ପୂର୍ବତନ ସାଂସଦ ଜୟନ୍ତୀ ପଟ୍ଟନାୟକଙ୍କ ପରଲୋକ

0

ଭୁବନେଶ୍ୱର :ଓଡ଼ିଶା କଂଗ୍ରେସ ର ବରିଷ୍ଠ ନେତ୍ରୀ, ପୂର୍ବତନ ସାଂସଦ, ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ଜାନକୀ ବଲ୍ଲଭ ପଟ୍ଟନାୟକ ଙ୍କ ଧର୍ମପତ୍ନୀ ଶ୍ରୀମତୀ ଜୟନ୍ତୀ ପଟ୍ଟନାୟକଙ୍କ ଆଜି ୯୦ ବର୍ଷ ବୟସରେ ପରଲୋକ ହୋଇଯାଇଛି |ତାଙ୍କ ବିୟୋଗରେ ବିଭିନ୍ନ ମହଲରେ ଶୋକର ଛାୟା ଖେଳିଯାଇଛି |
ସ୍ବର୍ଗତ ଜୟନ୍ତୀ ପଟ୍ଟନାୟକ ଜାତୀୟ ମହିଳା କମିସନର ପ୍ରଥମ ଅଧ୍ୟକ୍ଷା(୧୯୯୨-୧୯୯୫) ଭାବେ ଦାୟିତ୍ୱ ତୁଲାଇଥିଲେ । ଅଖିଳ ଭାରତ ମହିଳା କଂଗ୍ରେସ କମିଟିର ସଭାନେତ୍ରୀ ଭାବେ ଦାୟିତ୍ୱ ମଧ୍ୟ ତୁଲାଇଥିଲେ।

ସ୍ବର୍ଗତଃ ଜୟନ୍ତୀ ପଟ୍ଟନାୟକ ୧୯୩୨ ମସିହା ଏପ୍ରିଲ ୭ ତାରିଖରେ ଗଞ୍ଜାମ ଜିଲ୍ଲାରେ ଜନ୍ମଗ୍ରହଣ କରିଥିଲେ।  କଟକ ଶୈଳବାଳା ମହିଳା କଲେଜରୁ ଦର୍ଶନ ଓ ସଂସ୍କୃତିରେ ସ୍ନାତକ ଡିଗ୍ରୀ ହାସଲ କରିବା ପରେ ବମ୍ବେ ଟାଟା ଇନଷ୍ଟିଚ୍ୟୁଟ୍ ଅଫ ସୋସିଆଲ୍ ସାଇନ୍ସର ସମାଜ ବିଜ୍ଞାନରେ ଏମଏ ପାସ୍ କରିଥିଲେ । ୧୯୫୩ ମସିହାରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକ ଙ୍କୁ ବିବାହ କରିଥିଲେ । ୧୯୮୦ ମସିହାରେ ସେ ରାଜନୀତିରେ ପ୍ରବେଶ କରିଥିଲେ ଏବଂ କଟକ ଲୋକସଭା ଆସନରୁ ଲାଗ ଲାଗ ଦୁଇଥର ସାଂସଦ ଭାବେ ନିର୍ବାଚିତ ହୋଇଥିଲେ । ୧୯୯୬ ମସିହାରେ ରାଜ୍ୟସଭାକୁ ଏବଂ ୧୯୯୮ ମସିହାରେ ବ୍ରହ୍ମପୁର ଲୋକସଭା ଆସନରୁ ନିର୍ବାଚିତ ହୋଇଥିଲେ ।କେବଳ ରାଜନୀତି ଓ ସମାଜସେବା ନୁହେଁ, ଜଣେ ସୁସାହିତ୍ୟିକା ଓ ଅନୁବାଦିକା ଥିଲେ । ମହାଭାରତ କାହାଣୀ ଏବଂ ଜେ ଏମ ମୁନସୀଙ୍କ କୃଷ୍ନାବତାରର ଓଡ଼ିଆ ଅନୁବାଦ ବେଶ ଲୋକାଦୃତ ହୋଇପାରିଥିଲା | ମୃତ୍ୟୁ ଶଯ୍ୟା ନିକଟରେ ତାଙ୍କ ପୁତ୍ର,ଝିଅ ପ୍ରମୁଖ ବହୁ ପରିବାର ବର୍ଗ ଉପସ୍ଥିତ ଥିଲେ।
ସ୍ବର୍ଗତ ଜୟନ୍ତୀ ପଟ୍ଟନାୟକ ଙ୍କ ପରଲୋକରେ ସାଂସଦ ତଥା ଓଡିଶା ପ୍ରଭାରୀ ଡ଼ ଏ ଚେଲ୍କା କୁମାର,ଏଆଇସିସି ସମ୍ପାଦକ ଜି ରୁଦ୍ରରାଜୁ,ପୂର୍ବତନ ପିସିସି ସଭାପତି ଜୟଦେବ ଜେନା,ପ୍ରସାଦ ହରିଚନ୍ଦନ,ପିସିସି କାଯ୍ୟକାରୀ ସଭାପତି ଚିରଞ୍ଜିବ ବିଶ୍ୱାଳ,ସାଂସଦ ସପ୍ତଗିରି ଉଲାକା,ବିଧାୟକ ଦଳ ନେତା ନରସିଂହ ମିଶ୍ର,ବିଧାୟକ ସୁରେଶ କୁମାର ରାଉତରାୟ,ତାରାପ୍ରସାଦ ବାହିନୀପତି, ସନ୍ତୋଷ ସିଂ ସାଲୁଜା,ପୂର୍ବତନ ମନ୍ତ୍ରୀ ତଥା ଗଣମାଧ୍ୟମ ବିଭାଗ ଅଧ୍ୟକ୍ଷ ଗଣେଶ୍ୱର ବେହେରା ପ୍ରମୁଖ ଶୋକାଵ୍ୟକ୍ତ କରିଛନ୍ତି |

Leave A Reply

Your email address will not be published.