ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ମହିଳା ସ୍ନାତକ ମହାବିଦ୍ୟାଳୟ ପରିସରରେ ”ନିଶାମୁକ୍ତ ଭାରତ ଅଭିଯାନ” ସଭାର ଆୟୋଜନ କରାଯାଇଥିଲା। କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲା ପ୍ରଶାସନର ସହଯୋଗରେ ମହାବିଦ୍ୟାଳୟର ଅଧ୍ଯକ୍ଷା ଡ.ରୀନା ସାହୁ ଏହି କାର୍ଯ୍ୟକ୍ରମର ଉଦଘାଟନ କରି ନିଶା ଜନିତ ବ୍ୟବହାର ଏବଂ ଏହାର ପରିଣତି କେତେ ଯେ ଭୟଙ୍କର ସେ ସଂପର୍କରେ ଆଲୋକପାତ କରିଥିଲେ।
ଗୁଟକା , ସିଗାରେଟ୍ , ମଦ୍ୟପାନ ଆଦି ସେବନ କରିବା ଦ୍ଵାରା ନିଜର ତଥା ନିଜ ପରିବାରର କେତେ ଯେ କ୍ଷତି ଘଟିଥାଏ ସେ ସଂପର୍କରେ ମଧ୍ୟ ବିଭିନ୍ନ ଉଦାହରଣ ପୂର୍ବକ ବର୍ଣ୍ଣନା କରିଥିଲେ। ସେହିଭଳି ମହାବିଦ୍ୟାଳୟର ଇତିହାସ ବିଭାଗର ବରିଷ୍ଠ ଅଧ୍ୟାପିକା ଡ. ଭାରତୀ ପାଣିଗ୍ରାହୀ ମଧ୍ଯ ନିଜ ବକ୍ତବ୍ୟରେ ଡ୍ରଗସ୍ ଗଞ୍ଜେଇ ଆଦି ସେବନରୁ ନିବୃତ ରହିବା ସହ ସମାଜରେ ସଚେତନତା ଆଣିବାରେ ଯୁବପିଢୀ ଆଗେଇ ଆସିବା ଉଚିତ ବୋଲି କହିଥିଲେ।
ଶେଷରେ ଅଧ୍ୟକ୍ଷା ନିଶାନିବାରଣ ନିମନ୍ତେ ଜିଲ୍ଲା ପ୍ରଶାସନ ତରଫରୁ ପ୍ରଦାନ କରାଯାଇଥିବା ଶପଥ ପତ୍ରକୁ ସମସ୍ତଙ୍କୁ ପାଠ କରାଇବା ସହ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରଦାନ କରାଯାଇଥିବା ଏକ ଗଛକୁ ମଧ୍ଯ ଛାତ୍ରୀ ତଥା ସହକର୍ମୀଙ୍କ ସହ ମହାବିଦ୍ୟାଳୟ ପରିସରରେ ରୋପଣ କରିଥିଲେ।
ଦ୍ଵିତୀୟ ପର୍ଯାୟରେ ଭାରତ ସରକାରଙ୍କ ”ପର୍ଯ୍ୟାବରଣ ସଂରକ୍ଷଣ ଗତିବିଧି ଅନୁଷ୍ଠାନ” ଆନୂକୁଲ୍ୟରେ ‘’ଏକ୍ ପେଡ୍ ମାଁ କେ ନାମ” (ଗୋଟିଏ ଗଛ ମାଁଙ୍କ ନାମରେ) କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ବର୍ତ୍ତମାନ ଭାରତର ଜଳବାୟୁରେ ଯେଉଁଭଳି ପରିବର୍ତ୍ତନ ଘଟି ତାପମାତ୍ରା ବଢି ଚାଲିଛି , ତା’ର ନିରାକରଣ ପାଇଁ ପ୍ରତ୍ୟେକ ବ୍ୟକ୍ତି ଗୋଟିଏ ଲେଖାଏଁ ଗଛ ରୋପଣ କରିବା ପାଇଁ ଅଧ୍ଯକ୍ଷା ଆହ୍ୱାନ ଦେଇଥିଲେ।
ସେହିଭଳି ଅଧ୍ୟାପିକା ଡ.ଭାରତୀ ପାଣିଗ୍ରାହୀ ଓ ଅଧ୍ୟାପକ ଶ୍ରୀ କୃଷ୍ଣ ଚନ୍ଦ୍ର ପଣ୍ଡିତ ମଧ୍ଯ ବୃକ୍ଷ ରୋପଣ ଦ୍ଵାରା ମୃଭିକା , ଜଳବାୟୁ ସର୍ବୋପରି ମନୁଷ୍ୟର କିଭଳି ଉପକାର ଘଟିଥାଏ ଉପସ୍ଥିତ ଛାତ୍ରୀ ମାନଙ୍କୁ ମିଳିତ ଭାବେ ବୁଝାଇ କହିଥିଲେ। ଏହାପରେ ଛାତ୍ରୀ ମାନେ କିଛି ଗଛ ମହାବିଦ୍ୟାଳୟ ତଥା ବାହାରେ ମଧ୍ୟ ବୃକ୍ଷ ରୋପଣ କରିଥିଲେ I ଏହି ସମସ୍ତ କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଅଧ୍ୟାପିକା , ଅଧ୍ୟାପକ ଓ କର୍ମଚାରୀ ଯୋଗଦେଇଥିଲେ। ପରିଶେଷରେ ଧନ୍ୟବାଦ ପ୍ରଦାନ ସହ ସଭା ସାଙ୍ଗ ହୋଇଥିଲା I
Sign in
Sign in
Recover your password.
A password will be e-mailed to you.