ସ୍ବାସ୍ଥ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ଜିଲ୍ଲା ସ୍ତରୀୟ ଆଶା, ଗାଁ କଲ୍ୟାଣ ସମିତି ଏବଂ ମହିଳା ଆରୋଗ୍ୟ ସମିତି ସମାବେଶ 

0 2

ଝାରସୁଗୁଡ଼ା :(ସୁଭାଷ ସହାରେ) : ଝାରସୁଗୁଡ଼ା ଜିଲ୍ଲା ସଦର ମହକୁମା ଡାକ୍ତରଖାନା ପରିସରରେ ଜିଲ୍ଲାସ୍ତରୀୟ ଆଶା, ଗାଁ କଲ୍ୟାଣ ସମିତି ଓ ମହିଳା ଆରୋଗ୍ୟ ସମିତିର ବାର୍ଷିକ ସମାବେଶ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ମୂଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ ଝାରସୁଗୁଡ଼ା ବିଧାୟକ ତଥା ରାଜ୍ୟର ସ୍ବାସ୍ଥ୍ୟମନ୍ତ୍ରୀ ଶ୍ରୀ ନବକିଶୋର ଦାସ। 

ନିଜ ଅଭିଭାଷଣରେ ସ୍ବାସ୍ଥ୍ୟମନ୍ତ୍ରୀ ଶ୍ରୀ ନବକିଶୋର ଦାସ ରାଜ୍ୟ ସରକାର ସ୍ବାସ୍ଥ୍ୟ ସେବାକୁ ପ୍ରାଥମିକତା ଦେଉଛନ୍ତି ବୋଲି ଜଣାଇଥିଲେ। ଜିଲ୍ଲାରେ ସ୍ବାସ୍ଥ୍ୟସେବାକୁ ଆହୁରି ସୁଦୃଢ଼ କରାଯିବ ବୋଲି କହିବା ସହ କୋରୋନା କାଳରେ ଡାକ୍ତର, ଆଶାକର୍ମୀ, ଅଙ୍ଗନୱାଡି କର୍ମୀ, ସମସ୍ତ ସ୍ବାସ୍ଥ୍ୟକର୍ମୀ, ପୋଲିସ ତଥା ଜିଲ୍ଲା ପ୍ରଶାସନର କାର୍ଯ୍ୟକୁ ମୁକ୍ତକଣ୍ଠରେ ପ୍ରଶଂସା କରିଥିଲେ। 

ଏହି କାର୍ଯ୍ୟକ୍ରମରେ ଯୋଗଦାନ କରି ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ସାମଲ କୋଭିଡର ଦ୍ବିତୀୟ ପର୍ଯ୍ୟାୟର ସଂକ୍ରମଣର ଭୟାବହତା ବିଷୟରେ ସାବଧାନ କରି ସମସ୍ତଙ୍କୁ ସଚେତନ ରହିବାକୁ ପରାମର୍ଶ ଦେଇଥିଲେ। ଏହା ବ୍ୟତୀତ ସମସ୍ତ ଆଶା କର୍ମୀ ଓ ଅଙ୍ଗନୱାଡି କର୍ମୀମାନଙ୍କ କୋରୋନା କାଳରେ ଭୂମିକାକୁ ପ୍ରଶଂସା କରିବା ସହିତ ଜିଲ୍ଲାରେ ଗର୍ଭବତୀ ମହିଳା ଓ ଶିଶୁମୃତ୍ୟୁ ହାର ହ୍ରାସ କରିବା ଦିଗରେ ଯେପରି ଚେଷ୍ଟିତ ହେବେ, ସେଥିପାଇଁ ପଦକ୍ଷେପ ନେବାକୁ କହିଥିଲେ। 

ଏହି ଅବସରରେ ସଚେତନତା ସୃଷ୍ଟି ନିମନ୍ତେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିପାଇଁ କୁଇଜ କାର୍ଯ୍ୟକ୍ରମ ସହିତ ପାଲା ପରିବେଷଣ ମାଧ୍ୟମରେ ସଚେତନତା ସୃଷ୍ଟି କରିବା ପାଇଁ ପ୍ରୟାସ କରାଯାଇଥିଲା। ବିଭିନ୍ନ କ୍ଷେତ୍ରର ଉଲ୍ଲେଖନୀୟ ପ୍ରଦର୍ଶନ ନିମନ୍ତେ ପୁରସ୍କାର ପ୍ରଦାନ କରାଯାଇଥିଲା। ୨୦୨୦-୨୧ ପାଇଁ ସୁସ୍ଥ ଗ୍ରାମ ପଞ୍ଚାୟତ ଭାବରେ ସାହାସପୁର, ଲଖନପୁର ଓ ଭଅଁରଖୋଲ ପଞ୍ଚାୟତ ପୁରସ୍କୃତ ହୋଇଥିବା ବେଳେ ୨୦୧୯-୨୦ ବର୍ଷ ପାଇଁ ବନ୍ଧପାଲି, ଚାରପାଲି ଓ ତିଲିଆ ଗ୍ରାମ ପଞ୍ଚାୟତ ପୁରସ୍କୃତ ହୋଇଛନ୍ତି। ସୁସ୍ଥ ଗ୍ରାମ ଭାବରେ ପରମାଣପୁର, ତାଲମୁଣ୍ଡା, ଢେଙ୍ଗୁରଜୋର, ଭାତଲାଇଡ଼ା,ମରାକୁଟା,ଠାକୁରପାଲି, ଟେଙ୍ଗଣାମାଲ,ଶ୍ରୀପୁରା,ଗୁଡ଼ିଗାଁ, ଦେବଦରହା ପୁରସ୍କୃତ ହୋଇଥିବା ବେଳେ ବ୍ୟକ୍ତିଗତ ଭାବରେ ୨୦୨୦-୨୧ ପାଇଁ ଶ୍ରୀମତୀ ଶିଖା ପ୍ରଧାନ, ପ୍ରତିମା ପ୍ରଧାନ ଓ ପୁର୍ଣ୍ଣିମା କୁସୁମ ଏବଂ 

୨୦୧୯-୨୦ପାଇଁ ପୁଷ୍ପାମଞ୍ଜରୀ କାଲୋ , ପାର୍ବତୀ ବେହେରା ଓ ଗୋପିରାଣୀ ବାଗ ପୁରସ୍କୃତ ହୋଇଛନ୍ତି । ଏହାବ୍ୟତୀତ ଜିଲ୍ଲାର ୭୬ଗୋଟି ମହିଳା ଆରୋଗ୍ୟ ସମିତିକୁ ମଧ୍ୟ ପୁରସ୍କୃତ କରାଯାଇଥିଲା ।

ଏହି ଅବସରରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ତପିରାମ ମାଝୀ ମଧ୍ୟ ସମାବେଶରେ ଉପସ୍ଥିତ ଥିଲେ। ସିଡିଏମ୍ଓ ଡାକ୍ତର ଲାଲମୋହନ ରାଉତରାୟ ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିବା ବେଳେ ଏଡିଏମ୍ଓ ଡାକ୍ତର ଡୋଳାମଣି ପଟେଲ ସମାବେଶ ଆୟୋଜନ ସମ୍ପର୍କରେ ଆଲୋଚନା କରିଥିଲେ । ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ସୁପ୍ରଭା ସେଠ ସାମାଜିକ ଦାୟିତ୍ବ ସମ୍ପର୍କରେ ଓ ଡିପିଏମ୍ ବୁଲୁନାଥ ସାହୁ ଜାତୀୟ ସ୍ୱାସ୍ଥ୍ୟ ମିଶନ କାର୍ଯ୍ୟକ୍ରମର ସଫଳତା ବିଷୟରେ ଆଲୋଚନା କରିଥିଲେ ।  ରମେଶ ମିଶ୍ର କାର୍ଯ୍ୟକ୍ରମ ସଂଯୋଜନା କରିଥିଲା ବେଳେ ବିରାଟ ରାଜା ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମ ପରି ପରିଚାଳନାରେ ଆଶା ସଂଯୋଜକ ନେତ୍ରାନନ୍ଦ ଜେନା ଙ୍କ ସମେତ ସ୍ୱାସ୍ଥ୍ୟ ବିଭାଗର ଅଧିକାରୀ ଓ କର୍ମଚାରୀମାନେ ସହଯୋଗ କରିଥିଲେ ।

Leave A Reply

Your email address will not be published.