ସୁବଳଙ୍କ ପରିବାରକୁ ନେଇ ନବୀନ ନେଲେ କି କିଳା ! ବାଗି ସାଜିଲେଣି ପ୍ରଭାଦିତ୍ୟ, ଯୁଦ୍ଧମୂଦ୍ରାରେ ଅଶୋକ, ନୀରବ ଚାଲ ଚଳାଉଛନ୍ତି ଅସନ୍ତୁଷ୍ଟ ପ୍ରସନ୍ନ, ଥୋପ ପକାଇ ବିଜେପିର ବକଧ୍ୟାନ, କମିଶନଙ୍କ ନୋଟିସକୁ ଘୋଷଣା କରିଛି କଂଗ୍ରେସ

0

ସମ୍ବଲପୁର: ପୂର୍ବତନ କଂଗ୍ରେସ ବିଧାୟକ ସ୍ୱଗତ ସୁବଳ ସାହୁଙ୍କ ପରିବାର  ବିଜେଡିରେ ଯୋଗ ଦେଇଛନ୍ତି । ସୁବଳଙ୍କ ଉପରେ ଆଖି ପକାଇଥିବା ବିଜେପିକୁ ଯଦିଓ ଚକ୍ମା ଦେଇଛନ୍ତି ସୁବଳଙ୍କ ପରିବାରକୁ ବିଜେଡିରେ ସାମିଲ କରି,  ହେଲେ ଏବେ ସେଇଟର ବିଜେଡି ପାଇଁ କିଳା ହେଲାଣି  । ଯୋଗଦାନ କାର୍ଯ୍ୟକ୍ରମ ଦିନ ଯୋଗ ଦେଇନଥିବା ଜିଲ୍ଲାର ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟ(ଯେ କି ଗତ ବିଧାନସଭା ନିର୍ବାଚନରେ ସୁବଳଙ୍କ ସହ ଲଢେଇ କରି ମାତ୍ର ୪୫୮ଭୋଟରେ ହାରିଥିଲେ )ଭୀଷଣ ଭାବେ କ୍ଷୁବଧ । କାରଣ ସୁବଳଙ୍କ ପରିବାରକୁ ସାମିଲ କରିବା ପୂର୍ବରୁ ଜିଲ୍ଲାର ବରିଷ୍ଠ ନେତା ଭାବେ ତାଙ୍କ ସହିତ ଆଲୋଚନା କରାଯାଇନି । କେବଳ ପ୍ରସନ୍ନ ନୁହନ୍ତି ୨୦୦୯ରେ ସୁବଳଙ୍କ ସହିତ ଲଢେଇ କରି ୮୯୭୧ ଭୋଟରେ ହାରିଥିବା ତକ୍ରାଳୀନ ବିଜେଡି ଛାୟା ମୁଖ୍ୟ ସ୍ୱର୍ଗତ ପ୍ୟାରୀମୋହନ ମହାପାତ୍ରଙ୍କ ପୁତୁରା ପ୍ରଭାଦିତ୍ୟ ମିଶ୍ର ବି ଏବେ ଖୋଲାଖୋଲି ବାଗୀ ସାଜିଛନ୍ତି । ସେ କହିଛନ୍ତି ସ୍ଥାନୀୟ ଦଳୀୟ କର୍ମୀଙ୍କୁ ନଜର ଅନ୍ଦାଜ କରାଯାଇ ଏଭଳି ନିଷ୍ପତି ନିଆଯାଇଛି । ଏପରିକି ସେ ପରୋକ୍ଷରେ ଦଳର ନେତୃତ୍ୱକୁ ଚାଲେଞ୍ଜ ଦେଇଛନ୍ତି  ।
କେବଳ ପ୍ରସନ୍ନ ଓ ପ୍ରଭାଦିତ୍ୟ ନୁହନ୍ତି,ଏଠାରୁ ବିଧାନସଭାକୁ ପ୍ରତିନିଧିତ୍ୱ କରିଥିବା ତଥା ୨୦୧୪ରେ ସ୍ୱାଧୀନ ପ୍ରାର୍ଥିୀ ହୋଇ ୧୮୨୩୨ ଭୋଟ ପାଇଥିବା ବିଜେଡିରୁ ନିଲମ୍ବିତ ନେତା ଅଶୋକ ପାଣିଗ୍ରାହୀ ବି ୨୦୧୪ ପରି ଯୁଦ୍ଧମୂଦ୍ରାରେ ରହିସାରିଲେଣି  । ସେପଟେ ସୁବଳ ହାତକୁ ଆସିଲେନି, ହେଲେ ଏବେ ବିଜେଡିର ଅସନ୍ତୁଷ୍ଟଙ୍କ ଉପରେ ଥୋପ ପକାଇ ବିଜେପି ବକଧ୍ୟାନରେ ବସିଛି, ମାଛ ମୁଣ୍ଡ ଟେକିଲେ ଖପ୍ କରି ମାଡିବସିବ । ଅନ୍ୟପକ୍ଷରେ ସୁବଳଙ୍କ ପରିବାର ବିଜେଡିରେ ଯୋଗଦେବା ନିଷ୍ପତିକୁ ହଜମ କରିପାରିନଥିବା କଂଗ୍ରେସ କାହା୍କୁ ପ୍ରାର୍ଥୀ କରିବ ମାନସମନ୍ଥନ ଚଳାଇଛି  । ଏହି ନିର୍ବାଚନମଣ୍ଡଳୀରୁ ହୋଇଥିବା ୧୪ ଥର ନିର୍ବାଚନରେ ଏଠାରୁ କଂଗ୍ରେସ ୮ଥର ଜିତିଛି  । ଏଠାରୁ ବିଜେପି ଥରେ ମାତ୍ର ଜିତିଛି ବିଜେଡି-ମେଂଟରେ  । ଆଉ ସେଠାରୁ ଜିତିଥିଲେ ବିଜେପିର ବିମ୍ବାଧର କୁଅଁର । ବିଜେପି-ବିଜେଡି ମେଂଟ ପ୍ରାର୍ଥୀ ସେଠାରେ କଂଗ୍ରେସର ରିପୁନାଥ ସେଠଙ୍କୁ ମାତ୍ର ୧୬୬ଖଣ୍ଡ ଭୋଟରେ ହରାଇଥିଲେ  । ମୋଟାମୋଟି ଭାବେ ସୁବଳ ସେଠାରେ ଲଢିବା ପୂର୍ବରୁ ସେଠାରେ କଂଗ୍ରେସ ପୂର୍ବରୁ ୫ଥର ଜତି ସାରିଥିବା ବେଳେ ୪୨ରୁ ୪୫ହଜାର ଭୋଟ କଂଗ୍ରେସ ପାଇବାରେ ସକ୍ଷମ ହେଉଥିଲା  । ୨୦୦୯ରେ ସୁବଳ ୫୬,୮୬୪ ଭୋଟ ପାଇଁ ବିଜେଡିର ପ୍ରଭାଦିତ୍ୟଙ୍କୁ ୮୯୭୧ ଭୋଟରେ ହରାଇଥିବା ବେଳେ ୨୦୧୪ରେ ମାତ୍ର ୫୩୨୯୦ ଭୋଟ ପାଇ ବିଜେଡିର ପ୍ରସନ୍ନ ଆଚାର୍ଯ୍ୟଙ୍କୁ ଯାବତୀୟ ବିଜେଡି ଗୋଷ୍ଠ ବିବାଦ ସତ୍ୱେ ମାତ୍ର  ୪୫୮ଖଣ୍ଡ ଭୋଟ୍ରେ ହରାଇଥିଲେ  । ଆଉ ସେଠାରୁ ଅସନ୍ତୁଷ୍ଟ ପ୍ରାର୍ଥୀ ହୋଇଥିବା ଅଶୋକ ପାଣିଗ୍ରାହୀଙ୍କୁ ୧୮୨୩୨ ଭୋଟ ମିଳିଥିବା ବେଳେ ବିଜେପି ପ୍ରାର୍ଥୀ ଜୟଶଙ୍କର ପଟ୍ଟନାୟକ ୩୦୦୦୧ ଭୋଟ ିମଳିଥିଲା  । ତେଣୁ ଏବେ କିଏ ପ୍ରାର୍ଥୀ ହେବ ବା ନହେବ ସେଥିରୁ ଜଣାନପଡିବ କିଏ ବାଜି ମାରିବ ବିଜେପୁର ସିଟ୍  ।
ଆଉ ଗୋଟାଏ କଥା ହେଲା, ସୁବଳଙ୍କ ବିଧବା ପତ୍ନୀ, ଦୁଇ ଅନାଥ(ବାପାଙ୍କୁ ହରାଇଥିବା) ପୁଅଙ୍କୁ ଅନୁକମ୍ପା ଭୋଟ ମିଳିପାରେ  ଓ  ବିଜେଡି ଉପନିର୍ବାଚନରେ  ଆସନଟିକୁ ହାତେଇ ସାମୟିକ ଭାବେ ଲାଭ ଦାୟକ ହୋଇପାରେ, ହେଲେ କଂଗ୍ରେସ ଉପରେ ଆକ୍ରମଣ କରି ବା କଂଗ୍ରେସକୁ ଦୁର୍ବଳ କରିବାକୁ ଚେଷ୍ଟା କରି ବିଜେଡି ନିଜ ଗୋଡରେ କୁରାଢି ମାରୁଛି ଏହା ନିଶ୍ଚିତ । କାରଣ କଂଗ୍ରେସକୁ ବିଜେଡି ଯେତେ ଆକ୍ରମଣ କରିବ, ବିଜେପିର ସାମର୍ଥ୍ୟ ସେତିକି ବୃଦ୍ଧିୁ ପାଇବ । କଂଗ୍ରେସ ଭିତରର ଅସନ୍ତୁଷ୍ଟ ଓ ବିଜେଡିର ଅସନ୍ତୁଷ୍ଟ ନେତାମାନଙ୍କୁ ବିଜେପି ଏକାଠି କରି  ୨୦୧୯ ନିର୍ବାଚନ ପୂର୍ବରୁ ନିଜ ସ୍ଥିତିକୁ କନସୋଲିଡେଟ୍ କରିପାରେ, ଯାହାକି ବିଜେଡି ପାଇଁ ବଡ ଆଶଙ୍କା ସୃଷ୍ଟି କରିବା ନିଶ୍ଚିତ । ଆଉ ଠିକ୍ ଏହା ହିଁ ବିଜେପି ଚାହୁଁଛି ଯେ ରାଜ୍ୟରେ ବହୁଧା ବିଭାଜିତ କଂଗ୍ରେସକୁ ଦୁର୍ବଳ କଲେ ଯାଇ ଅସନ୍ତୁଷ୍ଟ ବିଜେଡି ଓ କଂଗ୍ରେସଙ୍କୁ ନେଇ ବିଜେଡିକୁ ଟକ୍କର ଦେବା ସ୍ଥିତିକୁ ଆସିପାରିବ ବା ନିଜ ପାଦତଳେ ମାଟି ଯୋଗାଡ କରିପାରିବ ବିଜେପି  । 
  ସେ ଯାହା ବି ହେଉ, ପୂର୍ବତନ ବିଧାୟକ ସ୍ୱର୍ଗତ ସୁବଳ ସାହୁଙ୍କ ପରିବାରବର୍ଗ ଏବଂ ବହୁ କଂଗ୍ରେସ ପଦାଧିକାରୀଙ୍କ ବିଜୁ ଜନତା ଦଳରେ ଯୋଗଦାନ ପରେ ବିଜେପୁର ନିର୍ବାଚନ ମଣ୍ଡଳୀର ରାଜନୈତିକ ପରିଦୃଶ୍ୟରେ ମସ୍ତବଡ଼ ପରିର୍ବନ ଘଟିଛି । ତେବେ ପରିବର୍ତନ ଏତିକିରେ ସରିଯିବାର ନାହିଁ । ଖୁବ୍ଶୀଘ୍ର ଜନତା ଦଳ ଅମଳର ଜଣେ ବିଧାୟକ ଅଶୋକ ପାଣିଗ୍ରାହୀ ଭାରତୀୟ ଜନତା ପାର୍ଟିରେ ଯୋଗ ଦେବାର ସମ୍ଭାବନା ଅଛି । ତେଣୁ ବିଜେପୁର ଉପ ନିର୍ବାଚନ ଖୁବ୍ ମଜାଦାର ହେବାର ସବୁ ଲକ୍ଷଣ ବର୍ତମାନ ଠାରୁ ଦେଖିବାକୁ ମିଳିଲାଣି । କଂଗ୍ରେସ ପାଇଁ ଏକ ବିପରୀତ ପରିସ୍ଥିତିରେ ସୁଦ୍ଧା ସୁବଳ ସାହୁ ବିଜେପୁର ବିଧାନସଭା ଆସନକୁ ତିନିଥର ହାତେଇ ପାରିଥିଲେ । ତେବେ ସେ ଚାଲିଯିବାର ଅଳ୍ପ ଦିନ ମଧ୍ୟରେ ତାଙ୍କ ପରିବାର ଓ ସମର୍ଥକ ପାଇକାରୀ ଭିତିରେ ବିଜୁ ଜନତା ଦଳକୁ ଚାଲିଯିବା ଦ୍ୱାରା ନିର୍ବାଚନ ମଣ୍ଡଳୀରେ କଂଗ୍ରେସ ପାଇଁ କିଛିଟା ଅଡୁଆ ପରିସ୍ଥିତି ସୃଷ୍ଟି ହୋଇଛି । ହେଲେ  କଂଗ୍ରେସ ପାଖରେ ଏବେ ବି ଲୋକ ଅଛନ୍ତି, କଂଗ୍ରେସ ଏଠାରୁ ନିଶ୍ଚୟ ପ୍ରାର୍ଥୀ ଦେବ । କଂଗ୍ରେସର ନିଜର ଭୋଟବ୍ୟାଙ୍କ ୪୨ ହଜାରରୁ ୪୫ହଜାର ପର୍ଯ୍ୟନ୍ତ ରହିଥିବା ବିଗତ ବର୍ଷର ନିର୍ବାଚନ ଫଳକୁ ଅନୁଧ୍ୟାନ କଲେ ଜଣାପଡେ । ଏଭଳି ସ୍ଥିତିରେ ବିଜେଡ଼ି, କଂଗ୍ରେସ ଓ ବିଜେପି ମଧ୍ୟରେ ଏଠାରେ ତ୍ରୀମୁଖୀ ଲଢେଇ ଥୟ ।
ସ୍ୱର୍ଗତ ସୁବଳ ସାହୁଙ୍କ ପତ୍ନୀ ରୀତା ସାହୁଙ୍କୁ ପ୍ରାର୍ଥୀ କଲେ ସମବେଦନା ଅଜାଡ଼ି ହୋଇପଡ଼ିବ ଏବଂ ବିଜେଡ଼ି ଖୁବ୍ ସହଜରେ ବିଜୟଲାଭ କରିବ ବୋଲି ଅନେକେ ଭାବୁଛନ୍ତି । ତେବେ ପୁରୁଖା କଂଗ୍ରେସ ନେତାଙ୍କ ଚିତା ଶୀତଳ ନ ହେଉଣୁ ତାଙ୍କ ପରିବାରବର୍ଗ ଅନ୍ୟ ଏକ ଦଳର ଡୋର ଧରିବା କେତେଦୂର ସମୀଚିନ – ଏହି ପ୍ରଶ୍ନ ଏବେ ବିଭିନ୍ନ ମହଲରେ ପଚରା ଯାଉଛି । ଏ ପ୍ରଶ୍ନ ଜନସାଧାରଣଙ୍କୁ ବା ଭୋଟରମାନଙ୍କୁ କେତେ ପ୍ରଭାବିତ କରିବ ତାହା କହିହେଉ ନାହିଁ । ଯଦି ଏହା ପ୍ରଭାବିତ କରିବ ତେବେ ନିର୍ବାଚନରେ ବିଜେଡ଼ି ପାଇଁ ହୁଏତ ଏହା ସମସ୍ୟା ସୃଷ୍ଟି କରିପାରେ । ତଥାପି ଶାସକ ଦଳ ପାଇଁ ସ୍ଥି୍ିତି କିଛିଟା ଉତ୍ସାହଜନକ ବୋଲି ମନେ ହେଉଛି । ବିଜେଡ଼ି ପାଇଁ ସମ୍ମାନର ପ୍ରଶ୍ନ ହୋଇଥିବାରୁ ଦଳ ଏଠାରେ ତା’ର ପୂର୍ଣ୍ଣ ଶକ୍ତି ବିନିଯୋଗ କରିବ । ଅପରପକ୍ଷରେ ଗତ ପଂଚାୟତ ନିର୍ବାଚନରେ ଭାରତୀୟ ଜନତା ପାର୍ଟି ଏଠାରେ ଅଭୂତପୂର୍ବ ସଫଳତା ହାସଲ କରିଛି । ୭ଟି ଜିଲ୍ଲା ପରିଷଦ ଆସନରୁ ୬ଟିକୁ ହାତେଇଛି । ଅଶୋକ ପାଣିଗ୍ରାହୀ ଯଦି ସତରେ ବିଜେପିରେ ଯୋଗଦେଇ ଦଳ ପକ୍ଷରୁ ପ୍ରାର୍ଥୀ ହେବେ ତେବେ ବିଜେପିର ମଧ୍ୟ ଶକ୍ତି ବୃଦ୍ଧି ଘଟିବ । ଅଶୋକ ପାଣିଗ୍ରାହୀ ୨୦୦୦ ମସିହାରେ ବିଜେପୁର ଆସନରୁ ବିଜୟୀ ହୋଇଥିଲେ ।  କିନ୍ତୁ ପରେ ତାଙ୍କୁ ଟିକେଟରୁ ବଂଚିତ ହେବାକୁ ପଡ଼ିଥିଲା । ଫଳରେ ସ୍ୱାଧୀନ ପ୍ରାର୍ଥୀ ଭାବରେ ଛିଡା ହୋଇ ସେ ବିଜେଡ଼ିର ପରାଜୟ ଏବଂ କଂଗ୍ରେସର ବିଜୟର ଅନ୍ୟତମ କାରଣ ହୋଇଥିଲେ । ୨୦୧୪ ନିର୍ବାଚନରେ ସ୍ୱାଧୀନ ପ୍ରାର୍ଥୀ ଭାବରେ ଛିଡ଼ା ହୋଇ ସେ ୧୯ ହଜାରରୁ ଉଦ୍ଧ୍ୱର୍ ଭୋଟ ହାସଲ କରିଥିଲେ । ଦଳବିରୋଧୀ କାର୍ଯ୍ୟ ପାଇଁ ତାଙ୍କୁ ବିଜେଡ଼ିରୁ ବହିଷ୍କାର କରାଯାଇଥିଲା । ତେଣୁ ସେ ଯଦି ବିଜେପି ପ୍ରାର୍ଥୀ ହୁଅନ୍ତି ତେବେ ତାଙ୍କ ବ୍ୟକ୍ତିଗତ ଭୋଟ ବିଜେପି ପାଇଁ ବି ସହାୟକ ହୋଇପାରେ  ।

Leave A Reply

Your email address will not be published.