ଲାଭ ଖାଇ ଅୟସ କରିବେ  ଟ୍ରାକ୍ଟର ମାଲିକ, ଟିକସ ଗଣି ହନ୍ତସନ୍ତ ହେବେ ଲୋକେ 

0

 ବେଲଗାମ ଭାବେ  ଚାଲିଛି ଲୁହା ଚକ ଲଗା ଟ୍ରାକ୍ଟର ,  ନଷ୍ଟ ହେଉଛି କୋଟି କୋଟି ଟଙ୍କାର ରାସ୍ତା ପ୍ରକଳ୍ପ

ବୌଦ୍ଧ (ସିମୁନ୍ ନାଏକ) ; ରାଜ୍ୟର ବିଭିନ୍ନ ସ୍ଥାନରେ ଥିବା ଗୁରୁତ୍ୱପୁର୍ଣ୍ଣ ସଡକ ଗୁଡିକୁ ଚିହ୍ନଟ କରି ଏଥିରେ ଗମନାଗମନ ଓ ପରିବହନ କ୍ଷେତ୍ରରେ ଉନ୍ନତି ଆଣିବା ପାଇଁ ସରକାର ପ୍ରତିବର୍ଷ ଲୋକଙ୍କ ଥାଉ ଆଦାୟ ହେଉଥିବା ଟିକସ ପଇସାରୁ ପ୍ରର୍ଯ୍ୟାପ୍ତ ପରିମାଣରେ ଆର୍ଥିକ ଅନୁଦାନ ଯୋଗାଇ ଦେଉଛନ୍ତି । ଏପରିକି ନିର୍ମାଣ ଶେଷ ହେବାପରେ ରାସ୍ତା ର ରକ୍ଷଣାବେକ୍ଷଣ ପ୍ରତି ଗୁରୁତ୍ୱ ଦେଇ ଏହି ରାସ୍ତା ଉପରେ ଧାରଣ କ୍ଷମତା ଠାରୁ ଅଧିକ ମାଲ ବହନ କରୁଥିବା ଭାରିଯାନ ଓ କାଜୁଆଲ୍ (ଲୁହାଚକ) ଲଗା ଟ୍ରାକ୍ଟର ଚଳାଚଳ ଉପରେ ପ୍ରଶାସନିକ କଡା କଟକଣା ରହିଛି । ହେଲେ ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକରେ ନିର୍ମାଣ ହେଉଥିବା ରାସ୍ତା ପ୍ରକଳ୍ପ ଗୁଡିକର ଉପଯୁକ୍ତ ସୁରକ୍ଷା ପାଇଁ ରହିଥିବା ସରକାରୀ ନିତିନୀୟମ କୁ କାର୍ଯ୍ୟକାରୀ କରିବା କ୍ଷେତ୍ରରେ ସଂପୃକ୍ତ ବିଭାଗୀୟ କର୍ତ୍ତୁପକ୍ଷ ଙ୍କ ଆନ୍ତରିକତା ଓ ଇଛାଶକ୍ତି ର ଅଭାବ ଯୋଗୁଁ କୋଟି କୋଟି ଟଙ୍କାର ରାଜସ୍ୱ ଅର୍ଥରେ ନିର୍ମାଣ କରାଯାଇଥିବା ପ୍ରକଳ୍ପ ଗୁଡିକ କମ ଦିନ ମଧ୍ୟରେ ନଷ୍ଟ ହେବାରେ ଲାଗିଛି । ଏବେ ଅନୁକୂଳ ପାଗ କୁ ଆଖି ଆଗରେ ରଖି ଚାଷୀ ସ୍ୱଳ୍ପ ସମୟ ମଧ୍ୟରେ ଅଧିକ ବିଲ ଚଷିବା ପାଇଁ ମୁଖ୍ୟତ ଟ୍ରାକ୍ଟର ଉପରେ ନିର୍ଭର କରୁଛନ୍ତି । ସ୍ଥାନୀୟ ଅଞ୍ଚଳରେ ସଂମ୍ପ୍ରତି ଚାଷ ପାଇଁ ଟ୍ରାକ୍ଟର ର ଚାହିଦା ଅହେତୁକ ଭାବେ ବୃଦ୍ଧି ପାଇବାରେ ଲାଗିଥିବାରୁ ଏହାର ସୁଯୋଗ ନେଇ ଟ୍ରାକ୍ଟର ମାଲିକ ମାନେ ଚାଷ ଜମିକୁ ଯିବା ପାଇଁ ବେଆଇନ ଭାବେ ନବର୍ନିମିତ ରାସ୍ତା  ଉପରେ କାଜୁଆଲ ଚକ ଲଗା ଟ୍ରାକ୍ଟର ନେବା ଆଣିବା କରୁଥିବାରୁ ରାସ୍ତା ଗୁଡିକ ଅଳ୍ପ ଦିନ ଭିତରେ ନଷ୍ଟ ହେବାରେ ଲାଗିଛି । ହରଭଙ୍ଗା ବ୍ଲକ ର ପୁରୁଣାକଟକ ଠାରୁ ଧଳପୁର ଓ ଚାରିଛକ ଠାରୁ କୁଶଙ୍ଗ – ହରଭଙ୍ଗା ପୁର୍ତ୍ତ ରାସ୍ତା , ତିଲେଶ୍ୱର ଠାରୁ ବୌଦ୍ଧ ଆର୍ ଡି ରାସ୍ତା , ପୁରୁଣାକଟକ ଠାରୁ ସରସରା ପର୍ଯ୍ୟନ୍ତ ଯାଇଥିବା ୫୭ ନଂ ଜାତୀୟ ରାଜପଥ ରେ ଖୋଲାଖୋଲି ଭାବେ ସ୍ପଷ୍ଟ ଦିବାଲୋକରେ ବେଆଇନ ଭାବେ ଏଭଳି ଅବାଧ କାଜୁଆଲ୍ ଟ୍ରାକ୍ଟର ଚଳାଚଳ କରୁଥିଲେ ମଧ୍ୟ ବିଭାଗୀୟ ଅଧିକାରୀ ମାନେ ସବୁ ଜାଣିଶୁଣି ନିରବଦ୍ରଷ୍ଟା ସାଜିଥିବାରୁ ଏହାକୁ ନେଇ ସାଧାରଣ ରେ ତୀବ୍ର ଅସନ୍ତୋଷ ଦେଖାଦେଇଛି । ଅନ୍ୟପଟେ ରାସ୍ତା ର ସୁରକ୍ଷା ପାଇଁ ସ୍ୱତନ୍ତ୍ର ଭାବେ ଲୁହାଚକ ଗୁଡିକରେ ଲଗାଇବା ପାଇଁ ନାଲ କିମ୍ବା ରବର ବ୍ଲେଡ ବଜାର ରେ ଉପଲବ୍ଧ ଥିବା ସତ୍ୱେ ମୁନାଫାଖୋର ଟ୍ରାକ୍ଟର ମାଲିକ ମାନେ ସ୍ୱଳ୍ପ କିଛି ଟଙ୍କା ବ୍ୟୟ କରି ଏହା ବ୍ୟବହାର କରିବା ପରିବର୍ତ୍ତେ ଅବାଧରେ ସେମାନଙ୍କ ବ୍ୟବସାୟ ଚଳାଇଥିବା ଅଭିଯୋଗ ହେଉଛି । ଏ ନେଇ ପୁର୍ତ୍ତ ବିଭାଗର ସହକାରୀ ନିର୍ବାହୀ ଯନ୍ତ୍ରୀ ଇଂ ମାଧବ ସୁନ୍ଦର ପାଢୀ ଙ୍କ ପଚାରିବାରୁ ରାସ୍ତା ନଷ୍ଟ ହେବାର ପ୍ରଧାନ ଶତ୍ରୁ ହେଲା କାଜୁଆଲ୍ ଟ୍ରାକ୍ଟର । ଏଥିପାଇଁ ଏଭଳି ଟ୍ରାକ୍ଟର ବ୍ୟବହାର କରୁଥିବା ମାଲିକ ମାନଙ୍କ ଦାଇତ୍ୱବୋଧ ଓ ଜନ ସଚେତନତା ର ଆବଶ୍ୟକତା ମଧ୍ୟ ରହିଛି । ଏନେଇ ଆମ ବିଭାଗ ପକ୍ଷରୁ ଡିିଆରଡିଏ ମିଟିଂରେ ଦୃଷ୍ଟି ଆକର୍ଷଣ କରିଛୁ । ଯଥା ଶିଘ୍ର ବେଆଇନ ଭାବେ ଚଳାଚଳ କରୁଥିବା କାଜୁଆଲ ଟ୍ରାକ୍ଟର ମାଲିକ ଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ  ନେବା ପାଇଁ ଆମେ ଜିଲ୍ଲା ପୋଲିସ କର୍ତ୍ତୁପକ୍ଷଙ୍କୁ ଜଣାଇବୁ ବୋଲି କହିଥିଲେ ।          

 

 

 

   

 

 

 

 

 

Leave A Reply

Your email address will not be published.