ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ସ୍ଥିତ ମହିଳା ସ୍ନାତକ ମହାବିଦ୍ୟାଳୟ ପରିସରରେ ଗୁରାଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ତରଫରୁ ଏକ “ତମାଖୁ ମୁକ୍ତ ଶିକ୍ଷାନୁଷ୍ଠାନ” ସଚେତନତା କାର୍ଯ୍ୟକ୍ରମ ଅଧ୍ୟକ୍ଷା ଡଃ ରୀନା ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି।
ଏହି କାର୍ଯ୍ୟକ୍ରମ ରେ ଜିଲ୍ଲା ସରକାରୀ ଚିକିତ୍ସାଳୟର ଡଃ ଇନ୍ଦିରା ମହାପାତ୍ର ଏଡି.ପି.ଏଚ୍. ଓ ଲେପ୍ରୋସି , ଡଃ ପତିତ ପାବନ ବାରିକ ଗୋଷ୍ଠୀ ଚିକିତ୍ସା କେନ୍ଦ୍ର ଗୁରାଣ୍ଡି ଏବଂ ଜିଲ୍ଲା ସ୍ୱାସ୍ଥ୍ୟ ସଂଯୋଜିକା ସୁଶ୍ରୀ ମମତା ପାଢୀ ଯୋଗଦେଇ ତମାଖୁ ସେବନର ବ୍ୟବହାର , ଅପକାରିତା ଓ ଏହାର ନିରାକରଣ ବ୍ୟବସ୍ଥା ସଂପର୍କରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ।
ଏନ୍ ଗଣେଶ କମ୍ପୁଟର୍ ଡାଟା ଏନ୍ଟ୍ରି ପ୍ରୋଜେକ୍ଟର୍ ମାଧ୍ୟମରେ ତମାଖୁ ସେବନ ଜନିତ ରୋଗ ଗୁଡିକର ପ୍ରମାଣିକ ଆଲୋକ ଚିତ୍ର ପ୍ରଦର୍ଶନ ମାଧ୍ୟମରେ ଛାତ୍ରୀମାନଙ୍କୁ ସଚେତନ କରାଇବାରେ ସାହାଯ୍ୟ କରିଥିଲେ।
ଏହାପରେ ଉପସ୍ଥିତ ଛାତ୍ରୀମାନଙ୍କ ମଧ୍ୟରେ ଏକ ପ୍ରଶ୍ନୋତ୍ତୋର କାର୍ଯ୍ୟକ୍ରମ କରାଯାଇଥିଲା । ଏଥିରେ ସୁଶ୍ରୀ ମମତା ବେହେରା , (ତୃତୀୟ ବର୍ଷ ) ପ୍ରଥମ ସ୍ଥାନ , ସୁଶ୍ରୀ ପୂଜା ବିଶ୍ବାଳ (ପ୍ରଥମ ବର୍ଷ) ଦ୍ବିତୀୟ ସ୍ଥାନ , ସୁଶ୍ରୀ ସରିତା ଭୋଳ (ପ୍ରଥମ ବର୍ଷ) ଏବଂ ସୁଶ୍ରୀ ସୁଚିତ୍ରା ଦେବୀ ଯଥାକ୍ରମେ ତୃତୀୟ ସ୍ଥାନ ଅଧିକାର କରିଥିଲେ। ପ୍ରମୁଖ କୃତୀ ଛାତ୍ରୀଙ୍କୁ ମେମେଣ୍ଟୋ ଓ ମାନପତ୍ର ଦେଇ ପୁରସ୍କୃତ କରାଯାଇଥିଲା।
ଏହି କାର୍ଯ୍ୟକ୍ରମରେ ମହିଳା ସ୍ନାତକ ମହାବିଦ୍ୟାଳୟକୁ “ତମାଖୁ ମୁକ୍ତ କଲେଜ” ଭାବେ ଘୋଷଣା କରାଯାଇ ଅଧ୍ୟକ୍ଷା ଡଃ ରୀନା ସାହୁଙ୍କୁ ସ୍ମାରକ ପତ୍ର ପ୍ରଦାନ କରାଯାଇଥିଲା। ଏହି ଭଳି କାର୍ଯ୍ୟକ୍ରମ ଆଗାମୀ ପିଢୀର ଛାତ୍ରୀମାନଙ୍କୁ ବେଶ୍ ମାର୍ଗଦର୍ଶନ କରିବ ବୋଲି ଡଃ ରୀନା ସାହୁ ଉତ୍ସାହର ସହ ତାଙ୍କ ବକ୍ତବ୍ୟ ରଖିଥିଲେ।
ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ସମସ୍ତ ଶିକ୍ଷକ ଓ ଅଣ ଶିକ୍ଷକ କର୍ମଚାରୀ ଯୋଗ ଦେଇ କାର୍ଯ୍ୟକ୍ରମକୁ ସଫଳ କରିବାରେ ସାହାଯ୍ୟ କରିଥିଲେ।
Sign in
Sign in
Recover your password.
A password will be e-mailed to you.