ଭୁବନେଶ୍ୱର : ‘ମୋ କଲେଜ’ ଅଭିଯାନ ଅଧୀନରେ ରାଜ୍ୟର ବିଭିନ୍ନ ବିଶ୍ୱବିଦ୍ୟାଳୟ ଏବଂ ମହାବିଦ୍ୟାଳୟର ସାମଗ୍ରିକ ବିକାଶ ଲାଗି ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯାଉଛି। ଏହି କ୍ରମରେ ଶୁକ୍ରବାର ଦିନ ରାଜ୍ୟ ସରକାର ୧୩ଟି ମହାବିଦ୍ୟାଳୟରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପ ପାଇଁ ୮୫ ଲକ୍ଷ ୮୪ ହଜାର ଟଙ୍କାର ପ୍ରକଳ୍ପକୁ ମଞ୍ଜୁର କରିଛନ୍ତି।
ଏହି ୧୩ଟି ଉଚ୍ଚଶିକ୍ଷାନୁଷ୍ଠାନ ଭିତରେ ରହିଛି – ଅନୁଗୋଳ ଜିଲ୍ଲା ତାଲମୁଲସ୍ଥିତ ଆଞ୍ଚଳିକ ଡିଗ୍ରୀ ମହାବିଦ୍ୟାଳୟ, ବାଲେଶ୍ୱର ଜିଲ୍ଲାର ରେମୁଣା ଡିଗ୍ରୀ ମହାବିଦ୍ୟାଳୟ, ବରଗଡ଼ ଜିଲ୍ଲା ଗାଇସିଲଟ ବ୍ଲକର ପଞ୍ଚାୟତ ସମିତି ମହାବିଦ୍ୟାଳୟ, କଟକ ଜିଲ୍ଲା ଅସୁରେଶ୍ୱରସ୍ଥିତ ସୁଭଦ୍ରା ମହତାବ ମହାବିଦ୍ୟାଳୟ, କଟକ ଜିଲ୍ଲା ଅଡ଼ସପୁରସ୍ଥିତ ଉଦୟନାଥ ସ୍ୱୟଂଶାସିତ ବିଜ୍ଞାନ ଓ ବୈଷୟିକ ମହାବିଦ୍ୟାଳୟ, କଟକସ୍ଥିତ ମହାନଦୀ ବିହାର ମହିଳା ଡିଗ୍ରୀ ମହାବିଦ୍ୟାଳୟ ଏବଂ ଇନ୍ଦିରା ଗାନ୍ଧୀ ମହିଳା ମହାବିଦ୍ୟାଳୟ।
ସେହିପରି ଢେଙ୍କାନାଳ ସ୍ୱୟଂଶାସିତ ମହାବିଦ୍ୟାଳୟ, ଗଞ୍ଜାମ ଜିଲ୍ଲା କୋଦଳାସ୍ଥିତ ଲକ୍ଷ୍ମୀପ୍ରିୟା ଡିଗ୍ରୀ ମହାବିଦ୍ୟାଳୟ, କେନ୍ଦୁଝର ଜିଲ୍ଲାର ଆନନ୍ଦପୁର ମହାବିଦ୍ୟାଳୟ, ମୟୂରଭଞ୍ଜ ଜିଲ୍ଲାର ଖୁଣ୍ଟା ଡିଗ୍ରୀ ମହାବିଦ୍ୟାଳୟ ଏବଂ ସାରସ୍ୱତ ସନ୍ତକ ମହାବିଦ୍ୟାଳୟ, ସମ୍ବଲପୁର ଜିଲ୍ଲାର ଜମନକିରା ଡିଗ୍ରୀ ମହାବିଦ୍ୟାଳୟରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପ କାର୍ଯ୍ୟ ହାତକୁ ନିଆଯାଇଛି।
ଉଚ୍ଚଶିକ୍ଷାନୁଷ୍ଠାନଗୁଡ଼ିକରେ ଛାତ୍ରଛାତ୍ରୀମାନଙ୍କ ସୁବିଧା ପାଇଁ ସାଇକେଲ ଷ୍ଟାଣ୍ଡ, ବାସ୍କେଟ ବଲ୍ କୋଟ୍, କମନ ରୁମ, ଶୌଚାଳୟ ଏବଂ ପାଚେରି ନିର୍ମାଣ ସହିତ ବିଭିନ୍ନ କଲେଜ କୋଠାର ମରାମତି ଆଦି କାର୍ଯ୍ୟ କରାଯିବ। ସେହିପରି କମ୍ପ୍ୟୁଟର, ଆସବାବପତ୍ର କିଣାଯିବା ସହିତ କ୍ୟାଣ୍ଟିନ ଏବଂ ରିଡିଙ୍ଗ ରୁମର ନବୀକରଣ କରାଯିବ। ଏହାସହ କଲେଜଗୁଡ଼ିକରେ ଥଣ୍ଡା ପାନୀୟ ଜଳ ପାଇଁ ମଧ୍ୟ ବ୍ୟବସ୍ଥା କରାଯିବ।
‘ମୋ କଲେଜ’ ଅଭିଯାନ ପରିଚାଳନା ସଙ୍ଗଠନ ଓଡ଼ିଶା ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ଅଧୀନରେ ପ୍ରତିଷ୍ଠିତ ଏକ ସ୍ୱୟଂଶାସିତ ଅନୁଷ୍ଠାନ। ଏହା ଅଧୀନରେ ୭୫୦ରୁ ଅଧିକ ଉଚ୍ଚଶିକ୍ଷାନୁଷ୍ଠାନକୁ ସାମିଲ କରାଯାଇଛି। ପୁରାତନ ଛାତ୍ରଛାତ୍ରୀମାନଙ୍କୁ ଯୋଡ଼ି ବିଭିନ୍ନ ଉଚ୍ଚଶିକ୍ଷାନୁଷ୍ଠାନର ବିକାଶ ଲାଗି ବିଭିନ୍ନ କାର୍ଯ୍ୟକ୍ରମ କରାଯାଉଛି।
ମୋ କଲେଜ ସର୍ତ୍ତାବଳୀ ଅନୁଯାୟୀ, ପୁରାତନ ଛାତ୍ରଛାତ୍ରୀଙ୍କଠାରୁ ଯେତିକି ଅର୍ଥ ମିଳୁଛି ସରକାର ତାହାର ଦୁଇଗୁଣ ଅର୍ଥ ପ୍ରଦାନ କରୁଛନ୍ତି।
Sign in
Sign in
Recover your password.
A password will be e-mailed to you.
Next Post