ନୟାଗଡ଼,(ଲକ୍ଷ୍ମୀଧର ସାହୁ): ଶ୍ରୀଜଗନ୍ନାଥ ପରିକ୍ରମା ପ୍ରକଳ୍ପ ଶୁଭ ଉଦଘାଟନ ଅବସରରେ ନୟାଗଡ଼ ବୋଇତ ବନ୍ଦାଣ ମଞ୍ଚରେ ନାଟକ ‘ପତିତପାବନ ବାନା ଆଉ କେତେ ବେଳକୁ’ ମଞ୍ଚସ୍ଥ ହୋଇଥିଲା। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଏବଂ ନୟାଗଡ଼ ଜିଲ୍ଲା ସଂସ୍କୃତି ପରିଷଦର ମିଳିତ ଆନୁକୂଲ୍ୟରେ ଓଡ଼ିଶା ସଂଗୀତ ନାଟକ ଏକାଡ଼େମୀ ଦ୍ବାରା ଆୟୋଜିତ ଏହି ନାଟକକୁ ପରିବେଷଣ କରିଥିଲେ ନୟାଗଡ଼ର ଅଗ୍ରଣୀ ନାଟ୍ୟନୁଷ୍ଠାନ ‘ଚମତ୍କାର’ର କଳାକାର ମାନେ । ନାଟ୍ୟକାର ଗଦାଧର ନନ୍ଦଙ୍କ ରଚିତ ଏବଂ ନାଟ୍ୟଭୂଷଣ ଡ. ବିଜୟ ଚୌଧୁରୀଙ୍କ ନିର୍ଦ୍ଦେଶିତ ଏହି ନାଟକ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜିଲ୍ଲାପାଳ ରବୀନ୍ଦ୍ର ନାଥ ସାହୁ ଯୋଗଦାନ କରି ପ୍ରଦୀପ ପ୍ରଜ୍ଜ୍ୱଳନ କରିଥିଲେ। ଅନ୍ୟତମ ଅତିଥି ଭାବେ ଚମତ୍କାର ନାଟ୍ୟନୁଷ୍ଠାନର ଉପଦେଷ୍ଟା ସମାଜସେବୀ ପ୍ରମୋଦ ପଟ୍ଟନାୟକ,ସଭାପତି ଲକ୍ଷ୍ମୀଧର ମହାପାତ୍ର, ନାଟ୍ୟକାର ଗଦାଧର ନନ୍ଦ,ନିର୍ଦ୍ଦେଶକ ବିଜୟ ଚୌଧୁରୀ ପ୍ରମୁଖ ଉପସ୍ଥିତ ଥିଲେ। ନାଟକରେ ବିଭିନ୍ନ ଚରିତ୍ରରେ ରିଙ୍କୁ, ବାପି, ବାପୁ, ନିଶିକାନ୍ତ, ପ୍ରଦୀପ, ଟୁନା, ସରୋଜ, ଲକି, ସିଂ ବାବୁ, ଦେବାଂଶୀ, ପ୍ଲାଜା, ସାଇ ଶ୍ରୀ, କଣ୍ଢେଇ, ସୋନାଲୀ ଏବଂ କ୍ରିଷ୍ଣା ପ୍ରମୁଖଙ୍କ ଅଭିନୟ ବେଶ ମନଛୁଆଁ ହୋଇଥିଲା। ଐତିହାସିକ ପୃଷ୍ଠଭୂମି ଆଧାରରେ ଭକ୍ତ-ଭଗବାନଙ୍କ ମଧ୍ୟରେ ଥିବା ଅନନ୍ୟ ସମ୍ପର୍କର ରୂପାୟନ ଘଟିଛି ଶ୍ରୀ ଜଗନ୍ନାଥ ସଂସ୍କୃତି କୈନ୍ଦ୍ରିକ ନାଟକ ‘ପତିତପାବନ ବାନା ଆଉ କେତେବେଳକୁ’ ମଧ୍ୟରେ । ଅବିଶ୍ଵାସ, ସନ୍ଦେହ ଭିତରେ ପାରିବାରିକ ସମ୍ପର୍କ ରୁଗ୍ଣ – କ୍ଷତାକ୍ତ । ସେ ସାଧାରଣ ବ୍ୟକ୍ତିବିଶେଷ ହୁଅନ୍ତୁ ଅଥବା ଗଜପତି ଦିବ୍ୟସିଂହ ଦେବ ହୁଅନ୍ତୁ – କିଛିବି ପାର୍ଥକ୍ୟ ନାହିଁ । ନିଜ ସାନଭାଇ ସାନଦେଉଙ୍କ ସହିତ ମହାରାଣୀଙ୍କ ପବିତ୍ର ସମ୍ପର୍କକୁ ସନ୍ଦେହକରି ସନ୍ଦେହର ଡହଡହ ତାତିଲା ଝାଞ୍ଜିରେ ଛଟପଟ ଗଜପତିଙ୍କ ନିଷ୍ଠୁର ପ୍ରାଣଦଣ୍ଡ ଆଦେଶ ସାନଦେଉଙ୍କୁ ମାତୃସମା ରାଣୀଙ୍କଠାରୁ ଦୂରେଇ ରଖେ । ଏକ ସାମାନ୍ୟ କାରଣ ( ଗୋଟିଏ ଫୁଲହାର) ଗଜପତି ମହାରାଜାଙ୍କ ମନରେ କିପରି ସନ୍ଦେହର ବିଷବୃକ୍ଷ ସୃଷ୍ଟିକରେ ; ତାହାର ପ୍ରାମାଣିକ ରୂପ ନାଟକରେ ପ୍ରତିଫଳିତ । ସନ୍ଦେହର ମହାଦ୍ରୁମ ମଧ୍ୟରେ ପବିତ୍ର ଭକ୍ତିରସ ସହିତ ବିମଳପ୍ରେମ ଫଲ୍ଗୁର କ୍ରମାଗତ ପ୍ରବାହ ଭିତରେ ବିଦୂଷକଙ୍କ ଲଘୁ ହାସ୍ୟରସ ନାଟକକୁ କରିଥିଲା ରସସିକ୍ତ । ଏକ ଆଧ୍ୟାତ୍ମିକ ଭାବମୟ ପରିବେଶରେ ଅନୁଷ୍ଠିତ ଏହି ନାଟକକୁ ଉପସ୍ଥିତ ଦର୍ଶକ ମାନେ ବେଶ ଉପଭୋଗ କରିଥିଲେ।
Sign in
Sign in
Recover your password.
A password will be e-mailed to you.
Prev Post