ଅଧିକ ଯୌତୁକ ଦାବିରେ ସ୍ତ୍ରୀକୁ ମରଣାନ୍ତକ ଆକ୍ରମଣ କରି ସ୍ବାମୀ ଜେଲଗଲା

4

ଓଡ଼ଗାଁ,୫।୮(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନା ବାହାଡାଝୋଲା ଫାଣ୍ଡି ଶିଙ୍ଗାରପଲ୍ଲୀ ପଞ୍ଚାୟତ ଓଡକପା ଗାଆଁରେ ଶଶୁର ଘରୁ ଅଧିକ ଯୌତୁକ ଦାବି କରି ସ୍ତ୍ରୀକୁ ମରଣାନ୍ତକ ଆକ୍ରମଣ ଅଭିଯୋଗରେ ସ୍ବାମୀ ଜଗବନ୍ଧୁ ପ୍ରଧାନକୁ ଓଡ଼ଗାଁ ପୋଲିସ ଆଜି ଗିରଫ କରି କୋର୍ଟ ଚାଲାଣ କରିଥିଲେ । ଜାମିନ ଖାରଜ ହେବାରୁ ଅଭିଯୁକ୍ତକୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି । ଅଭିଯୁକ୍ତ ସ୍ବାମୀ ଜଗବନ୍ଧୁ ପ୍ରଧାନର ସ୍ତ୍ରୀ ରାଣୀ ବାରିକ(୨୦)ଙ୍କୁ ଗୁରୁତର ଅବସ୍ଥାରେ ଓଡ଼ଗାଁ ଡାକ୍ତରଖାନାକୁ ଅଣାଯାଇଥିଲା । ଚିକିତ୍ସା ପରେ ହାତିଆଶିଳା ଗ୍ରାମର ବାପଘରଲୋକେ ଆସି ରାଣୀକୁ ଘରକୁ ନେଇଯାଇଛନ୍ତି । ପିଡ଼ିତା ରାଣୀ ବାରିକଙ୍କ ଅଭିଯୋଗ ଅନୁସାରେ ସୋମବାର ଦିନ ଅପରାହ୍ନରେ ସ୍ବାମୀ ଜଗବନ୍ଧୁ ଅଧିକ ଯୌତୁକ ଆଣିବାକୁ କହିଥିଲେ । ଏଥିରେ ମୁଁ ରାଜି ନହେବାରୁ ସ୍ବାମୀ ଜଗବନ୍ଧୁ ମୋତେ ବାଡିଆପିଟା କରିବା ସହିତ ତଣ୍ଟିଚିପି ମାରିଦେବାକୁ ଉଦ୍ୟମ କରିଥିଲେ । ଏବଂ ଫୋନ୍ କରି ଝିଅକୁ ଆସି ନେଇଯାଅ । ଅନ୍ୟଥା ତାକୁ ମାରିଦେବି ବୋଲି ଶଶୁରଘରକୁ ସ୍ବାମୀ କହିଥିଲେ । ଖବରପାଇ ବାପଘର ଲୋକେ ପହଁଞ୍ଚି ମୁମୁର୍ଶୁ ଅବସ୍ଥାରେ ଉଦ୍ଧାର କରି ଚିକିତ୍ସା ପାଇଁ ଡାକ୍ତରଖାନାକୁ ଆଣିଥିଲେ । ଏନେଇ ରାଣୀ ଓଡ଼ଗାଁ ଥାନାରେ ସୋମବାର ଅଭିଯୋଗ କରିଥିଲେ । ଓଡ଼ଗାଁ ପୋଲିସ ୨୩୨/୨୦୨୫ ରେ ଏକ ମାମଲା ରୁଜୁ କରି ଆଇଆଇସି ଅଭୟ ବେହେରାଙ୍କ ନିଷ୍ପତ୍ତି କ୍ରମେ ସବ ଇନ୍ସପେକ୍ଟର ଚକ୍ରଧର ସିଂ ତଦନ୍ତ ଅଫିସର ଭାବେ ଘଟଣା ସ୍ଥଳରେ ପହଁଚି ଡାକ୍ତରୀ ରିପୋର୍ଟ, ପାରିପାର୍ଶିକ ଘଟଣାର ଅନୁଧ୍ୟାନ, ସାଖିମାନଙ୍କ ବୟାନ ରେକର୍ଡ କରିଥିଲେ । ଏବଂ ଆଜି ଅଭିଯୁକ୍ତକୁ କୋର୍ଟ ଚାଲାଣ କରିଥିଲେ । ସୂଚନା ଥାଉକି ମାତ୍ର ୧ ବର୍ଷ ୨ ମାସ ପୂର୍ବେ ହିନ୍ଦୁ ବୈଦିକ ରିତି ମତେ ଉଭୟଙ୍କର ବିହାଘର ହୋଇଥିଲା ।

Leave A Reply

Your email address will not be published.