ଭୁବନେଶ୍ବର, ୨୭।୪ : ଉଚ୍ଚାଙ୍ଗ ସାହିତ୍ୟ ପତ୍ରିକା ‘ଗୋପବନ୍ଧୁଙ୍କ ସତ୍ୟବାଦୀ’ର ନବମ ବାର୍ଷିକ ସମାରୋହ ଭୁବନେଶ୍ବର ଉତ୍କଳ ବିଶ୍ବବିଦ୍ୟାଳୟ ପରିସରସ୍ଥ ମହାରାଜା କୃଷ୍ଣଚନ୍ଦ୍ର ଗଜପତି ପ୍ରେକ୍ଷାଳୟରେ ରବିବାର ଅପରାହ୍ଣରେ ଅନୁଷ୍ଠିତ ହୋଇଯାଇଛି।
ଲୋକସେବକ ମଣ୍ଡଳର ସଭାପତି ଶ୍ରୀ ରାଜକୁମାରଙ୍କ ସଭାପତିତ୍ବରେ ଅନୁଷ୍ଠିତ ସମାରୋହରେ ମୁଖ୍ୟ ଅତିଥିଭାବେ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି, ଉଚ୍ଚ ଶିକ୍ଷା ଓ କ୍ରୀଡ଼ା, ଯୁବ ବ୍ୟାପାର ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ, ମୁଖ୍ୟବକ୍ତା ଲବ୍ଧପ୍ରତିଷ୍ଠ ସାହିତ୍ୟିକ ତଥା ପୂର୍ବତନ ମୁଖ୍ୟ ଶାସନ ସଚିବ ତରୁଣକାନ୍ତି ମିଶ୍ର ଏବଂ ସମ୍ମାନିତ ଅତିଥିଭାବେ ଉତ୍କଳ ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର ସବିତା ଆଚାର୍ଯ୍ୟ ଯୋଗଦେଇ ଉତ୍କଳମଣିଙ୍କ ପ୍ରତିଷ୍ଠିତ ଦୈନିକ ‘ସମାଜ’ର ବିଶ୍ବସନୀୟତା ଓ ‘ଗୋପବନ୍ଧୁଙ୍କ ସତ୍ୟବାଦୀ’ର ଓଡ଼ିଆ ସାହିତ୍ୟ ଜଗତକୁ ଅନବଦ୍ୟ ଅବଦାନ ସମ୍ପର୍କରେ ଆଲୋକପାତ କରିଥିଲେ। ‘ଗୋପବନ୍ଧୁଙ୍କ ସତ୍ୟବାଦୀ’ର ସମ୍ପାଦକ ତଥା ‘ସମାଜ’ର ମୁଦ୍ରାକର ଓ ପ୍ରକାଶକ ଡ. ପ୍ରଭାସ ଆଚାର୍ଯ୍ୟ ସ୍ବାଗତ ଭାଷଣରେ ପତ୍ରିକାର ସଂଘର୍ଷପୂର୍ଣ୍ଣ ଯାତ୍ରା ଓ ସଫଳତା ସମ୍ପର୍କରେ ଆଲୋକପାତ କରିଥିଲେ। ଲୋକସେବକ ମଣ୍ଡଳର ଆଜୀବନ ସଦସ୍ୟ ନିରଞ୍ଜନ ରଥ ଓ ରାଜେନ୍ଦ୍ର ଜେନା ମଞ୍ଚାସୀନ ଥିଲେ। ‘ସମାଜ’ର ସମ୍ପାଦକ ତଥା କାର୍ଯ୍ୟବାହୀ ମୁଖ୍ୟ ପରିଚାଳକ ତପନ କୁମାର ମିଶ୍ର ଓ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ।
ଏହି ଅବସରରେ ସତ୍ୟବାଦୀ ସାରସ୍ବତ ସମ୍ମାନ-୨୦୨୪ ଲବ୍ଧପ୍ରତିଷ୍ଠ ସାରସ୍ବତ ସାଧକ ତରୁଣକାନ୍ତି ମିଶ୍ରଙ୍କୁ ପ୍ରଦାନ କରାଯାଇଥିଲା। ସେହିପରି ସତ୍ୟବାଦୀ ସାହିତ୍ୟ ସମ୍ମାନ-୨୦୨୪ ଡ. ବାବାଜୀ ଚରଣ ପଟ୍ଟନାୟକ(ପ୍ରବନ୍ଧ), ମମତା ଦାଶ(କବିତା), ପ୍ରଫେସର ଶରତ ଚନ୍ଦ୍ର ଶତପଥୀ(ଗଳ୍ପ), ଡ. ନାରାୟଣ ଚନ୍ଦ୍ର ଶତପଥୀ (ଗଳ୍ପ), ଡ. ରମେଶ ପତ୍ରୀ(ଶିଶୁ ଗଳ୍ପ), ହରିହର ଶୁକ୍ଳ(ଶିଶୁ କବିତା)ଙ୍କୁ ପ୍ରଦାନ କରାଯାଇଥିଲା। ସମାରୋହରେ ଶ୍ରେଷ୍ଠ ବିତରକ ସମ୍ମାନରେ ପ୍ରଶାନ୍ତ କୁମାର ନାୟକ, ରବୀନ୍ଦ୍ର କୁମାର ପାତ୍ର, ପୁଣ୍ୟଶ୍ଲୋକ ଦାସ ଓ ଶ୍ରେଷ୍ଠ ବିଜ୍ଞାପନଦାତା ସମ୍ମାନରେ ରବୀନ୍ଦ୍ର କୁମାର ପାତ୍ର, ପତିତପାବନ ଭଦ୍ର, ବିଜୟ କୁମାର ମହାରଣାଙ୍କୁ ସମ୍ମାନିତ କରାଯାଇଥିଲା। ଉତ୍ସବରେ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ସାରସ୍ବତ ସ୍ରଷ୍ଟା, ବିଶିଷ୍ଟ ବ୍ୟକ୍ତିବିଶେଷ, ବୁଦ୍ଧିଜୀବୀ ଯୋଗ ଦେଇଥିଲେ।
Sign in
Sign in
Recover your password.
A password will be e-mailed to you.