର କରି ଲହୁଲୁହାଣ କରିଥିଲେ। ଯାହାଫଳରେ ଏତଲାକାରି ବେହୋସ ହୋଇଯାଇଥିଲେ ଓ ପରେ ଖଜୁରିପଦା ଡ଼ାକ୍ତରଖାନାକୁ ଚିକିତ୍ସା ପାଇଁ ଯାଇଥିଲେ।
ପରେ ନିଜ ଜୀବନ ପ୍ରତି ବିପଦ ଥିବା କଥା ଭାବି ଏତଲାକାରି ମାମଲା ନମ୍ବର ୬୯ ରେ ଏକ ମାମଲା ସେ ସମୟରେ ଆର.ଉଦୟଗିରି ଥାନାରେ ଉପରୋକ୍ତ ଦୁଇ ଅଭିଯୁକ୍ତଙ୍କ ନାମରେ ରୁଜୁ କରିଥିଲେ ଓ ତତ୍କାଳୀନ ସବ ଇନ୍ସପେକ୍ଟର ଦୁଷ୍ମନ୍ତ କୁମାର ଅମାନ୍ତ ଉକ୍ତ ମାମଲାର ତଦନ୍ତ କରି ଆସାମୀମାନଙ୍କୁ କୋର୍ଟ ଚାଲାଣ କରିଥିଲେ।
୮ଜଣ ସାକ୍ଷୀଙ୍କ ବଳିଷ୍ଠ ବୟାନ ତଥା ପ୍ରମାଣକୁ ଭିତ୍ତି କରି ଏହି ମାମଲାର ଶୁଣାଣି କରି ମାନ୍ୟବର ସିନିୟର ସିଭିଲ ଜଜ୍ ତଥା ଜେଏମ୍ଏଫସି ସୌଦାମିନୀ ବିଶ୍ୱାଳ ଭାରତୀୟ ପିଙ୍ଗଳ କୋଡ଼ର ଧାରା ୩୨୩ରେ ଉକ୍ତ ଅଭିଯୁକ୍ତମାନଙ୍କୁ ଦୋଷୀ ସାବ୍ୟସ୍ତ କରି ପ୍ରବେଶନ ଅଫ ଅଫେଣ୍ଡର୍ସ ଆକ୍ଟର ଧାରା ୩ ଅନୁଯାୟୀ ଭର୍ତ୍ସନା କରି ଏ ଭଳି କାର୍ଯ୍ୟରୁ ଭବିଷ୍ୟତରେ ନିବୃତ୍ତ ରହିବା ପାଇଁ କଡ଼ା ଚେତାବନୀ ଦେଇଛନ୍ତି।
ସୂଚନାଯୋଗ୍ୟ ଏହି ମାମଲା ଏକ ପାରିବାରିକ ମାମଲା ହୋଇଥିବାରୁ ଭବିଷ୍ୟତର ପରିବାର ସମ୍ପର୍କକୁ ନଜରରେ ରଖି ଏହିପରି ଏକ ଦୃଷ୍ଟାନ୍ତମୂଳକ ନ୍ୟାୟ ଶୁଣାଇଛନ୍ତି ମାନ୍ୟବର ବିଚାରପତି। ସରକାରଙ୍କ ପକ୍ଷରୁ ଏପିପି ହରିକୃଷ୍ଣ ପ୍ରଧାନ ଏହି ମାମଲାର ସଫଳ ପରିଚାଳନା କରିଥିବାର ଖବର ଭାରପ୍ରାପ୍ତ କ୍ୟାଡ଼ର ପବ୍ଲିକ ପ୍ରସିକ୍ୟୁଟର ରାଜେଶ କୁମାର ମିଶ୍ର ସୂଚନା ଦେଇଛନ୍ତି।

Leave A Reply

Your email address will not be published.