ଜିନ୍ଦଲ ଷ୍ଟିଲ-ଅନୁଗୁଳ ପ୍ଲାଣ୍ଟରେ ନୂଆ ବେସିକ୍ ଅକ୍ସିଜେନ ଫର୍ନେସର ଶୁଭାରମ୍ଭ, ବାର୍ଷିକ ଉତ୍ପାଦନ କ୍ଷମତା ୯ ମିଲିୟନ ଟନକୁ ବୃଦ୍ଧି

0 2

ଅନୁଗୁଳ, ୩୦/୦୫: ବିଶିଷ୍ଟ ଶିଳ୍ପପତି ଶ୍ରୀ ନବୀନ ଜିନ୍ଦଲଙ୍କ ନେତୃତ୍ୱରେ ପରିଚାଳିତ ଜିନ୍ଦଲ ଷ୍ଟିଲର ଅନୁଗୁଳ ସମନ୍ୱିତ ଷ୍ଟିଲ ପ୍ଲାଣ୍ଟରେ ୨୫୦ ମେଟ୍ରିକ ଟନ କ୍ଷମତାବିଶିଷ୍ଟ ବେସିକ ଅକ୍ସିଜେନ ଫର୍ନେସ କନଭର୍ଟରର ଶୁଭାରମ୍ଭ ହୋଇଛି। ଏହା ଦ୍ୱାରା କମ୍ପାନିର ଷ୍ଟିଲ ଉତ୍ପାଦନ କ୍ଷମତା ବାର୍ଷିକ ୩ ମିଲିୟନ ଟନ୍ ବୃଦ୍ଧି ପାଇଛି। ବର୍ତ୍ତମାନ ଅନୁଗୁଳ ଷ୍ଟିଲ ପ୍ଲାଣ୍ଟର ଉତ୍ପାଦନ କ୍ଷମତା ବାର୍ଷିକ ୬ ମିଲିୟନ ଟନରୁ ୯ ମିଲିୟନ ଟନକୁ ବୃଦ୍ଧି ପାଇଛି। ଏହି ଉପଲବ୍ଧି ସହ ଚଳିତ ଆର୍ଥିକ ବର୍ଷରେ ବାର୍ଷିକ ଉତ୍ପାଦନ ଲକ୍ଷ୍ୟ ୧୨ ମିଲିୟନ ଟନର ଆହୁରି ନିକଟତର ହୋଇଛି।
ବ୍ଲାଷ୍ଟ ଫର୍ନେସ- ୨ ଏବଂ ନୂଆ ବିଓଏଫ୍ କନଭର୍ଟରର ଏକତ୍ର ଶୁଭାରମ୍ଭ ହେବା ଇସ୍ପାତ କ୍ଷେତ୍ରରେ ଭାରତର ଆତ୍ମନିର୍ଭରଶୀଳତା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ। ଏହି ସମ୍ପ୍ରସାରଣ ଦ୍ୱାରା ଉପଭୋକ୍ତା ଇସ୍ପାତ ଉତ୍ପାଦ ପ୍ରସ୍ତୁତି କରୁଥିବା ପ୍ଲାଣ୍ଟଗୁଡ଼ିକ ପାଇଁ ଅବାଧ ଇସ୍ପାତ ଉପଲବ୍ଧି ସୁନିଶ୍ଚିତ ହେବ। ଭିତ୍ତିଭୂମି ନିର୍ମାଣ, ଶକ୍ତି ଉତ୍ପାଦନ, ଅଟୋମୋବାଇଲ, ତୈଳ ଏବଂ ଗ୍ୟାସ ଓ ରିୟଲ ଇଷ୍ଟେଟ କ୍ଷେତ୍ର ପାଇଁ ଉଚ୍ଚମାନର ତଥା ସ୍ୱଦେଶୀ ଇସ୍ପାତ ଉପଲବ୍ଧ ହୋଇପାରିବ।
ଜିନ୍ଦଲ ଷ୍ଟିଲର ଅଧ୍ୟକ୍ଷ ଶ୍ରୀ ନବୀନ ଜିନ୍ଦଲ ଏହି ଅବସରରେ ଖୁସି ପ୍ରକାଶ କରିବା ସହ କହିଛନ୍ତି, “ନୂଆ ବେସିକ ଅକ୍ସେଜନ ଫର୍ନେସ ବର୍ତ୍ତମାନ କାର୍ଯ୍ୟକ୍ଷମ ଏବଂ ସଫଳତାର ସହ ପ୍ରଥମ ହିଟ୍ ଟ୍ୟାପ୍ କରାଯାଇଛି। ଏହା ସହିତ ଅନୁଗୁଳ ପ୍ଲାଣ୍ଟର ଉତ୍ପାଦନ କ୍ଷମତାକୁ ନୂଆ ଶକ୍ତି ମିଳିଛି। ଆମେ ଆତ୍ମନିର୍ଭର ଭାରତର ସ୍ୱପ୍ନକୁ ସାକାର କରିବା ରାସ୍ତାରେ ଅଗ୍ରସର ହୋଇଛୁ।”

Leave A Reply

Your email address will not be published.