ଆଳୁ ପାଇଁ ନୁହେଁ, ବେଙ୍ଗଲ ନାଗରିକଙ୍କୁ ଓଡିଶାରେ ସୁରକ୍ଷା ପାଇଁ ମୋହନଙ୍କୁ ଫୋନ କରିଥିଲେ ମମତା
-
ରାଜ୍ୟରେ ବାସ କରୁଥିବା ପ୍ରତ୍ୟେକ ନାଗରିକଙ୍କୁ ସୁରକ୍ଷା ଦେବା ରାଜ୍ୟ ସରକାରଙ୍କ ଦାୟିତ୍ୱ: ବିଜେଡି
-
ଆଳୁ ସମସ୍ୟା ସମାଧାନ କ୍ଷେତ୍ରରେ ରାଜ୍ୟ ସରକାର କେବଳ ଅନ୍ଧାରରେ ବାଡ଼ି ବୁଲାଉଛନ୍ତି
ଭୁବନେଶ୍ୱର, ୧୨/୦୮/୨୦୨୪: ବିଜୁ ଜନତା ଦଳ ମୁଖ୍ୟାଳୟ ଶଙ୍ଖ ଭଵନ ଠାରେ ଆଜି ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଦଳର ଜାତୀୟ ମୁଖପାତ୍ର ତଥା ବିଜୁ ଜନତା ଦଳ ସଭାପତି ଶ୍ରୀ ନବୀନ ପଟ୍ଟନାୟକଙ୍କ ରାଜନୈତିକ ସଚିବ ସଂତୃପ୍ତ ମିଶ୍ର ବିଭିନ୍ନ ପ୍ରସଙ୍ଗରେ ସାମ୍ବାଦିକ ମାନଙ୍କ ପ୍ରଶ୍ନର ଉତ୍ତର ଦେଇ କହିଲେ ରାଜ୍ୟ ସରକାରଙ୍କ ଉଦାସୀନତା ଯୋଗୁ ରାଜ୍ୟରେ ସୃଷ୍ଟି ହୋଇଛି ଆଳୁ ସମସ୍ୟା। ସରକାରଙ୍କ ପାଖରେ ଆଳୁ ସମସ୍ୟା ସମାଧାନ ପାଇଁ କୌଣସି ପ୍ଲାନ ନଥିଲା କି ସରକାର ଆଳୁର ଅଭାବ କ୍ଷେତ୍ରରେ କି ପଦକ୍ଷେପ ନେବେ ତାର ସ୍ପଷ୍ଟ ନୀତି ନାହିଁ। ସରକାର କେବଳ ଅନ୍ଧାରରେ ବାଡ଼ି ବୁଲାଉଛନ୍ତି, ତାଛଡା ଆଳୁ ମହଜୁଦକାରି ଯଦି କଳାବଜାର କରୁଛନ୍ତି, ସରକାର ଏସମା ଲାଗୁ କରିବା ପାଇଁ ସାହସ କରି ପାରି ନାହାନ୍ତି । ନବୀନ ବାବୁଙ୍କ ଶାସନ କାଳରେ ଆଳୁ ବା ଅନ୍ୟାନ୍ୟ ଅତ୍ୟାବଶ୍ୟକୀୟ ସାମଗ୍ରୀ ପାଇଁ ଏଭଳି ସମସ୍ୟା ସୃଷ୍ଟି ହୋଇ ନଥିଲା।
ମୁଖ୍ୟମନ୍ତ୍ରୀ ମୋହନ ମାଝୀ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସହ ଟେଲିଫୋନରେ କଥା ହୋଇ ଓଡିଶାକୁ ଆଳୁ ପଠାଇବା କଥା ସତ୍ୟ ନୁହେଁ ବରଂ ମମତା ବାନାର୍ଜୀ ଓଡିଶା ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଫୋନ୍ କରି ତାଙ୍କ ରାଜ୍ୟର ଲୋକ ମାନଙ୍କୁ ଓଡ଼ିଶାରେ ବାଂଲାଦେଶ ନାଗରିକ କହି ଆକ୍ରମଣ କରାଯାଉଛି କହି ତାଙ୍କର ହସ୍ତକ୍ଷେପ ଲୋଡ଼ିଥିଲେ। ସାମ୍ୱାଦିକଙ୍କ ପ୍ରଶ୍ନର ଉତ୍ତରରେ ଶ୍ରୀ ମିଶ୍ର କହିଥିଲେ, ଦୁଇ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ଭିତରେ କଣ ବାର୍ତ୍ତାଳପ ହୋଇଥିଲା ତାହା ମୂଁ ଜାଣେ ନାହିଁ କିନ୍ତୁ ବିଜୁ ଜନତା ଦଳ ବିଶ୍ୱାସ କରେ ଭାରତର ନାଗରିକ ମାନଙ୍କ ସୁରକ୍ଷା, ସେ ଯେକୌଣସି ରାଜ୍ୟରେ ବାସ କରନ୍ତୁ ନା କାହିଁକି, ପ୍ରତ୍ୟେକ ରାଜ୍ୟ ସରକାର ତାଙ୍କୁ ସୁରକ୍ଷା ଯୋଗାଇଦେବା ତାଙ୍କ କର୍ତ୍ତବ୍ୟ। ତେଣୁ ଓଡ଼ିଶାରେ ବାସ କରୁଥିବା କୌଣସି ଅନ୍ୟ ରାଜ୍ୟର ବାସିନ୍ଦା ମାନଙ୍କୁ ସୁରକ୍ଷା ଦେବା ରାଜ୍ୟ ସରକାରଙ୍କ ଦାୟିତ୍ୱ । ଯଦି କୌଣସି ଅନ୍ୟ ଦେଶର ବାସିନ୍ଦା ଓଡ଼ିଶାରେ ଅଛନ୍ତି, ତାଙ୍କୁ ଚିହ୍ନିତ କରିବା ମଧ୍ୟ ରାଜ୍ୟ ସରକାରଙ୍କ କର୍ତ୍ତବ୍ୟ ।