ଭୁବନେଶ୍ୱର, ଏପ୍ରିଲ୍ ୨୫: ଜଟିଳ ଜନ୍ମଗତ ତୃଟି ନେଇ ନିର୍ଦ୍ଧାରିତ ସମୟ ପୂର୍ବରୁ ଜନ୍ମ ଗ୍ରହଣ କରିଥିବା ମାତ୍ର ଦେଢ଼ କେଜି ଓଜନର ଏକ ଶିଶୁର ଉଚ୍ଚକୋଟୀର ଚିକିତ୍ସା ଦ୍ୱାରା ଜୀବନ ରକ୍ଷା କରିବାରେ ସଫଳ ହୋଇଛନ୍ତି ସମ୍ ଅଲ୍ଟିମେଟ ମେଡିକେୟାର (ସମ୍ମମ୍)ର ଡାକ୍ତରୀ ଟିମ୍।
ଗର୍ଭଧାରଣର ମାତ୍ର ୩୩ ସପ୍ତାହରେ ଜନ୍ମ ଗ୍ରହଣ କରିଥିବା ଏହି ଶିଶୁଟିର ବିରଳ ସମସ୍ୟା ଯାହାକୁ ‘ପାଇରେ ରୋବିନ୍ ସିକ୍ୱେନ୍ସ’ କୁହାଯାଏ ସେଥିରେ ପୀଡ଼ିତ ଥିବାର ଜଣାପଡ଼ିଥିଲା। ଏହି ସମସ୍ୟା ଜନ୍ମଗ୍ରହଣ କରୁଥିବା ୧୪ ହଜାର ଶିଶୁଙ୍କ ମଧ୍ୟରୁ ଜଣକ ଠାରେ ଦେଖାଯାଇଥାଏ।
ଶିଶୁଟିର ତଳପାଟି ଖୁବ୍ ଛୋଟ ରହିଥିବା ବେଳେ ଜିଭଟି ମଧ୍ୟ ଠିକ୍ ସ୍ଥାନରେ ରହି ନଥିଲା। ଯାହା ଦ୍ୱାରା ତାର ନିଃଶ୍ୱାସ ନେବାରେ ଅସୁବିଧା ହେବା ସହ ତା’ର ଜୀବନ ପ୍ରତି ବିପଦ ଥିଲା। ଏହା ଛଡ଼ା ଶିଶୁର ତାଳୁ ବିଭକ୍ତ ଥିବାରୁ ସେ ଠିକ୍ ଭାବେ ଖାଦ୍ୟ ଗ୍ରହଣ କରିବା ସମ୍ଭବ ହେଉ ନଥିଲା।
ଶିଶୁର ପାଟି ଖୁବ୍ ଛୋଟ ଥିବାରୁ ଇନ୍ଟ୍ୟୁବେସନ୍ କିମ୍ବା ଭେଂଟିଲେସନ୍ କରିବା ସମ୍ଭବ ନଥିଲା। ତେଣୁ ଡାକ୍ତରମାନେ ଓଡ଼ିଶାରେ ପ୍ରଥମ ଥର ପାଇଁ ଶିଶୁଟିର ଜୀବନ ବଂଚାଇବା ପାଇଁ ଏକ ନୂତନ ପ୍ରକ୍ରିୟା ଆପଣାଇଥିଲେ। ଏକ ଟ୍ରାକିଓଟୋମି ମାଧ୍ୟମରେ ତଂଟିରେ ଛୋଟ କଣା ମାଧ୍ୟମରେ ଟ୍ୟୁବ୍ ଭର୍ତି କରାଯାଇଥିଲା ଯାହା ଦ୍ୱାରା କି ଶିଶୁଟି ନିଃଶ୍ୱାସ ନେବା ସମ୍ଭବ ହୋଇପାରିଥିଲା।
ସବୁଠାରୁ ଛୋଟ ଟ୍ରାକିଓଟୋମି ଟ୍ୟୁବ୍ (୨.୫ ମିମି) ଉପଲବ୍ଧ ଥିବା ବେଳେ ଏହା ଶିଶୁର ଶରୀରରେ ବ୍ୟବହାର କରିବା ସମ୍ଭବ ହୋଇନଥିଲା। ତେବେ ଏଭଳି ଜଟିଳ ପରିସ୍ଥିତିରେ ଡାକ୍ତରୀ ଟିମ୍ ଟ୍ରାକିଆଲ ପୋର୍ଟ ମାଧ୍ୟମରେ ରେଟ୍ରୋଗ୍ରେଡ୍ ଇନ୍ଟ୍ୟୁବେସନ୍ ପଦ୍ଧତିରେ ଶିଶୁକୁ ନିଃଶ୍ୱାସ ନେବାକୁ ସାହାଯ୍ୟ କରିଥିଲେ ବୋଲି ଅସ୍ତ୍ରୋପଚାରର ଲିଡ୍ ସର୍ଜନ୍ ତଥା ସମ୍ମମ୍ର ଇଏନ୍ଟି ଆଣ୍ଡ ସ୍କଲ ବେସ୍ ସର୍ଜରୀ ବିଭାଗର ସିନିୟର କନ୍ସଲ୍ଟାଂଟ ଡାକ୍ତର ରାଧାମାଧବ ସାହୁ କହିଛନ୍ତି।
ବିରଳ ‘ଟ୍ରାକିଆଲ ସ୍ପ୍ଲିଟିଂ’ ପଦ୍ଧତି ଦ୍ୱାରା ଏହି ୨.୫ ମିମି ଟ୍ୟୁବ୍ଟି ସଫଳତାର ସହ ଶିଶୁର ଶରୀରରେ ଖଞ୍ଜା ଯାଇପାରିଥିଲା ଏବଂ ଏହା ଓଡ଼ିଶାରେ ପ୍ରଥମ ବୋଲି ଡାକ୍ତର ସାହୁ କହିଛନ୍ତି।
ଶିଶୁଟି କିଛି ଦିନ ଏନ୍ଆଇସିୟୁରେ ଚିକିତ୍ସିତ ହେବା ପରେ ସେ ଧୀରେ ଧୀରେ ସୁସ୍ଥ ହେବାରେ ଲାଗିଥିଲା। ଉପଯୁକ୍ତ ପୋଷଣ, ଏୟାରୱେ ମ୍ୟାନେଜମେଂଟ ସହିତ ଏନ୍ଆଇଭି ପ୍ରକ୍ରିୟା ଦ୍ୱାରା ଶିଶୁଟି ସୁସ୍ଥ ଲାଭ କରିଥିଲା। ସେ ବର୍ତମାନ ସାଢ଼େ ୩ ମାସର ହେଲାଣି। ତା’ର ଓଜନ ମଧ୍ୟ ବଢ଼ିଛି ଏବଂ ସେ ନିଜେ ନିଃଶ୍ୱାସ ନେବାରେ ସକ୍ଷମ ହୋଇପାରିଛି ବୋଲି କହିଛନ୍ତି ସମ୍ମମ୍ର ଶିଶୁ ଏବଂ ନବଜାତ ଶିଶୁରୋଗ ବିଭାଗର ଆସୋସିଏଟ୍ କନ୍ସଲ୍ଟାଂଟ ତଥା ଶିଶୁଟିକୁୁ ଚିକିତ୍ସା କରୁଥିବା ଡାକ୍ତର ହିମାଂଶୁ ଶେଖର ସାହୁ।
ସମ୍ମମ୍ର ଶିଶୁରୋଗ ଏବଂ ନବଜାତ ଶିଶୁରୋଗ ବିଭାଗର ମୁଖ୍ୟ ଡାକ୍ତର ପ୍ରଦୀପ କୁମାର ଦେ ଏହି ଶିଶୁର ଚିକିତ୍ସା ମେଡିକାଲ୍ ଟିମ୍ ପାଇଁ ଉଭୟ ଡାକ୍ତରୀ ଏବଂ ମାନସିକ ସ୍ତରରେ ବଡ଼ ଆହ୍ୱାନ ଥିଲା ବୋଲି କହିଛନ୍ତି। ହସ୍ପିଟାଲ୍ର ବିଭିନ୍ନ ବିଭାଗର ସମନ୍ୱୟ ଏବଂ ଏନ୍ଆଇସିୟୁର ଅତ୍ୟାଧୁନିକ ବ୍ୟବସ୍ଥା ଦ୍ୱାରା ଏହା ସମ୍ଭବ ହୋଇପାରିଲା ବୋଲି ସେ କହିଛନ୍ତି।
ଶିଶୁଟିର ସଫଳ ଚିକିତ୍ସା ସମ୍ମମ୍ର ଚିକିତ୍ସା ପଦ୍ଧତିରେ ନୂତନ ମାଇଲ ଖୁଂଟ ସୃଷ୍ଟି କରିବା ସହ ହସ୍ପିଟାଲ ପୂର୍ବ ଭାରତରେ ନବଜାତ ଶିଶୁରୋଗ ଚିକିତ୍ସାର ଏକ ଉତ୍କର୍ଷ କେନ୍ଦ୍ର ଭାବେ ପରିଗଣିତ ହୋଇପାରିଛି।
Sign in
Sign in
Recover your password.
A password will be e-mailed to you.
Next Post