” ସବୁଜ ଗ୍ୟାସ ଉତ୍ସର୍ଜ୍ଜନ ନିୟନ୍ତ୍ରଣ କରିବାକୁ ସଚେତନତା ସୃଷ୍ଟି ନହେଲେ ମାନବ ଜାତି ପାଇଁ ଅଦ୍ଭୁତପୂର୍ବ ବିପଦ ମାଡି ଆସିବ “
ନୂଆଦିଲ୍ଲୀ : ବରିଷ୍ଠ ସାମ୍ବାଦିକ ତଥା ସ୍ତମ୍ଭକାର ବିଭୂତି ପତିଙ୍କ ପୁସ୍ତକ ‘ସୂନ୍ ସିଜିନ୍’ ବା ଅଚେତ ଋତୁ ଭାରତୀୟ ପାଣିପାଗ ବିଜ୍ଞାନ ବିଭାଗର ବିଶିଷ୍ଟ ବୈଜ୍ଞାନିକ ତଥା ମହାନିର୍ଦ୍ଦେଶକ ଡକ୍ଟର ମୃତ୍ୟୁଞ୍ଜୟ ମହାପାତ୍ରଙ୍କ ଦ୍ୱାରା ଉନ୍ମୋଚିତ ହୋଇଯାଇଛି ଉନ୍ମୋଚିତ କରିଛନ୍ତି । ପୁସ୍ତକଟିରେ ଜଳବାୟୁ ପରିବର୍ତ୍ତନ ଓ ବିଶ୍ୱ ତାପମାତ୍ରା ବୃଦ୍ଧି ତଥା ଅନିୟମିତ ପାଣିପାଗ ପରିବର୍ତ୍ତନର ଘଟଣା ଉପରେ ତଥ୍ୟ ଓ ଗବେଷଣାଭିତ୍ତିକ ଲେଖା ରହିଛି । ପୁସ୍ତକଟିରେ ଆଗାମୀ ଦିନରେ ଜଳବାୟୁ ପରିବର୍ତ୍ତନ ଓ ବିଶ୍ୱ ତାପମାତ୍ରା ବୃଦ୍ଧିର ଅସ୍ପଷ୍ଟ ଭୟାବହତା ଓ ବିପଦ ଉପରେ ଆଲୋକପାତ କରାଯାଇଛି ।
“ଜଳବାୟୁ ପରିବର୍ତ୍ତନ” ଓ ବିଶ୍ୱ ତାପମାତ୍ରା ବୃଦ୍ଧି କାରଣରୁ ପାଣିପାଗରେ ବ୍ୟାପକ ଅନିୟମିତତା ସୃଷ୍ଟି ହୋଇ ଆଗାମୀ ଦିନରେ ମଣିଷ ସମାଜ ପାଇଁ ବିପଦ ସୃଷ୍ଟି କରିବ । ସବୁଜ ଗ୍ୟାସ ଉତ୍ସର୍ଜ୍ଜନ ନିୟନ୍ତ୍ରଣ କରିବାକୁ ସଚେତନତା ସୃଷ୍ଟି ନହେଲେ ମାନବ ଜାତି ପାଇଁ ଅଦ୍ଭୁତପୂର୍ବ ବିପଦ ମାଡି ଆସିବ । ଲେଖକ, ସାମ୍ବାଦିକ ଏବଂ ବୁଦ୍ଧିଜୀବୀ ପରିବେଶ, ଜୈବବିବିଧତା, ଜଳବାୟୁ ପରିବର୍ତ୍ତନ, ବିଶ୍ୱ ତାପମାତ୍ରା ବୃଦ୍ଧି ଓ ପରିସଂସ୍ଥାନର ସୁରକ୍ଷା ତଥା ପାଣିପାଗ ଓ ଋତୁ ପରିବର୍ତ୍ତନର ଅନିୟମିତତା ଉପରେ ସଚେତନତା ଓ ସତର୍କ ସୂଚନା ଲୋକଙ୍କୁ ଜଣାଇବା ଦିଗରେ ଦାୟିତ୍ୱ ସମ୍ପନ୍ନ ଲେଖା ଅଧିକରୁ ଅଧିକ ପ୍ରକାଶ କରିବା ଆଜିର ଦିନରେ ଆବଶ୍ୟକ ପଡୁଛି ବୋଲି ଡକ୍ଟର ମହାପାତ୍ର କହିଥିଲେ । ଏହା ସହିତ ପରିବେଶ, ବନ୍ୟପ୍ରାଣୀ ଓ ଜୈବବିବିଧତା ଉପରେ ରିପୋର୍ଟିଂ କରୁଥିବା ସାମ୍ବାଦିକମାନଙ୍କ ଉପରେ ବିଶ୍ୱସ୍ତରରେ ହେଉଥିବା ଆକ୍ରମଣକୁ ନେଇ ଉଦବେଗ ଜତାଇଥିଲେ ।
ପୁସ୍ତକର ପ୍ରକାଶିତ ଲେଖାଗୁଡିକୁ ମୁଖବନ୍ଧ ତଥା ନାମକରଣ କୁ ପ୍ରଶଂସା କରି ଆଜିର ଦିନରେ ଏଭଳି ପୁସ୍ତକର ଓ ଲେଖାର ଯଥେଷ୍ଟ ଆବଶ୍ୟକତା ରହିଛି ବୋଲି କହିଥିଲେ । ପୁସ୍ତକଟିର ଉନ୍ମୋଚନରେ ପାଣିପାଗ ତଥା ପୃଥିବୀ ବିଜ୍ଞାନ ବିଭାଗର ବରିଷ୍ଠ ବୈଜ୍ଞାନିକ ଓ ଜଳବାୟୁ ପରିବର୍ତ୍ତନ ବିଶେଷଜ୍ଞମାନେ ଉପସ୍ଥିତ ରହିଥିଲେ । ପୁସ୍ତକଟିର ପ୍ରକାଶକ ଲୋରେନ୍ ରାଇଟ୍ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ । ପୁସ୍ତକଟିର ଲେଖକ ବିଭୂତି ପତି ପ୍ରାୟ ଏକଦଶନ୍ଧି ଧରି ଜଙ୍ଗଲ, ପରିବେଶ, ବନ୍ୟପ୍ରାଣୀ ଓ ଜଳବାୟୁ ପରିବର୍ତ୍ତନ ଉପରେ ଲେଖାଲେଖି କରିଆସୁଛନ୍ତି । ତାଙ୍କର ଅନେକ ପ୍ରବନ୍ଧ ଜାତୀୟ ଓ ଆନ୍ତର୍ଜାତିକ ସ୍ତରରେ ଆଦୃତ ହୋଇ ସେ ପ୍ରଶଂସିତ ହୋଇଛନ୍ତି ।