ଧର୍ମଶାଳାରେ ଚାଷୀ ସମସ୍ୟା ନେଇ ଆନେ୍ଦାଳନ ଚେତାବନୀ : ଜଳକର ଦେଇ ଜମିକୁ ଜଳ ପାଉ ନାହାନ୍ତି ଚାଷୀ 

0

  ଯାଜପୁର,(ଜୟଶଙ୍କର ଦାଶ)  ଚାଷୀମାନେ ବର୍ଷ ବର୍ଷ ଧରି ଜଳକର ଦେଉଛନ୍ତି । ଚାଷୀଙ୍କ ଜମିକୁ ପାଣି ମାଡିବା ପାଇଁ କାଡା ନାଳ ନିର୍ମାଣ କରାଯାଇ ଲକ୍ଷ ଲକ୍ଷ ଟଙ୍କା ବ୍ୟୟ କରାଯାଇଛି । ହେଲେ ଚାଷୀମାନେ ଜମିକୁ ଜଳ ପାଉନାହାନ୍ତି । ଏହା ବିରୋଧରେ ଧର୍ମଶାଳାର ବ୍ଲକ ଅଂଚଳରେ ଚାଷୀମେଳି ଅନୁଷ୍ଠିତ  ହେବା ସହ ଆଗାମୀ ଦିନରେ ଏହାର ପ୍ରତିକାର କରାନଗଲେ ଜଳସେଚନ କାର୍ଯ୍ୟାଳୟ ସମ୍ମୁଖରେ ଆନେ୍ଦାଳନ କରାଯିବ ବୋଲି ଚେତାବନୀ ଦିଆଯାଇଛି ।

ଏହି ଅବସରରେ ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ଜେନାପୁର ପଂଚାୟତ ଅନ୍ତର୍ଗତ ଏରସଣ୍ଡାରେ ଅନୁଷ୍ଠିତ  ଚାଷୀ ଆନେ୍ଦାଳନ ସଭାରେ ବି.ଜେ.ଡି ଯୁବନେତା ସତୀଶ ବିଶ୍ୱାଳ ଯୋଗଦେଇ କହିଥିଲେ ଯେ, ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ସରକାର ପ୍ରଥମେ କୃଷିଋଣ ଛାଡ କରିଥିବା ବେଳେ ନବୀନ ପଟ୍ଟନାୟକଙ୍କ ସରକାର କୃଷକ କଲ୍ୟାଣ ପାଇଁ ବହୁବିଧ ଯୋଜନା କରିଛନ୍ତି । ହେଲେ ଦାୟୀତ୍ୱରେ ଥିବା ବିଭାଗୀୟ ଅଧିକାରୀ, ଜନପ୍ରତିନିଧି, କ୍ଷମତାସୀନ ନେତାଙ୍କ ଦୁର୍ନିତିଖୋର ମନୋଭାବ ଏବଂ ମନୋମୁଖୀ ଆଚରଣ ପାଇଁ ସରକାର ଚାଷୀ ଅସନ୍ତୋଷର ଶୀକାର ହେଉଛନ୍ତି । ଜେନାପୁରର ଏରସଣ୍ଡାରେ ପାଣି ପଂଚାୟତ ଜରିଆରେ ହାଇଲେବୁଲ କେନାଲରୁ କାଡା ନାଳ ଜରିଆରେ ପାଣି ମାଡିବାକୁ ବହୁଲକ୍ଷ ଟଙ୍କା ବ୍ୟୟ ହୋଇଛି । ହେଲେ ଏହି ଟଙ୍କାର ସଦୁପଯୋଗ ପାଇଁ କାଡା ନାଳ ନିର୍ମାଣରେ ଚାଷୀ ମାନଙ୍କ କୌଣସି ପରାମର୍ଶ ନିଆଯାଇ ନଥିବା ବେଳେ ଠିକାଦାରଙ୍କ ସ୍ୱାର୍ଥରକ୍ଷା ପାଇଁ ନିମ୍ନମାନର ମନୋମୁଖୀ କାର୍ଯ୍ୟ କରାଯାଇଛି । ଫଳରେ ୧୬ ନଂବର ଓ ୧୭ ନଂବର ବ୍ରାଂଚ ଭିତରେ ନିର୍ମିତ କାଡା ନାଳରେ ପାଣି ଜମିକୁ ମାଡି ପାରୁନି । ଏରସଣ୍ଡା ମାଛବନ୍ଧରୁ ଯାଇଥିବା କାଡା ନାଳଟି ମଝିରେ ଖାଲୁଆ ହୋଇଥିବା ବେଳେ ଜମିର ଉଦବୃତ ଜଳ ନିଷ୍କାସନ ପାଇଁ ବ୍ୟବସ୍ଥା ନଥିବାରୁ କାଡା ନାଳର ଗୋଟିଏ ପଟରେ ପାଣି ଜମି ରହି ଫସଲ ଧୋଇ ଯାଉଥିବା ବେଳେ ଅନ୍ୟ ପଟରେ ପାଣି ବିନା ମରୁଡି ହେଉଛି । ସେହିପରି ଷୋଳସ୍ୱାଇଁଅଳା ପାଖରୁ ବାହାରିଥିବା କାଡା ନାଳର ପାଣି ବିଲକୁ ନମାଡି ଆରନାଳିଆରେ ପାଣି ପଡୁଛି । ଚାଷୀଙ୍କ ସ୍ୱାର୍ଥ ଅପେକ୍ଷା ଠିକାଦାରଙ୍କ ସ୍ୱାର୍ଥରକ୍ଷାରେ ଅଧିକ ଆଗ୍ରହ ରଖିୁଥିବା କ୍ଷମତାସୀନ ନେତା ଓ ଜନପ୍ରତିନିଧି ଏଥିନେଇ ବର୍ଷ ବର୍ଷ ଧରି ନୀରବ ରହୁଛନ୍ତି । ଏଥିପାଇଁ ସୃଷ୍ଟି ହେଉଥିବା ଚାଷୀ ଅସନ୍ତୋଷରୁ ବିରୋଧୀ ମାନେ ଫାଇଦା ନେବା ସହ ଚାଷୀମାନଙ୍କୁ ସରକାରୀ ବିରୋଧୀ କରାଯାଉଛି । ସମସ୍ୟା ନେଇ ମୁଖ୍ୟମନ୍ତ୍ରୀ ଏବଂ ବିଭାଗୀୟ ଉଚ୍ଚ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରାଯିବ । ଏ କ୍ଷେତ୍ରରେ ତୁରନ୍ତ ପଦକ୍ଷେପ ଗ୍ରହଣ କରାନଗଲେ ଜଳସେଚନ କାର୍ଯ୍ୟାଳୟ ସମ୍ମୁଖରେ ଆନ୍ଦୋଳନ  କରାଯିବ ବୋଲି ସତୀଶ ଚେତାବନୀ ଦେଇଛନ୍ତି । ଏଥିରେ ସର୍ବଶ୍ରୀ ରମେଶ କବି, ଭୀମସେନ ରାଉତ, ଗଣେଶ୍ୱର ସାହୁ, ସରୋଜ ଭୂୟାଂ, ଶୁକଦେବ ସାମଲ, ବିନୋଦ ସ୍ୱାଇଁ, ସୁଦର୍ଶନ ରାଉତ, କ୍ଷୀରୋଦ ମଲ୍ଲିକ, ଶ୍ୟାମ ସୁନ୍ଦର ସାହୁ, ରମେଶ କବି, ରତ୍ନାକର ସ୍ୱାଇଁ, ଜଟେଶ୍ୱର ମଲିକ, ପ୍ରଫୁଲ୍ଲ ସାହୁ, କୀର୍ତ୍ତନ ମଳିକ, ଯଦୁମଣୀ ରାଉତ, ଧନେଶ୍ୱର ବେହେରା, ସୁବାଷ ସାମଲ, ସଂଜୟ ସାହୁ, ଚୈତନ୍ୟ ପାତ୍ର ପ୍ରମୁଖ ଶତାଧିକ ଚାଷୀ ଯୋଗ ଦେଇଥିଲେ । 

Leave A Reply

Your email address will not be published.