କଳାହାଣ୍ଡି ଉତ୍ସବ ପୂର୍ବରୁ ମନ ମୋହିଲା ପଥୋତ୍ସବ

0 1

କଳା, ସଂସ୍କୃତି, କ୍ରୀଡ଼ା କୌଶଳରେ ମଜ୍ଜିଲେ ସହରବାସୀ: ଆଜି ଉଦଘାଟନ କାଲି ଉଦଯାପନୀ ଉତ୍ସବ

ଭବାନୀପାଟଣା:ରୋହିତ କୁମାର ନାଏକ (ଶାସକ ପ୍ରଶାସକ) କଳାହାଣ୍ଡିର କଳା, ସଂସ୍କୃତି, ଐତିହ୍ୟ, ପରମ୍ପରା ସହିତ କ୍ରୀଡ଼ା କୌଶଳର ମହା ମିଳନସ୍ଥଳୀ ପାଲଟିଥିଲା ସଡ଼କପଥ। ନାଚଗୀତ, ପ୍ରଥା, ପରମ୍ପରାର ନିଦର୍ଶନ ସହିତ ନିଜର ପ୍ରତିଭାର ପ୍ରଦର୍ଶନ ପାଇଁ ସମସ୍ତେ ଓହ୍ଲାଇ ଆସିଥିଲେ ରାଜରାସ୍ତାକୁ। ଭଳି କି ଭଳି ଦୃଶ୍ୟ ସମସ୍ତଙ୍କୁ ଅଭିଭୂତ କରି ପକାଉଥିଲା। ଶତାଧିକ ଛାତ୍ରଛାତ୍ରୀଙ୍କୁ ନେଇ ଚିତ୍ରକଳା ପ୍ରଦର୍ଶନୀ, ଜିଲ୍ଲା, ରାଜ୍ୟ ଓ ଦେଶର ବିଭିନ୍ନ ପ୍ରସଙ୍ଗକୁ ନେଇ ରଙ୍ଗୋଲି, ସ୍କୁଲ ଓ କଲେଜ ଛାତ୍ରଛାତ୍ରୀଙ୍କ ନୃତ୍ୟ କଳା ପ୍ରଦର୍ଶନ, ପଥପ୍ରାନ୍ତ ବିଜ୍ଞାନ ପ୍ରଦର୍ଶନୀ, ମହାକୁମ୍ଭ ମେଳାକୁ ନେଇ ଆକର୍ଷଣୀୟ ବାଲୁକା କଳା, କରାଟେ, ଟାଇକୋଣ୍ଡୋ, ଯୋଗ, କ୍ଷୁଦ୍ର ନାଟିକା, ଶାରୀରିକ କ୍ରୀଡ଼ା କୌଶଳ ସହିତ ବାଇକ ଷ୍ଟଣ୍ଟକୁ ଆଜି ଦିନତମାମ ଉପଭୋଗ କରିଥିଲେ ହଜାର ହଜାର ଲୋକେ। ଭବାନୀପାଟଣା ସହରର ଜେଲଛକରୁ ଷ୍ଟେଟବ୍ୟାଙ୍କ ଛକ ଯାଏଁ ଆଜି ଦେଖିବାକୁ ମିଳିଛି ଏଭଳି ନିଆରା ଦୃଶ୍ୟ। କେବଳ ପ୍ରତିଭାଗୀ, କଳାକାର କିମ୍ବା ସାଧାରଣ ଲୋକେ ନୁହଁନ୍ତି ଜନ ପ୍ରତିନିଧି, ପ୍ରଶାସନିକ ଅଧିକାରୀ ସମସ୍ତେ ଏହାକୁ ଉପଭୋଗ କରିବା ସହିତ ପଥୋତ୍ସବରେ ସାମିଲ ହୋଇଥିଲେ। ଲୋକସଭା ସାଂସଦ ମାଳବିକା ଦେବୀ, କଳାହାଣ୍ଡି ଜିଲ୍ଲାପାଳ ସଚିନ ପାୱାର ପ୍ରକାଶ, ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ତନ୍ମୟ ଦରୱାନ, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ବଇତୁରା ଦୀପ, ଜିଲ୍ଲା ପରିଷଦ ଉନ୍ନୟନ ଅଧିକାରୀ ଦୟାମୟ ପାଢ଼ୀ, ଭବାନୀପାଟଣା ଉପଜିଲ୍ଲାପାଳ ପ୍ରଭାତ କୁମାର ପରିଡ଼ା, ଜିଲ୍ଲା ସଂସ୍କୃତି ଅଧିକାରୀ ବିବେକାନନ୍ଦ ମହାନନ୍ଦ, ଜିଲ୍ଲା ଯୋଜନା ଉପ ନିର୍ଦ୍ଦେଶକ ଶ୍ରୀକାନ୍ତ ଦଳେଇ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ହଳଧର ନିଆଲ, ସହକାରୀ ଜିଲ୍ଲାପାଳ ମମତା ଦାସ ପ୍ରମୁଖ ଅତିଥି ଭାବେ ଯୋଗଦେଇ ସମସ୍ତ ପ୍ରତିଭାଗୀଙ୍କୁ ଉତ୍ସାହିତ କରିଥିଲେ। ପଥୋତ୍ସବ ଉପ କମିଟିର ଅଧ୍ୟକ୍ଷ ଡ. ଅଜୟ କୁମାର ମିଶ୍ରଙ୍କ ତତ୍ୱାବଧାନରେ କମିଟିର କର୍ମକର୍ତ୍ତା ସଞ୍ଜୟ କୁମାର, ମୁକୁନ୍ଦ ରେଡ୍ଡୀ, ବିରଞ୍ଚି ନାରାୟଣ ପଣ୍ଡା, ଶାନ୍ତନୁ ମୁଣ୍ଡ, ଶେଖ ମୁନାୱର, ଭବାନୀ ପଟ୍ଟନାୟକ, ଡ. ପଲ୍ଲୀଶ୍ରୀ ପଟ୍ଟନାୟକ, ଟି. ସୁଜାତା ଆଚାରୀ, ରୋହିତ ଦୁର୍ଗାଙ୍କ ସମେତ ଅନ୍ୟମାନେ ପରିଚାଳନାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବାବେଳେ ପୁଲିସ ଓ ଏନସିସି କ୍ୟାଡେଟ ଶାନ୍ତିଶୃଙ୍ଖଳା ରକ୍ଷା ଦାୟିତ୍ୱରେ ନିୟୋଜିତ ଥିଲେ।

Leave A Reply

Your email address will not be published.