ପ୍ରଶାସନର ଆନ୍ତରିକତା ଅଭାବ, ଅଭିଶପ୍ତ ଜୀଵନ କାଟୁଥିବା କହିଲେ ଦେରେଙ୍ଗ ଗ୍ରାମବାସୀ…

3

ଘୁ.ଉଦୟଗିରି(ଅବନୀ କୁମାର ପ୍ରଧାନ): ଓଡ଼ିଶାର ପ୍ରମୁଖ ଆଦିବାସୀ ଅଧ୍ୟୁଷିତ କନ୍ଧମାଳ ଜିଲ୍ଲା । ଏହି ଜିଲ୍ଲାର ପ୍ରଶାସନର ଦୃଷ୍ଟି ଆଢ଼ୁଆଳରେ ରହିଯାଇଛି ଅନେକ ଗାଁ । ଗାଁ ଗୁଡିକରେସ୍ଥାନୀୟ ପ୍ରଶାସନର ଦିନେ ବି ପାଦ ପଡିନ ଥିବା କହିଛନ୍ତି ଅଞ୍ଚଳ ବାସୀ । ପ୍ରଶାସନର ଅବହେଳା ଯୋଗୁଁ ବିଭିନ୍ନ ମୌଳିକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ଏଠିକାର ଗ୍ରାମବାସୀ । ସ୍ବାଧିନତାର ଦୀର୍ଘ ବର୍ଷ ପରେ ବି ଶିକ୍ଷା, ସ୍ବାସ୍ଥ୍ୟ, ଗମନାଗମନ, ପାନୀୟଜଳ, ନେଟୱର୍କ ଭଳି ବିଭିନ୍ନ ମୌଳିକ ସମସ୍ୟାରୁ ବଞ୍ଚିତ ହୋଇ ଅଭିଶପ୍ତ ଜୀବନ କାଟୁଥିବା ଆସିଛି ସାମ୍ନାକୁ । ବିକାଶର ନାରା ଦେଉଥିବା ସରକାରଙ୍କ ଶୁଭଦୃଷ୍ଟି ପଡ଼ିବା ଅପେକ୍ଷାରେ ଏଠିକାର ଗ୍ରାମବାସୀ । କନ୍ଧମାଳ ଜିଲ୍ଲା ଦାରିଙ୍ଗିବାଡ଼ି ବ୍ଲକର ଦୂର୍ଗମ ଅଞ୍ଚଳ କୁମ୍ଭାରିଗାଁ ପଞ୍ଚାୟତର ୧୧ନଂ ୱାର୍ଡ ଦେରେଙ୍ଗ ଗ୍ରାମରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି । ବହୁ ପୁରାତନ ଏହି ଗାଁରେ ଆଦିବାସୀ ସମ୍ପ୍ରଦାୟର ପ୍ରାୟ ଶତାଧିକ ପରିବାର ବସତି ସ୍ଥାପନ କରି ରହି ଆସୁଥିଲେ l କାଳକ୍ରମେ ବଣପୋଡ଼ି ସାଙ୍ଗକୁ ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହୋଇ ବହୁ ପରିବାର ଅନ୍ୟତ୍ର ସ୍ଥାନାନ୍ତରିତ ହୋଇ ଯାଇଥିବା ବେଳେ କେତେକ ପରିବାର ଧିରେଧିରେ ଲୋପ ପାଇଗଲେଣି । ବନ୍ୟଜନ୍ତୁଙ୍କ ଶିକାର ହୋଇ କେତେକ ପ୍ରାଣ ହରାଇଥିବା ମଧ୍ୟ କହିଛନ୍ତି ଗ୍ରାମବାସୀ । ବର୍ତ୍ତମାନ ଦେରେଙ୍ଗ ଗ୍ରାମରେ ବସବାସ କରୁଛନ୍ତି ଆଦିବାସୀ ସମ୍ପ୍ରଦାୟର ୧୨ଗୋଟି ପରିବାରର ପ୍ରାୟ ୬୦ ଅଧିବାସୀ । ଧାନ, ଅଦା, ହଳଦୀ, କାନ୍ଦୁଲ , ବିରି କୋଳଥ ଆଦି ଚାଷ କରି ଏମାନେ ଜୀବିକା ନିର୍ବାହ କରୁଥିବା ବେଳେ ସ୍ଵାଧୀନତାର ଦୀର୍ଘ ବର୍ଷ ପରେ ବି ଅଭିଶପ୍ତ ଏମାନେ । କନ୍ଧମାଳ ଓ ଗଜପତି ସୀମାନ୍ତ ବଣ ପାହାଡ଼ ଘେରା ଏହି ଗାଁ ପଞ୍ଚାୟତ କାର୍ଯ୍ୟାଳୟ ଠାରୁ ପ୍ରାୟ ୬ କିମି ଦୂରରେ । ନିର୍ବାଚନ ସମୟରେ ବଣ ପାହାଡ଼ ଅତିକ୍ରାନ୍ତ କରି ଭୋଟ ଦେବାକୁ ବହୁ ପରିଶ୍ରମ କରି ଭୋଟ କେନ୍ଦ୍ରକୁ ଯାଆନ୍ତି ଗ୍ରାମବାସୀ । ନିର୍ବାଚନୀ ଭାଷଣରେ ଗାଁର ସର୍ବାଙ୍ଗୀନ ଉନ୍ନତି କରିବାକୁ ପ୍ରତିଶ୍ରୁତି ଦେଇଥାନ୍ତି ଅନେଲ ନେତା l ହେଲେ ଭୋଟ ସରିଗଲା ପରେ ଦେଖା ନେତାଙ୍କର ଦେଖା ମିଳେନାହିଁ । ପ୍ରଶାସନର କଥା ନ କହିବା ଭଲ l ଆଜି ଯାଏଁ ଏହି ଗାଁକୁ ଦେଖି ନାହାଁନ୍ତି କୌଣସି ଉଚ୍ଚପଦସ୍ତ ଅଧିକାରୀ । ରହିଛି କେବଳ ମିନି ଅଙ୍ଗନୱାଡ଼ି କେନ୍ଦ୍ର ଚାଲିଛି ହେଲେ କୋଠା ନାହିଁ l ଅଙ୍ଗନବାଡି କର୍ମୀ ଜଣକ ସମୟ ଅନୁଯାୟୀ ପିଲାଙ୍କୁ ଖାଦ୍ୟ ଦେଇ ଚାଲି ଯାଉଛନ୍ତି । ଅଙ୍ଗନୱାଡ଼ି ଶିକ୍ଷା ପରେ ପ୍ରାୟ ୬କିମି ଜଙ୍ଗଲ ରାସ୍ତା ଦେଇ ପ୍ରଥମିକ ଶିକ୍ଷା ଗ୍ରହଣ କରିଯିବା ସମ୍ଭବ ହୋଇପାରୁ ନାହିଁ । ରାସ୍ତା ଅଭାବରୁ ଶିକ୍ଷା ପାଇବାରୁ ବଞ୍ଚିତ ହୋଇଛନ୍ତି ଦେରେଙ୍ଗବାସୀ । କେବଳ ଶିକ୍ଷା ନୁହେଁ ସ୍ୱାସ୍ଥ୍ୟ ସେବା ପାଇବାକୁ ହେଲେ ଗର୍ଭବତୀ ମହିଳା ତଥା ଅନ୍ୟ ରୋଗୀ ମାନଙ୍କୁ ଦୋଳାରେ ବୋହି ନେବାକୁ ପଡୁଛି । ରାସ୍ତା ଅଭାବରୁ ଆମ୍ବୁଲାନ୍ସ ସେବା ଏଠି ମିଳିପାରୁନାହିଁ । ନେଟୱର୍କ ସମସ୍ୟା ଯୋଗୁଁ ଜରୁରୀ କାଳୀନ ପରିସ୍ଥିତିରେ ଆମ୍ବୁଲାନ୍ସକୁ ଯୋଗାଯୋଗ କରିବା ସମ୍ଭବ ହେଉନାହିଁ । ଫଳରେ ଅକାଳ ମୃତ୍ୟୁର ଶିକାର ହେଉଛନ୍ତି ଗ୍ରାମବାସୀ । ଗାଁରେ ନଳକୂପ ଟିଏ ବି ଖୋଳା ହୋଇପାରି ନାହିଁ । ଗୋଟିଏ କୁଅ ଓ ଗୋଟିଏ ଚୁଆଁର ଭରଷାରେ ଜୀବନ ବିତାଉଛନ୍ତି ଗାଁ ଲୋକେ । ଏହି ଗ୍ରାମରେ ବିଶୁଦ୍ଧ ପାନୀୟ ଜଳର ଘୋର ଅଭାବ ରହିଛି l ଖରା ଦିନେ କୁଅ ଶୁଖିଗଲେ ଅଳିଆ ଆବର୍ଜ୍ଜନା ପାଣିକୁ ବ୍ୟବହାର କରି ଅଜଣା ରୋଗର ଶିକାର ହେଉଥିବା ନଜିର ମଧ୍ୟ ରହିଛି। ରାସ୍ତା ନଥିବାରୁ ପିଡିଏସ ଚାଉଳ ଆଣିବାକୁ ଦୁଇଦିନ ସମୟ ଲାଗେ ଏମାନଙ୍କୁ । ସାଇକଲ ଥିଲେ ବି ଘାଟିରେ ସାଇକଲ ବୋହି ନେବାକୁ ପଡେ । ଏହି ସମସ୍ତ ସମସ୍ୟାର ସମାଧାନ ପାଇଁ ପଞ୍ଚାୟତର ଗ୍ରାମସଭା ଓ ପଲ୍ଲୀସଭା ଜରୀଆରେ ବାରମ୍ବାର ଅଭିଯୋଗ କରାଯାଇ ଥିଲେ ସୁଦ୍ଧା କୌଣସି ସମାଧାନ ହୋଇପାରି ନାହିଁ । ପ୍ରଶାସନର ଆନ୍ତରିକତାର ଅଭାବ ଯୋଗୁଁ ଅଭିଶପ୍ତ ଜୀଵନ କାଟୁ ଥିବା କହିଛନ୍ତି ଗ୍ରାମବାସୀ l ଜିଲ୍ଲା ପ୍ରଶାସନ ଏଥିପ୍ରତି ଗୁରୁତ୍ବ ଦେଇ ତୁରନ୍ତ ଦେରେଙ୍ଗ ଗ୍ରାମକୁ ରାସ୍ତା, ପାନୀୟ ଜଳର ବ୍ୟବସ୍ଥା କରିବାକୁ ପ୍ରଶାସନ ନିକଟରେ ଦାବି ରଖିଛନ୍ତି ଗାଁର ସଫିରା ମଣ୍ଡଳ, ରାଜୀବ ମାଝୀ, ଦାଉଦ ଦେସ ମାଝୀ, ମିଥୁନ ମାଝୀ, ରମେଶ ମାଝୀ, ଆଦମ ମାଝୀ, ବୁନୁ ମାଝୀ ପ୍ରଭାତୀ ମାଝୀ , ମଣି ମାଝୀ, ସଞ୍ଜୁ ମାଝୀଙ୍କ ସମେତ ସମସ୍ତ ଗ୍ରାମବାସୀ ।

Leave A Reply

Your email address will not be published.