ଅବହେଳିତ ଅବସ୍ଥାରେ ଭଞ୍ଜନଗର ମତ୍ସ୍ୟ ଜାଆଁଳା ଉତ୍ପାଦନ କେନ୍ଦ୍ର

4


ଭଞ୍ଜନଗର ରୁ { ଉଦୟନାଥ ପଣ୍ଡା }: ରାଜ୍ୟରେ ମତ୍ସ୍ୟ ଚାଷୀ ସଂଖ୍ୟା ବୃଦ୍ଧି ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଅନେକ ଯୋଜନା କରିଛନ୍ତି। ଏହାଦ୍ବାରା ଅନେକ ଚାଷୀ ସରକାରଙ୍କଠାରୁ କୋଟି କୋଟି ଟଙ୍କାର ସବସିଡି ନେଇ ଲାଭବାନ ହେବାସହ ବ୍ୟବସାୟକୁ ଆଗକୁ ନେଉଛନ୍ତି। ଆଉ କିଛି ଚାଷୀ ଏଥିରେ ବିଫଳ ମଧ୍ୟ ହୁଅନ୍ତି। କିନ୍ତୁ ସରକାର ଅଧିନରେ ଥିବା ସଂସ୍ଥା ଗୁଡ଼ିକର ଉନ୍ନତୀ କିଭଳି ହେବ ?ସେଥିପ୍ରତି ରାଜ୍ୟ ସରକାର ବିଶେଷ ଦୃଷ୍ଟି ଦେଉ ନ ଥିବା ଅଭିଯୋଗ ହୋଇଛି ଅନେକ ଜନସାଧାରଣ ଙ୍କ ଦ୍ଵାରା । ଯାହାର ଉଦାହରଣ ପାଲଟିଛି ଗଞ୍ଜାମ ଜିଲା ଭଞ୍ଜନଗର ମତ୍ସ୍ୟ ଜାଆଁଳ ଉତ୍ପାଦନ କେନ୍ଦ୍ର ।

୧୯୮୪ ମସିହାରେ ସୋମନାଥ ରଥ ମନ୍ତ୍ରୀ ଥିବା ସମୟରେ ଭଞ୍ଜନଗର ମତ୍ସ୍ୟ ଜାଆଁଳ ଉତ୍ପାଦନ କେନ୍ଦ୍ର ନିର୍ମାଣ ହୋଇଥିଲା। ୪୨ ହେକ୍ଟର ଜମିରେ ଉକ୍ତ କେନ୍ଦ୍ର ନିର୍ମାଣ ହୋଇଛି। ସେଥିରେ ୬୨ଟି ପୋଖରୀ ଅଛି। କିନ୍ତୁ ବହୁବର୍ଷ ହେବ ପୋଖରୀ ଗୁଡ଼ିକର ପୁନରୁଦ୍ଧାର ହୋଇନାହିଁ। ସେଥିମଧ୍ୟରୁ ୧୫ଟି ପୋଖରୀ ପାଣି ଅଭାବ ଯୋଗୁ ସେଠି ମାଛ ଚାଷ ହେବାକୁ ନାହିଁ। କେନ୍ଦ୍ରର ଚାରିପଟେ ପାଚେରି ନାହିଁ। ଜଣେ ମଧ୍ୟ ନିୟମିତ କର୍ମଚାରୀ ନାହାନ୍ତି। ଲାଇଟ ଠିକ ଭାବେ ଜଳୁନାହି। ୪୦ଟି ସୋଲାର ଲାଇଟ ଲାଗିଥିବା ବେଳେ ତାହା ବର୍ଷ ବର୍ଷ ଧରି ଅଚଳ ହୋଇ ପଡ଼ିରହିଛି। ତେଣୁ ଲୋକେ ରାତିରେ ଅବାଧରେ ପୋଖରୀ ଭିତରେ ପଶି ମାଛ ଚୋରି କରି ନେଉଛନ୍ତି। ଏଥିସହ ଅନେକ ସମୟରେ ଅସାମାଜିକ ଯୁବକଙ୍କ ଭିଡ ସେଠି ଜମୁଛି। ବର୍ତ୍ତମାନ ୩ ଜଣ ଅଫିସର ଡେପୁଟେଶନରେ ଆସି କେନ୍ଦ୍ର ପରିଚାଳନା କରୁଛନ୍ତି। ୧୬ ଜଣ କର୍ମଚାରୀ ଏଠାରୁ ଅବସର ନେଇ ଏଠାରେ ହିଁ ଦିନ ମଜୁରିଆ ଭାବେ କାମ କରୁଛନ୍ତି। ନୂତନ ନିଯୁକ୍ତି ପ୍ରତି ଧ୍ୟାନ ଦିଆଯାଉନାହିଁ। ସିକୁରିଟି ଗାର୍ଡ ବ୍ୟବସ୍ଥା ନାହିଁ। ବିଗତ ସରକାର ସମୟରେ ଅନେକ ଥର ମନ୍ତ୍ରୀ, ସଚିବ, ନିର୍ଦ୍ଦେଶକ ଉକ୍ତ କେନ୍ଦ୍ର ପରିଦର୍ଶନରେ ଆସିଛନ୍ତି। କିନ୍ତୁ ସମସ୍ୟାର ସମାଧାନ ପ୍ରତି ଦୃଷ୍ଟି ଦେଇନାହାନ୍ତି । ବର୍ତ୍ତମାନ ଏହି ବିଭାଗର ମନ୍ତ୍ରୀ ହେଉଛନ୍ତି ପଡୋଶୀ ପୋଲସରା ନିର୍ବାଚନମଣ୍ଡଳୀର ବିଧାୟକ ଗୋକୁଳାନନ୍ଦ ମଲ୍ଲିକ।

ସେ ଭଞ୍ଜନଗର ଇତିମଧ୍ୟରେ ଏକାଧିକ ଥର ଆସିଛନ୍ତି ସରକାରୀ କାର୍ଯ୍ୟରେ। କିନ୍ତୁ ରାଜ୍ୟର ଏତେ ବଡ ଜାଆଁଳ ଉତ୍ପାଦନ କେନ୍ଦ୍ର ପରିଦର୍ଶନ କରିବାକୁ ଯାଇନାହାନ୍ତି। ଇତିମଧ୍ୟରେ ଏହି କେନ୍ଦ୍ରକୁ ଗତ ମାର୍ଚ୍ଚ ମାସ ସୁଦ୍ଧା ୩୫ କୋଟି ଗୁଣ୍ଡ ଜାଆଁଳ ଉତ୍ପାଦନ କରି ବିକ୍ରି କରିବା ଲକ୍ଷ୍ୟ ଦିଆ ଯାଇଥିଲା। ତାହାକୁ ପୂରଣ କରାଯାଇଛି । ବର୍ତ୍ତମାନ ୮ କୋଟି ଫିଙ୍ଗର ଜାଆଁଳ ବିକ୍ରି ଲକ୍ଷ୍ୟ ଦିଆଯାଇଛି। ଆଜି ସୁଦ୍ଧା ମାତ୍ର ୧ କୋଟି ବିକ୍ରି ହୋଇଛି। ବଳକା ଜାଆଁଳ ନଭେମ୍ବର ସୁଦ୍ଧା ବିକ୍ରି ଲକ୍ଷ୍ୟ ଦିଆଯାଇଛି। କିନ୍ତୁ ପାଣିପାଗ ଏବଂ ଭିତ୍ତିଭୂମି ଅଭାବ ଯୋଗୁ ଲକ୍ଷ୍ୟ ପୂରଣ ହେଲାଭଳି ଦେଖାଯାଉନାହିଁ। ତେଣୁ ସରକାର ଉକ୍ତ ଜାଆଁଳ କେନ୍ଦ୍ରର ବିକାଶ ପ୍ରତି ଦୃଷ୍ଟି ଦେବାପାଇଁ ସାଧାରଣରେ ଦାବୀ ହୋଇଛି। ଏଥିସହ ସ୍ଥାନୀୟ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ଛକରେ ଜାଆଁଳ କେନ୍ଦ୍ରର ଆଉ ଏକ ଶାଖା ଅଛି। କିନ୍ତୁ ତାହା ଆଜକୁ ୨୦ ବର୍ଷ ହେବ ବନ୍ଦ ଅଛି। କୋଟି କୋଟି ଟଙ୍କାର ମୂଲ୍ୟବାନ ଜମିକୁ ସରକାର ଉପଯୁକ୍ତ ବ୍ୟବହାର କରି ପାରୁନାହାନ୍ତି । ଯାହାକି ଚିନ୍ତାଜନକ ବିଷୟ।
ଏନେଇ କେନ୍ଦ୍ରର ପରିଚାଳକଙ୍କ ସହ ଯୋଗାଯୋଗ କରାଯାଇଥିଲା ସେ ପ୍ରକାରାନ୍ତରେ ଦର୍ଶାଇଛନ୍ତି ଯେ , ଉକ୍ତ ବିଷୟ ସମ୍ପର୍କରେ ସରକାରଙ୍କୁ ଅବଗତ କରାଯାଇଛି। ସରକାର ଯାହା ପଦକ୍ଷେପ ନେବେ।

Leave A Reply

Your email address will not be published.