ରାଜଗାଙ୍ଗପୁର, ୨୮/୧୦/୨୫. ରାଜଗାଙ୍ଗପୁର ପୌରାଞ୍ଚଳର ପରିମଳ ବ୍ୟବସ୍ଥାକୁ ବାର୍ଷିକ ୬ କୋଟି ଟଙ୍କା ବିନିମୟରେ ଗତବର୍ଷ ଏକ ବେସରକାରୀ ସଂସ୍ଥାକୁ ଦିଆଯାଇଥିଲା। ମାତ୍ର ସେହି ସଂସ୍ଥା ଠିକ ଭାବରେ ସଫା କରୁନାହିଁ ବୋଲି ବାରମ୍ବାର ଅଭିଯୋଗ ଉଠିଥିଲା । ଦଳେ ୱାର୍ଡସଭ୍ୟ ସେହି ସଂସ୍ଥାକୁ ସମର୍ଥନ କରୁଥିବା ବେଳେ ଆଉ ଦଳେ ସଭ୍ୟ ତାକୁ ବିରୋଧ କରୁଛନ୍ତିତ। ଆସନ୍ତା ୩୦ ତାରିଖରେ ସେହି ବେସରକାରୀ ସଂସ୍ଥାର ଅବଧୂ ସରୁଛି। ମାତ୍ର ସେହି ସଂସ୍ଥାକୁ ବିନା ଟେଣ୍ଡରରେ ଆଉ ଏକ ବର୍ଷ ପାଇଁ ଦାୟିତ୍ବ ଦିଆଯିବ ବୋଲି ପୌରାଧ୍ଯକ୍ଷା ଓ କେତେକ ୱାର୍ଡସଭ୍ୟ ଯୋଜନା କରୁଛନ୍ତି
ବୋଲି ଅଭିଯୋଗ କରି ଉପନଗରପାଳ ଓ ଅନ୍ୟ କେତେକ ୱାର୍ଡସଭ୍ୟ କିଛିଦିନ ତଳେ ସୁନ୍ଦରଗଡ଼ ଯାଇ ଜିଲାପାଳଙ୍କ ପାଖରେ ଅଭିଯୋଗ କରିଥିଲେ। ପୁନଃ ଟେଣ୍ଡର କରିବାକୁ ଦାବିପତ୍ର ଦେଇଥିଲେ। ଗତକାଲି ରାଜଗାଙ୍ଗପୁର ବ୍ଲକ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଥିବା ଯୁଗ୍ମ ଅଭିଯୋଗ ଶୁଣାଣି ଶିବିରରେ ୩ ନମ୍ବର ୱାର୍ଡ ସଭ୍ୟା ଶ୍ଵେତା କୁମାରୀଙ୍କ ସହିତ ଅନ୍ୟମାନେ ଜିଲାପାଳଙ୍କ ପାଖରେ ଅଭିଯୋଗ କରିଥିଲେ। ଜିଲାପାଳ ସାତ ଦିନ ମଧ୍ୟରେ ଏଥି ପାଇଁ ଆବଶ୍ୟକ ନିୟମ ଅନୁଯାଇ ପଦକ୍ଷେପ ନେବାକୁ ପୌର କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ନିର୍ଦେଶ ଦେଇଛନ୍ତି। ଏହି ପରିପ୍ରେକ୍ଷୀରେ ଆଜି
ପୌରାଧ୍ୟକ୍ଷା ଜରୁରୀ ବୈଠକ ଡକାଇଥିଲେ। ବୈଠକରେ ୧୨ ଜଣ ୱାର୍ଡ ସଭ୍ୟ (୧, ୪, ୫, ୭, ୮, ୧୦, ୧୧, ୧୫, ୧୬, ୧୭ ଓ ୨୦) ହାତ ଟେକି ପୂର୍ବ ସଂସ୍ଥା ଅନାମ ଚରଣ ନାଥଙ୍କୁ ଆଉ ଏକ ବର୍ଷ ପାଇଁ ସଫେଇ ଦାୟିତ୍ୱ ଦେବାକୁ ସମର୍ଥନ କରିଥିଲେ। କିନ୍ତୁ ଅନ୍ୟ ୮ ଜଣ ପୁନଃ ଟେଣ୍ଡର ନକଲେ ଧର୍ମଘଟରେ ବସିବେ ବୋଲି ଚେତାବନୀ ଦେଇଛନ୍ତି। ପୌର କାର୍ଯ୍ୟନିର୍ବାହୀ ଅଧୂକାରୀ କିଛି ଦିନ ସମୟ ମାଗି ଏ ସଂକ୍ରାନ୍ତରେ ଜିଲାପାଳଙ୍କ ସହ ଆଲୋଚନା କରିବେ ବୋଲି କହିଛନ୍ତି। ତେଣୁ ବିରୋଧୀ ସଭ୍ୟମାନେ ପ୍ରସ୍ତାତ ଧର୍ମଘଟକୁ କିଛି ଦିନ ପାଇଁ ଘୁଞ୍ଚାଇ ଦେଇଛନ୍ତି।