ଓଡ଼ଗାଁ, ୧୦।୬(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଳକ କୁରାଳ ପଞ୍ଚାୟତର ଦଣ୍ଡୋର ଆରୋଗ୍ୟ କେନ୍ଦ୍ରକୁ କେହି ସ୍ବାସ୍ଥ୍ୟକର୍ମୀ ଆସୁନଥିବାରୁ ତାହା ଏକରକମ ଅକାମୀ ଅବସ୍ଥାରେ ପଡ଼ିରହିଛି । ଏପରିକି ୪୦ ଲକ୍ଷ ଟଙ୍କା ବ୍ୟୟରେ ନିର୍ମାଣ ହୋଇଥିବା ସ୍ବାସ୍ଥ୍ୟ କେନ୍ଦ୍ରଟି ଗଛଲତାରେ ସମ୍ପୁର୍ଣ୍ଣ ଆଚ୍ଛାଦିତ ହୋଇଯାଇଛି । ସ୍ବାସ୍ଥ୍ୟକେନ୍ଦ୍ର ଓ କର୍ମଚାରୀଙ୍କ ବାସଗୃହରେ ମଧ୍ୟ ଘାସଲତା ମାଡ଼ିଗଲାଣି । ଏହାକୁ ସମ୍ପୁର୍ଣ୍ଣ କାର୍ଯ୍ୟକ୍ଷମ କରିବା ପାଇଁ ଗ୍ରାମବାସୀଙ୍କ ତରଫରୁ ଗତ ଏପ୍ରିଲ ମାସରେ ନୟାଗଡ଼ ବିଧାୟକଙ୍କ ନିକଟରେ ଅଭିଯୋଗ ହୋଇଥିଲା । ବିଧାୟକ ଡ. ଅରୁଣ କୁମାର ସାହୁ ଏନେଇ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କର ଦୃଷ୍ଟି ଆକର୍ଷଣ କରିଥିଲେ । ଦଣ୍ଡୋର ଆରୋଗ୍ୟ କେନ୍ଦ୍ରରେ କର୍ମଚାରୀଙ୍କ ବାସଗୃହ ରହିଛି । କର୍ମଚାରୀମାନେ ବାସଗୃହରେ ରହିଲେ ସ୍ଥାନୀୟ ଦଣ୍ଡୋର, ଲିଙ୍ଗରାଜ ପ୍ରସାଦ, ନବରତ୍ନପୁର, ନୋତରପଲ୍ଲୀ ଗାଁର ଗର୍ଭବତୀ ଓ ପ୍ରସ୍ତୁତି ମହିଳା ମାନେ ଉପକୃତ ହୋଇପାରିବେ। ଏବଂ ଆବଶ୍ୟକ ନଥିଲେ ଗାଡିଘୋଡା କରି ସେମାନଙ୍କୁ ଆଉ ଓଡ଼ଗାଁ ଆସିବାକୁ ପଡ଼ିବ ନାହିଁ । ତେବେ ଅଭିଯୋଗ ପରେ କୈାଣସି ସୁଫଳ ନମିଳିବାରୁ ଗ୍ରାମବାସୀଙ୍କ ତରଫରୁ ସାଂସଦ ସମ୍ୱିତ ପାତ୍ରଙ୍କ ନିକଟରେ ପୁଣି ଅଭିଯୋଗ କରାଯାଇଥିଲା । ଜଣେ କମ୍ୟୁନିଟ ହେଲଥ ଅଫିସର ଅଥବା ଜଣେ ଆୟୁସ ଡାକ୍ତରଙ୍କ ସହିତ ଅନ୍ୟାନ୍ୟ କର୍ମଚାରୀ ନିଯୁକ୍ତି କରିବା ପାଇଁ ଦାବି କରିଥିଲେ । ତାହାର ଏକ ନକଲ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗକୁ ପ୍ରଦାନ କରାଯାଇଥିଲା । ଏବଂ ଶେଷରେ ଓଡ଼ଗାଁ ବ୍ଳକରେ ଗତ ୨୭ ତାରିଖରେ ଅନୁଷ୍ଠିତ ଜନଶୁଣାଣୀ ଶିବିରେ ଗ୍ରାମବାସୀଙ୍କ ତରଫରୁ ଜିଲ୍ଲାପାଳଙ୍କ ନିକଟରେ ଅନୁରୁପଭାବେ ଅଭିଯୋଗ ହୋଇଥିଲା । ତେବେ ଏପର୍ଯ୍ୟନ୍ତ ଆରୋଗ୍ୟ କେନ୍ଦ୍ରକୁ ବିଦ୍ୟୁତ୍ ସଂଯୋଗ ହୋଇପାରି ନଥିବାରୁ ଆରୋଗ୍ୟ କେନ୍ଦ୍ର ପୂର୍ଣ୍ଣ କ୍ଷମ ହେବାରେ ବିଳମ୍ୱ ଘଟିଛି । ଆସନ୍ତା ୧୦ ତାରିଖ ମଧ୍ୟରେ ବିଦ୍ୟୁତ୍ ସଂଯୋଗ ସ୍ବାଭାବିକ କରିବା ସହିତ ୧୫ ତାରିଖ ସୁଦ୍ଧା ସେଠାରେ କମ୍ୟୁନିଟ ହେଲଥ ଓ୍ବାର୍କର ହୁଅନ୍ତୁ କିମ୍ବା ଆୟୁଷ ଡାକ୍ତର ଯୋଗାଇଦେବା ନିମନ୍ତେ ବ୍ୟବସ୍ଥା କରାଯାଉଛି ବୋଲି ଶରଣକୁଳ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଦାଇତ୍ୱରେ ଥିବା ଅଧିକାରୀ ଡା. ତାପସ ରଞ୍ଜନ ସେନାପତି କହିଛନ୍ତି ।
Sign in
Sign in
Recover your password.
A password will be e-mailed to you.