ମାଲକାନଗିରି,ତା୧୯।୧୦: ଏଠାରେ ମାଲକାନଗିରି ସଦର ମହକୁମାରେ ପୌର ପରିଷଦ ପକ୍ଷରୁ ସହରାଞ୍ଚଳ ବାସହୀନ ଆଶ୍ରୟସ୍ଥଳୀ ନିର୍ମାଣ କରାଯାଇଛି। ଏହି ଆଶ୍ରୟସ୍ଥଳୀରେ ମୋଟ ୪୦ ରୁ ଉର୍ଦ୍ଧ ବ୍ୟକ୍ତି ରହିପାରିବେ। ଗରିବ ଅସହାୟ ବାସହୀନ ଲୋକେ ରହିବାର ସୁବିଧା କରାଯାଇଛି। ତତ୍କାଳୀନ ସରକାର ୨୦୧୬-୧୭ଆର୍ଥିକ ବର୍ଷରେ ଏହି ଆଶ୍ରୟସ୍ଥଳୀ ନିର୍ମାଣ କରିଥିଲେ। ଏହାର ଉଦ୍ଦେଶ୍ୟ ଥିଲା ଯେ, ସହରକୁ ଆସୁଥିବା ଅସହାୟ ବାସହୀନ ଲୋକ ଅନ୍ତତଃ ବିନା ମୂଲ୍ୟରେ ଏଠାରେ ରାତ୍ରୀଯାପନ କରିବେ। କିନ୍ତୁ ଏବେ ଏଥିରେ ବିଚ୍ୟୁତ ହେଉଥିବା ପରିଲକ୍ଷିତ ହୋଇଛି। ଏହି ଆଶ୍ରୟସ୍ଥଳୀରେ ବାସହୀନ ବଦଳରେ ବିଭିନ୍ନ ବ୍ୟବସାୟୀ ରହୁଥିବା ଦେଖିବାକୁ ମିଳିଛି। ଏମାନେ ମାତ୍ର ୨୦ରୁ ୩୦ ଟଙ୍କା ଦେଇ ରାତ୍ରୀଯାପନ କରୁଥିବା ଅଭିଯୋଗ ହୋଇଛି। ସୁନ୍ଦରଗଡ଼ର ଜଣେ ଏବଂ ନୟାଗଡ଼ର ଜଣେ ଦୃଷ୍ଟିହୀନ ବ୍ୟକ୍ତି ମାଲକାନଗିରିରେ ପହଞ୍ଚୁ ଲୋକଙ୍କୁ ଭିକ ମାଗି ରାତିରେ ଏହି ଆଶ୍ରୟସ୍ଥଳୀରେ ରହୁଥିଲେ।
ତେବେ ତାଙ୍କୁ ସେଠାରେ ବହୁ ହଇରାଣ କରାଯାଉଥିବା ଅଭିଯୋଗ କରିଥିଲେ। ଦୁହେଁ ଅସହାୟ ହୋଇଥିବାରୁ ବାଧ୍ୟହୋଇ ନିର୍ଯାତନା ସହିଯାଇଥିବା କହିଥିଲେ । ତେବେ ବହୁ ହଇରାଣ କରିବା ପରେ ସେମାନେ ବାଧ୍ଯ ହୋଇ ନିକଟସ୍ଥ ଫାଣ୍ଡିରେ ଅଭିଯୋଗ ମଧ୍ୟ କରିଥିବା କହିଥିଲେ। ତେବେ ସହରାଞ୍ଚଳରେ ରହିଥିବା ଏହି ବାସହୀନ ଆଶ୍ରୟସ୍ଥଳୀ କାହା ଉଦ୍ଦେଶ୍ୟରେ ନିର୍ମାଣ କରାଯାଇଛି ବୋଲି ସାଧାରଣରେ ପ୍ରଶ୍ନ କରାଯାଇଛି। ଏନେଇ ପୌର ପରିଷଦର ନିର୍ବାହୀ ଅଧିକାରୀଙ୍କୁ ପଚାରିବାରୁ ସେ ଏ ସମ୍ପର୍କରେ ଅବଗତ ନଥୁବା କହିବା ସହ ସେ ନିଶ୍ଚିତ ରୂପେ ଏହାର ତଦନ୍ତ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଏହି ଆଶ୍ରୟସ୍ଥଳୀରେ ଅସାମାଜିକ ବ୍ୟକ୍ତିଙ୍କ ଭିଡ଼ ଜମୁଥିବାରୁ ବିଭିନ୍ନ ଅନୈତିକ କାର୍ଯ୍ୟ ମଧ୍ୟ ହେଉଥିବା ଅଭିଯୋଗ ହୋଇଛି। ତେଣୁ ତୁରନ୍ତ ପୌର ପରିଷଦ ପକ୍ଷରୁ ତଦନ୍ତ କରାଯାଇ ଉଚିତ ବାସହୀନ ଲୋକଙ୍କୁ ଏହି ଆଶ୍ରୟସ୍ଥଳୀରେ ସ୍ଥାନ ଦେଲେ ସେମାନେ ଉପକୃତ ହୋଇପାରିବେ ବୋଲି ବିଭିନ୍ନ ରାଜନୈତିକ ଦଳର ନେତାମାନେ ମଧ୍ୟ ମତ ଦେଇଛନ୍ତି।
Sign in
Sign in
Recover your password.
A password will be e-mailed to you.