–
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲାର ବିଭିନ୍ନ ସ୍ଥାନରେ ଚାଷୀମାନଙ୍କ ଉତ୍ପାଦିତ ଧାନକୁ ସରକାରଙ୍କ ଉଦ୍ଦେଶରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଖୋଲା ଯାଇଥିବା ଧାନମଣ୍ଡିରେ ଅବ୍ୟବସ୍ଥା ଲାଗି ରହିଥିବା ନେଇ ଏହାର ପ୍ରତିବାଦରେ ଶତାଧିକ ଚାଷୀ ଆନ୍ଦୋଳନ ପାଇଁ ରାଜ ରାସ୍ତାକୁ ଓହ୍ଲାଇଛନ୍ତି ।
ଶତାଧିକ ଚାଷୀ , କୃଷକ ସଂଘ ସଭାପତି ଶ୍ରୀ ସୂର୍ଯ୍ୟ ନାରାୟଣପଟ୍ଟନାୟକଙ୍କ ନେତୃତ୍ୱରେ ସ୍ଥାନୀୟ ପୋଲିସ ଷ୍ଟେସନ ଛକଠାରେ ଏହାର ପ୍ରତିବାଦରେ ରାସ୍ତାରେ ବସି ଆନ୍ଦୋଳନ କରିଥିଲେ ।
ପରେ ସେଠାରୁ ଏକ ବିରାଟ ଶୋଭାଯାତ୍ରାରେ ବାହାରି ବିଭିନ୍ନ ନାରା ଦେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ପହଞ୍ଚି ବିକ୍ଷୋଭ ପ୍ରଦର୍ଶନ କରିବା ସହ ସେଠାରେ ଗଣ-ଧାରଣାରେ ବସି ରାଜ୍ୟ ସରକାର ଓ ପ୍ରଶାସନ ବିରୋଧୀ ବିଭିନ୍ନ ସ୍ଲୋଗାନ ମାନ ଦେଇଥିଲେ ।
ପରେ ୪ ଦଫା ଦାବି ପୂରଣ ନେଇ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଚାଷୀମାନଙ୍କ ପକ୍ଷରୁ ଡେପୁଟି କଲେକ୍ଟର ଶ୍ରୀ ଜୁବୁଲି ଚରଣ ବେହେରା ଏବଂ ଜିଲ୍ଲା ଯୋଗାଣ ଅଧିକାରୀ ଶ୍ରୀ ଶତ୍ରୁଘନ ଗିରିଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ।
ଏହି ଅବସରରେ କୃଷକ ନେତା ଶ୍ରୀ ସୂର୍ଯ୍ୟ ନାରାୟଣ ପଟ୍ଟନାୟକ ଅଭିଯୋଗରେ କହିଥିଲେ ଯେ , ଧାନକିଣା ପ୍ରସ୍ତୁତି ବୈଠକ ହେବା ସତ୍ତ୍ୱେ ଧାନମଣ୍ଡି ବିଳମ୍ବରେ ଖୋଲି ଆରମ୍ଭ କଲେ , ହେଲେ ମଣ୍ଡିରେ ଚାଷୀଙ୍କ ଧାନ ବିକ୍ରୟ ହୋଇପାରୁନି । ଚାଷୀ ମଣ୍ଡିକୁ ଆସୁଛନ୍ତି ଆଉ ଦୀର୍ଘ ସମୟ ଧରି ଅପେକ୍ଷା କଲାପରେ ଘରକୁ ଧାନଧରି ଫେରି ଯାଉଛନ୍ତି ।
ଚାଷୀ ମଣ୍ଡିକୁ ଧାନନେଇ ମଣ୍ଡିରେ ଧାନର ମାନ ନିର୍ଦ୍ଧାରଣ କରାଇ ତାଙ୍କର ବିକ୍ରୟ ଯୋଗ୍ୟଧାନ ମଣ୍ଡିରେ ଦେଇ ବିକ୍ରୟ କରିବା ନିୟମ ଥିବାସତ୍ୱେ ମିଲ ମାଲିକଙ୍କ ଇଙ୍ଗିତରେ ଧାନସବୁ ମିଲ ପରିସରକୁ ନେବାପାଇଁ କୁହାଯାଉଛି। ସେଠାରେ କଟନୀ-ଛଟନି ନାରେ ୫/୬ କେଜି ଧାନ ଅଧିକ ମାଗୁଛନ୍ତି । ଏଥିରେ ଚାଷୀମାନେ ପ୍ରତିବାଦ କଲେ , ଧାନର ମାନ ଖରାପ ଅଛି କହି ମିଲ ମାଲିକ ମାନେ ହଇରାଣ କରୁଛନ୍ତି।
କେତେକ ଚାଷୀଙ୍କ ନାମ ଏ ପର୍ଯ୍ୟନ୍ତ ପଞ୍ଜୀକରଣ ହୋଇ ନ ଥିବା ବେଳେ କେତେକଙ୍କ ଟୋକେନ୍ ଆସିନାହିଁ ଏବଂ କେତେକଙ୍କ ଟୋକେନରେ କମ ପରିମାଣର ଜମିଥିବା ଆସିଛି ଏବଂ ଅନେକ ଚାଷୀ ଏ ପର୍ଯ୍ୟନ୍ତ ମେସେଜ ପାଇନଥିବା ପ୍ରଭୃତି ଏଭଳି ଅନେକ ଅବ୍ୟବସ୍ଥା ତଥା ସମସ୍ୟା ରହିଛି ବୋଲି ଅଭିଯୋଗରେ କହିଛନ୍ତି।
Sign in
Sign in
Recover your password.
A password will be e-mailed to you.