ରାଜ୍ୟର ଅଧିକାଂଶ ମହିଳା ସୁଭଦ୍ରା ଯୋଜନାରୁ ବଞ୍ଚିତ ହେବେ
ଆୟ ପ୍ରମାଣପତ୍ର ଓ ଜାତିଗତ ପ୍ରମାଣପତ୍ର ପାଇଁ ଖର୍ଚ୍ଚାନ୍ତ ହୋଇଥିଲେ ରାଜ୍ୟର ଅଧିକାଂଶ ମହିଳା
ଭୁବନେଶ୍ୱର, ୧୩/୦୮/୨୦୨୪: ବିଜୁ ଜନତା ଦଳ ମୁଖ୍ୟାଳୟ ଶଙ୍ଖ ଭବନ ଠାରେ ଆଜି ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ପୂର୍ବତନ ମନ୍ତ୍ରୀ ତଥା ବିରୋଧୀ ଦଳ ମୁଖ୍ୟ ସଚେତକ ଶ୍ରୀମତୀ ପ୍ରମିଳା ମଲ୍ଲିକ କହିଥିଲେ, ରାଜ୍ୟର ଉପ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା ସୁଭଦ୍ରା ଯୋଜନାର ଏସଓପି ପ୍ରକାଶ କରିବା ପୂର୍ବରୁ ଜିଲ୍ଲାପାଳ ମାନଙ୍କ ଦ୍ବାରା ଜନ ସାଧାରଣଙ୍କ ଠାରୁ ଫିଡ଼ବ୍ୟାକ ନିଆଯିବ ବୋଲି ଦେଇଥିବା ମନ୍ତବ୍ୟରୁ ଏହି ଯୋଜନାର ସଫଳ ରୂପାୟନକୁ ନେଇ ଜନ ସାଧାରଣଙ୍କ ମନରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ଉଲ୍ଲେଖଯୋଗ୍ୟ, ନିର୍ବାଚନ ବେଳେ ବିଜେପି ଦ୍ଵାରା ଦିଆଯାଇଥିବା ସଙ୍କଳ୍ପପତ୍ରରେ ସ୍ପଷ୍ଟ ଭାବେ କୁହାଯାଇଥିଲା ଯେ ସୁଭଦ୍ରା ଯୋଜନା ମାଧ୍ୟମରେ ରାଜ୍ୟର ପ୍ରତ୍ୟେକ ମହିଳାଙ୍କୁ ୫୦,୦୦୦ ଟଙ୍କାର କ୍ୟାସ ଭାଉଚର ପ୍ରଦାନ କରାଯିବ, ଯାହାକୁ ସେମାନେ ଦୁଇ ବର୍ଷ ଭିତରେ ଖର୍ଚ୍ଚ କରିପାରିବେ । କ୍ଷମତାକୁ ଆସିବା ପରେ ବିଜେପି ସରକାରଙ୍କ ଦ୍ବାରା ପ୍ରସ୍ତୁତ କରାଯାଇଥିବା ବଜେଟରେ ସୁଭଦ୍ରା ଯୋଜନା ପାଇଁ ମାତ୍ର ୧୦,୦୦୦ କୋଟି ଟଙ୍କା ବ୍ୟୟବରାଦ କରା ଯାଇଥିବାରୁ ଏହି ପରିମାଣରେ ରାଜ୍ୟର ମାତ୍ର କୋଡିଏ ଲକ୍ଷ ମହିଳା ସାମିଲ ହୋଇପାରିବେ। ତେଣୁ ସୁଭଦ୍ରା ଯୋଜନାରେ ରାଜ୍ୟର ପ୍ରତ୍ୟେକ ମହିଳା ଲାଭବାନ ହୋଇପାରିବେ ନାହିଁ ବୋଲି ସ୍ପଷ୍ଟ ଜଣାପଡ଼ୁଛି ।
ଅପରପକ୍ଷରେ ଉପ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡା ଆଜି ଦେଇଥିବା ମନ୍ତବ୍ୟ, ଏସଓପି ପ୍ରକାଶ ପୂର୍ବରୁ ଜିଲ୍ଲାପାଳଙ୍କ ମାଧ୍ୟମରେ ଜନ ସାଧାରଣଙ୍କ ଠାରୁ ଫିଡ଼ବ୍ୟାକ ଗ୍ରହଣ କରାଯିବା କଥା ସର୍ବସାଧାରଣଙ୍କ ଦ୍ବାରା ଗ୍ରହଣୀୟ ହୋଇ ପାରୁନାହିଁ । ଭତ୍ତା ବୃଦ୍ଧି ପ୍ରସଙ୍ଗରେ ଚତୁରତାର ସହ କେବଳ ୮୦ ବର୍ଷରୁ ଉର୍ଦ୍ଧ ବରିଷ୍ଠ ନାଗରିକ ଓ ୮୦ ପ୍ରତିଶତରୁ ଉର୍ଦ୍ଧ୍ବ ଭିନ୍ନକ୍ଷମଙ୍କ ଭତ୍ତା ବୃଦ୍ଧି କରି ସଂଖ୍ୟାଧିକ ଭତ୍ତା ପାଉଥିବା ଲୋକଙ୍କ ସହ ପ୍ରତାରଣା
କରିଥିବା ସରକାର, ସୁଭଦ୍ରା ଯୋଜନାରେ ମଧ୍ୟ ଅଧିକାଂଶ ମହିଳାଙ୍କ ସହ ଚଞ୍ଚକତା କରିବାକୁ ଯାଉଛି । ରାଜ୍ୟର ତିରିଶଟି ଜିଲ୍ଲାରୁ ଫିଡ଼ବ୍ୟାକ ଆଣିବା ପାଇଁ ମାତ୍ର ଦଶ ଜିଲ୍ଲାପାଳଙ୍କୁ ଦାୟିତ୍ଵ ଦେବା କେବଳ ଧର୍ମକୁ ଆଖୁଠାର ସଦୃଶ୍ୟ। ଏହି ଫିଡ଼ବ୍ୟାକ ଆଣିବା ଆଳରେ କିପରି ଭାବେ ଅଧିକାଂଶ ମହିଳା ସୁଭଦ୍ରା ଯୋଜନା ହିତାଧୁକାରୀ ତାଲିକାରୁ ବାଦ ପଡିବେ ସେହି ବ୍ୟବସ୍ଥା କରିବା ପାଇଁ ଜିଲ୍ଲାପାଳ ମାନଙ୍କୁ ଦାୟିତ୍ୱ ଦିଆଯାଇଛି। ବିଜେପି ପାଖରେ ଏସଓପି ପ୍ରସ୍ତୁତ ନଥୁଲା ବେଳେ ଗତ ନିର୍ବାଚନ ସମୟରେ ମହିଳା ମାନଙ୍କୁ ସୁଭଦ୍ରା ଯୋଜନା ପାଇଁ ଫର୍ମ ପୂରଣ କରେଇବା ଓ ସେମାନଙ୍କୁ ଆୟ ପ୍ରମାଣପତ୍ର ଓ ଜାତି ପ୍ରମାଣପତ୍ର ଇତ୍ୟାଦି ଯୋଗାଡ଼ କରି ଖର୍ଚ୍ଚାନ୍ତ କରିବା ବିଜେପିକୁ ମହଙ୍ଗା ପଡିବ। ରାଜ୍ୟର ମହିଳା ମାନେ ବିଜେପିକୁ ଉଚିତ ଜବାବ ଦେବେ ବୋଲି ଶ୍ରୀମତୀ ମଲ୍ଲିକ କହିଥିଲେ ।