ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଦିନକୁ ଦିନ ଆଇନଜୀବିମାନଙ୍କ ଉପରେ ହେଉଥିବା ଆକ୍ରମଣର ଖବର ଶୁଣିବାକୁ ମିଳୁଛି। ସେହିପରି ନିକଟରେ ବ୍ରହ୍ମପୁରରେ ଜଣାଶୁଣା ଆଇନଜୀବି ପୀତବାସ ପଣ୍ଡାଙ୍କୁ ହତ୍ୟା କରାଯିବାର ଖବରକୁ ନେଇ ସମସ୍ତେ ପ୍ରାୟ ଅବଗତ ଥିବା ବେଳେ ଏହା ମଧ୍ୟରେ ପାରଳାଖେମୁଣ୍ଡିର ଜିଲ୍ଲା ନ୍ୟାୟାଳୟରୁ ଆସିଛି ଏକ ସୂଚନା , ଯାହାକୁ ନେଇ ଗତବର୍ଷ ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡି ତଥା ଓକିଲ ସମାଜରେ ଏକ ଚାଞ୍ଚଲ୍ୟ ସୃଷ୍ଟି ହୋଇଥିଲା।
ସୂଚନାଯୋଗ୍ୟ , ଗତବର୍ଷ ୯ ନଭେମ୍ବରରେ ପାରଳାଖେମୁଣ୍ଡିର ବରିଷ୍ଠ ଓକିଲ ପି ରାମା ରାଓଙ୍କ ଉପରକୁ ଦୁଇଜଣ ଅଜଣା ବ୍ୟକ୍ତି ଜୀବନରେ ମାରିଦେବା ଉଦ୍ଦେଶ୍ୟରେ ଏସିଡ଼ ମାଡ଼ କରି ଘଟଣାସ୍ଥଳରୁ ଫେରାର ହେଇଯାଇଥିଲେ। ପରେ ତତ୍କାଳୀନ ପାରଳାଖେମୁଣ୍ଡି ଓକିଲ ସଂଘ ସମ୍ପାଦକ ରାମକୃଷ୍ଣ ନାୟକ ପାରଳାଖେମୁଣ୍ଡି ଥାନାରେ ମାମଲା ନମ୍ବର ୩୪୧ ଅନୁଯାୟୀ ଏକ ମାମଲା ରୁଜୁ କରିଥିଲେ ଓ ଘଟଣାର ଗମ୍ଭୀରତାକୁ ନଜରରେ ରଖି ଖୋଦ ଥାନା ଭାରପ୍ରାପ୍ତ ଅଧିକାରୀ ପ୍ରଶାନ୍ତ ଭୂପତି ଏହି ମାମଲାର ତଦନ୍ତକାରୀ ଅଧିକାରୀ ସାଜି ୨ ଫେବୃଆରୀରେ ବିଶାଖାପାଟଣାର ଡ଼ି. ସତୀଶ ତଥା ଏହି ଘଟଣାର ମୁଖ୍ୟ କାର୍ପଟଦାର ଡ଼ି. ଭେଙ୍କଟ ରାଓଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ। କିନ୍ତୁ ଏଥିରେ ଥିବା ଅନ୍ୟ ଆସାମୀ ଭି. କିରଣ ଏବେ ବି ଧରା ପଡ଼ିବା ଭୟରେ ପଳାୟନ କରିଥିବା ସୂଚନା ମିଳୁଛି। ସେହିପରି ଏହି ମାମଲାର ଚାର୍ଜସିଟ ୧ମଇ , ୨୦୨୫ରେ ଦିଆଯାଇଥିଲା।
ପରେ ୮ ସେପ୍ଟେମ୍ବରରେ ଏହି ମାମଲାର ଡିସଚାର୍ଜ ପିଟିସନର ଶୁଣାଣି ପାଇଁ ତାରିଖ ଧାର୍ଯ୍ୟ ହୋଇଥିଲା। ସୂଚନାଯୋଗ୍ୟ , ଏହି ମାମଲା ଏକ ସଙ୍ଗିନ ମାମଲା ଥିବାରୁ ତଥା ଏଥିରେ କେହି ପ୍ରତ୍ୟକ୍ଷଦର୍ଶୀ ନଥିବାରୁ ମାମଲାରେ ଅଭିଯୁକ୍ତଙ୍କ ପକ୍ଷରୁ ଡିସଚାର୍ଜ ପିଟିସନ ଜିଲ୍ଲା ଜଜ୍ ଜଗଦୀଶ ପ୍ରସାଦ ମହାନ୍ତିଙ୍କ କୋର୍ଟରେ ଆବେଦନ କରାଯାଇଥିଲା। କିନ୍ତୁ ସରକାରଙ୍କ ତରଫରୁ ପକ୍ଷ ରଖୁଥିବା ଭାରପ୍ରାପ୍ତ କ୍ୟାଡ଼ର ପବ୍ଲିକ ପ୍ରସିକ୍ୟୁଟର ରାଜେଶ କୁମାର ମିଶ୍ର ସିସିଟିଭିର ଫୁଟେଜ ତଥା ବ୍ୟାଙ୍କ ଆକାଉଣ୍ଟରେ ଟଙ୍କା ଦେଣ ନେଣ ତଥା ମୋବାଇଲ କଲକୁ ଆଧାର କରି ଚାର୍ଜ ଫ୍ରେମ କରିବା ପାଇଁ ବଳିଷ୍ଠ ପ୍ରମାଣ ଉପସ୍ଥାପନ କରିଥିଲେ। ଏଥିରେ ତାଙ୍କୁ ସହଯୋଗର ହାଥ ବଢ଼ାଇଥିଲେ ପ୍ରସିକ୍ୟୁସନ ବିଭାଗର ସହାୟକ ନିର୍ଦ୍ଦେଶକ ଡ଼ି. ଅନୁପରାଜ ଆଚାରୀ ଓ ନିରୋଜ କୁମାର ମିଶ୍ର। ଏହି ମାମଲାର ଆଜି ଶୁଣାଣି କରି ମାନ୍ୟବର ଜିଲ୍ଲା ନ୍ୟାୟାଧୀଶ ଉପରୋକ୍ତ ଅଭିଯୁକ୍ତମାନଙ୍କ ବିରୁଦ୍ଧରେ ଭାରତୀୟ ନ୍ୟାୟ ସଂହିତାର ଧାରା ୧୨୪(୧)(ଏସ୍ଡ଼ି ପକାଇ ଗୁରୁତର ଆଘାତ ପହଞ୍ଚାଇବା)/୧୦୯(ମାରିବାକୁ ଚେଷ୍ଟା କରିବା)/୩(୫)ରେ ଚାର୍ଜ ଫ୍ରେମ କରି ମାମଲାର ବିଚାରଣା ଯଥା ସମ୍ଭବ ଆରମ୍ଭ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହା ପରେ ଏବେ ଜିଲ୍ଲା ପ୍ରସିକ୍ୟୁସନ ବିଭାଗ ଏବେ ପୁଣି ଥରେ ଆକ୍ସନ ମୋଡ଼କୁ ଆସିଯାଇଛି।
Sign in
Sign in
Recover your password.
A password will be e-mailed to you.