ପାରଳାଖେମୁଣ୍ଡି /ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଗଜପତି ଷ୍ଟାଡିୟମ୍ ଠାରେ ଆଜି ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ବିଭାଗର ମିଳିତ ଆନୁକୁଲ୍ୟରେ ଜିଲ୍ଲାସ୍ତରୀୟ ୭୮ତମ ସ୍ବାଧିନତା ଦିବସ ସମାରୋହ ଅନୁଷ୍ଠିତ ହୋଇଯାଇଛି।
ଏହି ସମାରୋହ କାର୍ଯ୍ୟକ୍ରମରେ ଓଡ଼ିଶାର ମାନ୍ୟବର ମନ୍ତ୍ରୀ ବାଣିଜ୍ୟ ଓ ପରିବହନ ଏବଂ ଇସ୍ପାତ ଓ ଖଣି ବିଭାଗ ମନ୍ତ୍ରୀ ଶ୍ରୀ ବିଭୂତି ଭୁଷଣ ଜେନା ମୁଖ୍ୟଅତିଥି ଭାବେ ଯୋଗଦେଇ ଶାନ୍ତି , ମୈତ୍ରୀ , ସମୃଦ୍ଧି ଓ ସ୍ବାଭିମାନର ପ୍ରତୀକ ଜାତୀୟ ପତାକା ଉତ୍ତୋଳନ କରିବା ସହ ସମ୍ମିଳିତ ପ୍ୟାରେଡର ଅଭିବାଦନ ଗ୍ରହଣ କରିଥିଲେ।
ଏହି ଅବସରରେ ଉପସ୍ଥିତ ଥିବା ସମବେତ ଜନସାଧାରଣଙ୍କୁ ଉଦବୋଧନରେ ପ୍ରଥମେ ପ୍ରାକୃତିକ ସୌନ୍ଦର୍ଯ୍ୟ ଭରା ଓ ଅନନ୍ୟ ସାଂସ୍କୃତିକ ବିଭବ ବିମଣ୍ଡିତ ଗଜପତି ଜିଲ୍ଲାର ପୁଣ୍ୟ ଭୂମୀକୁ ସାଦର୍ ପ୍ରଣାମ ଜଣାଇବା ସହ ୭୮ ତମ ସ୍ବାଧିନତା ଦିବସ ପାଳନ ଅବସରରେ ଜିଲ୍ଲାବାସୀଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା ଜଣାଇଥିଲେ।
ସେହିଭଳି ଏହି ମାଟିର ସୁଯୋଗ୍ୟ ସନ୍ତାନ ତଥା ନବ ଉତ୍କଳର ନିର୍ମାତା ତଥା ପାରଳା ମହାରାଜା ଶ୍ରୀ କୃଷ୍ଣଚନ୍ଦ୍ର ଗଜପତିଙ୍କ ପ୍ରତି ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ।
କଳା , ସାହିତ୍ୟ , ସଂସ୍କୃତି ଓ ପ୍ରାକୃତିକ ସୌନ୍ଦର୍ଯ୍ୟର ଆଦିଭୂମି ତଥା ଉତ୍କଳର ଅନ୍ୟତମ ପୁଣ୍ୟପୀଠ ହେଉଛି , ଏହି ଗଜପତି। ଦୀର୍ଘ ବର୍ଷ ବର୍ଷ ଧରି ସଂଗ୍ରାମ କରିବା ପରେ ଆମେ ଏହି ପବିତ୍ର ଦିନ ଫେରି ପାଇଛୁ । ଅନ୍ୟପକ୍ଷରେ ଏହା ସମ୍ଭବ ହୋଇଛି , ଭାରତମାତାର ଅନେକ ସୁଯୋଗ୍ୟ ସନ୍ତାନ ତଥା ସ୍ବାଧିନତା ସଂଗ୍ରାମୀ ମାନଙ୍କ ଆତ୍ମବଳୀ ଯୋଗୁଁ ।
ଆଦିବାସୀ ବହୁଳ ଗଜପତି ଜିଲ୍ଲାରେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ପକ୍ଷରୁ ବିଭିନ୍ନ ଉନ୍ନୟନ ମୂଳକ ଯୋଜନା କାର୍ଯ୍ୟକ୍ରମ କାର୍ଯ୍ୟକାରୀତା କରିବା ଜାରୀ ରହିବା ସହ ପ୍ରତିଶ୍ରୁତିବଦ୍ଧ। ଏହି ପବିତ୍ର ଦିବସରେ ସମସ୍ତେ ଦେଶ ମାତୃକାର ସେବା ପାଇଁ ଶପଥ ନେବା ଏବଂ ସେବା , ତ୍ୟାଗ ଓ ବୀରତ୍ବର ମନ୍ତ୍ରରେ ଦୀକ୍ଷିତ ହୋଇ ଦେଶର ସ୍ବାଧିନତା ଓ ଅଖଣ୍ଡତା କୁ ବଜାୟ ରଖିବା ସହ ଜାତି , ଧର୍ମ , ବର୍ଣ୍ଣ ଏବଂ ସମ୍ପ୍ରଦାୟକୁ ସମ୍ମାନ ଦେବା ଏବଂ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ପକ୍ଷରୁ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଲୋକାଭିମୁଖୀ ଯୋଜନା କାର୍ଯ୍ୟକ୍ରମରେ ସମସ୍ତଙ୍କ ସହଯୋଗ କାମନା କରିଥିଲେ।
ଏହି ଅବସରରେ ୨୫ ଟି ପ୍ୟାରେଡ ଦଳ ଅଂଶଗ୍ରହଣ କରିଥିଲେ। ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ପଟ୍ଟା ବଣ୍ଟନ ଏବଂ ପୂର୍ବରୁ ଅନୁଷ୍ଠିତ ହୋଇଥିବା ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗୀ ଓ ବିଭିନ୍ନ କ୍ଷେତ୍ରରେ ଜିଲ୍ଲା , ରାଜ୍ୟ ଓ ଜାତୀୟ ସ୍ତରରେ କୃତିତ୍ୱ ଅର୍ଜନ କରିଥିବା ବ୍ୟକ୍ତି ବିଶେଷଙ୍କୁ ମୁଖ୍ୟଅତିଥି ପୁରସ୍କାର ଓ ମାନପତ୍ର ବଣ୍ଟନ କରିଥିଲେ।
ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଶ୍ରୀ ବିଜୟ କୁମାର ଦାସ , ଜିଲ୍ଲା ଆରକ୍ଷୀ ଅଧିକାରୀ ସ୍ଵାତୀ ଏସ୍ କୁମାର , ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ରାଜେନ୍ଦ୍ର ମିଞ୍ଜ ,ପାରଳାଖେମୁଣ୍ଡି ବନଖଣ୍ଡର ବନଖଣ୍ଡ ଅଧିକାରୀ ଶ୍ରୀ ଏସ୍.ଆନନ୍ଦ , ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ଜିଲ୍ଲା ପରିଷଦ ଡ଼. ଗୁଣନିଧି ନାୟକଙ୍କ ସମେତ ବହୁ ସଂଖ୍ୟାରେ ପୋଲିସ ଅଧିକାରୀ ଓ ପ୍ରଶାସନିକ ଅଧିକାରୀ ଓ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେଇଥିଲେ।
Sign in
Sign in
Recover your password.
A password will be e-mailed to you.
Next Post