ଭୁବନେଶ୍ୱର: ଗଣମାଧ୍ୟମ ଅନୁଷ୍ଠାନ ‘ମାରୁତି ମିଡିଆ’ ପକ୍ଷରୁ ଚଳିତ ମାସ ୧୧ ଏବଂ ୧୨ ତାରିଖ ଦୁଇଦିନ ଧରି ଏଠାରେ ବ୍ୟାଙ୍କ ଓ ଆର୍ଥିକ ସେବା ସମ୍ପର୍କିତ ଜାତୀୟ ସମ୍ମିଳନୀ ‘ଫିନଭିଜନ ଓଡ଼ିଶା-୨୦୨୫’ ଅନୁଷ୍ଠିତ ହେବାକୁ ଯାଉଛି ।
ରାଜ୍ୟର ପ୍ରମୁଖ ଶିଳ୍ପ-ବାଣିଜ୍ୟ ସଂଘ ‘ଉକ୍ରଳ ଚାମ୍ବର ଅଫ୍ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରି ଲିମିଟେଡ (ୟୁସିସିଆଇଏଲ୍)’ ସହଯୋଗରେ ଆୟୋଜିତ ହେଉଥିବା ଏହି ସମ୍ମିଳନୀରେ ରାଜ୍ୟ ଓ ରାଜ୍ୟ ବାହାରୁ ବହୁ ବିଶେଷଜ୍ଞ ଯୋଗ ଦେଇ ଓଡ଼ିଶାରେ ବ୍ୟାଙ୍କ ଏବଂ ଅନ୍ୟାନ୍ୟ ଆର୍ଥିକ କ୍ଷେତ୍ରର ସ୍ଥିତି ଓ ବିକାଶ ସମ୍ପର୍କରେ ବ୍ୟାପକ ଆଲୋଚନା କରିବେ ।
ଏହି ସମ୍ମିଳନୀରେ ଉଦ୍ଘାଟନୀ ଓ ଉଦ୍ୟାପନୀ କାର୍ଯ୍ୟକ୍ରମ ବ୍ୟତୀତ ବ୍ୟାଙ୍କସେବା, ଷ୍ଟକ ଓ ସେୟାର ବଜାର, ମ୍ୟୁଚୁଆଲ୍ ଫଣ୍ଡ୍, ଏସ୍ଏମ୍ଇ, ଆଇପିଓ, ଗୃହ ଅର୍ଥଲଗାଣ ଏବଂ ବୀମାସେବା ଆଦି ପ୍ରସଙ୍ଗରେ ମୋଟ୍ ଚାରିଟି ବୈଷୟିକ ଅଧିବେଶନ ଅନୁଷ୍ଠିତ ହେବ । ମଞ୍ଚାସୀନ ଅତିଥିମାନେ ନିଜନିଜ ବକ୍ତବ୍ୟ ଉପସ୍ଥାପନ କରିବା ପରେ ବିଜ୍ଞ ଦର୍ଶକମଣ୍ଡଳୀଙ୍କ ସହିତ ଭାବ ବିନିମୟ କରିବେ । ଅତିଥିଙ୍କ ଆଲୋଚନା, ମତ ବିନିମୟ ଓ ରାଜ୍ୟରେ ବ୍ୟାଙ୍କ ତଥା ଅନ୍ୟାନ୍ୟ ଆର୍ଥିକ କ୍ଷେତ୍ରର ବିକାଶ ପାଇଁ ବିଶେଷଜ୍ଞମାନେ ଯେଉଁସବୁ ସୁପାରିଶ କରିବେ, ସେସବୁକୁ ଏକତ୍ର କରି ଏକ ସୁଶୋଭନୀୟ ସଂକଳନ ପ୍ରକାଶ କରାଯିବା ସହିତ ଏହାକୁ ରାଜ୍ୟ ସରକାର ଏବଂ ଅନ୍ୟାନ୍ୟ ଅନୁଷ୍ଠାନମାନଙ୍କ ନିକଟରେ ଉପସ୍ଥାପନ କରାଯିବ ବୋଲି ୟୁସିସିଆଇଏଲ୍ର ସଭାପତି ଡକ୍ଟର ପ୍ରବୋଧ କୁମାର ମହାନ୍ତି ଏବଂ ଆୟୋଜକ ମାରୁତି ମିଡିଆର ନିର୍ଦ୍ଦେଶକ ମନୋଜ ପୃଷ୍ଟି ତଥା ଅନ୍ୟାନ୍ୟ କର୍ମକର୍ତ୍ତମାନେ ୟୁସିସିଆଇଏଲ୍ ପରିସରରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି । ସାମ୍ବାଦିକ ସମ୍ମିଳନୀରେ ୟୁସିସିଆଇଏଲ୍ ର ଉପସଭାପତି ମୁରଲୀ ଜାମୁଲା, ଯୁଗ୍ମ ସମ୍ପାଦକ ସନ୍ତୋଷ ଅଗ୍ରୱାଲ ଏବଂ କୋଷାଧ୍ୟକ୍ଷ ନାରାୟଣ କୁମାର ପ୍ରମୁଖ ଜାତୀୟ ସମ୍ମିଳନୀର ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ସୂଚନା ଦେଇଥିଲେ।
ସୂଚନାଯୋଗ୍ୟ ଯେ, ଏହାପୂର୍ବରୁ ଗତ ମାର୍ଚ୍ଚ ମାସରେ ମାରୁତି ମିଡିଆ ପକ୍ଷରୁ ଭୁବନେଶ୍ୱରରେ ଦୁଇଦିନିଆ ରାଜ୍ୟସ୍ତରୀୟ କୃଷି ଉଦ୍ୟୋଗୀ ସମ୍ମିଳନୀ ‘ଫାର୍ମିଂ ଇନ୍ ଓଡ଼ିଶା’ ସଫଳତାର ସହିତ ଆୟୋଜିତ ହୋଇଥିଲା ।
Sign in
Sign in
Recover your password.
A password will be e-mailed to you.
Next Post