ଭାରତରେ ୨୦୨୫ ସୁଦ୍ଧା ଯକ୍ଷ୍ମା ମୁଳୋତ୍ପାଟନ ଲକ୍ଷ୍ୟ

0 2

ଭୁବନେଶ୍ୱର : ୨୦୨୫ ସୁଦ୍ଧା ଦୁଃସାଧ୍ୟ ବ୍ୟାଧି ଯକ୍ଷ୍ମା ବା ଟ୍ୟୁବରକ୍ୟୁଲୋସିସ୍ (ଟି.ବି)ର ସମ୍ପୂର୍ଣ୍ଣ ମୁଳୋତ୍ପାଟନ ନିମନ୍ତେ ଭାରତ ପ୍ରସ୍ତୁତ ହେଉଥିବା ବେଳେ ଏହି ରୋଗ ସହ ଯୁଦ୍ଧ କରିବା ପାଇଁ କ୍ୟାଟରିଜ ବ୍ୟବହୃତ ନୁ୍ୟକ୍ଲି ଏସିଡ୍ ଆମ୍ପ୍ଲିଫିକେସନ୍ ଟେଷ୍ଟ (ସିବିନାଟ) ମେସିନ୍ ବ୍ୟବହାର ଖୁବ୍ ଶକ୍ତିଶାଳୀ ଅସ୍ତ୍ର ଭାବେ ଉଭା ହୋଇପାରିଛି ।

ଟ୍ୟୁବରକ୍ୟୁଲୋସିସ୍ ଚିକିତ୍ସା ନିମନ୍ତେ ସିବିନାଟ ଏକ ଆଶୀର୍ବାଦ ପାଲଟିଥିବା ବେଳେ ଓଡ଼ିଶାର ସମସ୍ତ ଜିଲ୍ଲାରେ ଅତି କମ୍ରେ ଗୋଟିଏ ଲେଖାଏଁ ମେସିନ୍ ରଖାଯାଇଛି ଯାହା କି କିଛି ଘଂଟା ମଧ୍ୟରେ ଡ୍ରଗ ରେଜିଷ୍ଟାଂଟ ଟିବି କୁ ଚିହ୍ନଟ କରିପାରିବ ବୋଲି ସୂଚନା ଦେଇଛନ୍ତି କଟକ ସ୍ଥିତ ଏସସିବି ମେଡିକାଲ କଲେଜ ଆଣ୍ଡ ହସପିଟାଲ ସ୍ଥିତ ଇଂଟିଗ୍ରେଟେଡ ରେଫରେନ୍ସ ଲାବୋରେଟୋରୀର ସିନିୟର କନସଲଟାଂଟ ମାଇକ୍ରୋବାୟୋଲୋଜିଷ୍ଟ ଡ. ପରେଶ ମହାନ୍ତି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପୃଥିବୀରୁ ୨୦୩୦ ସୁଦ୍ଧା ଟିବିର ସମ୍ପୂର୍ଣ୍ଣ ମୁଳୋତ୍ପାଟନ ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରିଥିବାବେଳେ କେନ୍ଦ୍ର ସରକାର ୫ ବର୍ଷ ପୂର୍ବରୁ ଦେଶରୁ ଏହି ରୋଗକୁ ସମ୍ପୂର୍ଣ୍ଣ ନିଶ୍ଚିହ୍ନ କରିବା ପାଇଁ ପଦକ୍ଷେପ ନେଉଥିବା ସୂଚନା ଦେଇଛନ୍ତି ଡ. ମହାନ୍ତି ।

ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନଷ୍ଟିଟ୍ୟୁଟ ଅଫ ମେଡିକାଲ ସାଇନସେସ ଆଣ୍ଡ ସମ୍ ହସପିଟାଲର ପଲମୋନାରୀ ମେଡିସିନ ବିଭାଗ ପକ୍ଷରୁ ଆୟୋଜିତ କଂଟିନ୍ୟୁଇଙ୍ଗ ମେଡିକାଲ ଏଜୁକେସନ (ସିଏମଇ) କାର୍ଯ୍ୟକ୍ରମରେ ଯୋଗ ଦେଇ ସେ ଏହି ସୂଚନା ଦେଇଛନ୍ତି । ଜାନୁୟାରୀ ୧, ୨୦୨୦ ରୁ ଆରମ୍ଭ ହୋଇଥିବା ଜାତୀୟ ଯକ୍ଷ୍ମା ନିୟନ୍ତ୍ରଣ କାର୍ଯ୍ୟକ୍ରମ (ଆରଏନଟିସିପି)କୁ କେନ୍ଦ୍ର ସରକାର ତ୍ୱରାନ୍ୱିତ କରି ଜାତୀୟ ଯକ୍ଷ୍ମା ମୁଳୋତ୍ପାଟନ କାର୍ଯ୍ୟକ୍ରମ (ଏନଟିଇପି)କୁ ଅଧିକ ତୀବ୍ର କରିବାକୁ ଯୋଜନା ଆରମ୍ଭ କରିଛନ୍ତି ବୋଲି ସେ କହିଥିଲେ ।

ଡ. ମହାନ୍ତି କହିଛନ୍ତି ଯେ ବିଶ୍ୱରେ ୧ କୋଟି ଲୋକ ଯକ୍ଷ୍ମା ରୋଗରେ ପୀଡିତ ଥିବାବେଳେ ଏଥି ମଧ୍ୟରୁ ଭାରତରେ ୨୭ ଲକ୍ଷ ଯକ୍ଷ୍ମା ରୋଗୀ ରହିଛନ୍ତି ଯେଉଁ ମାନଙ୍କ ମଧ୍ୟରୁ ୬୪ ପ୍ରତିଶତ ଲୋକ ବିଭିନ୍ନ ବେସରକାରୀ ଡାକ୍ତରଖାନା ଓ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସିତ ହେଉଛନ୍ତି । ତେବେ ଅଧିକାଂଶ ଯକ୍ଷ୍ମାରୋଗୀ ଘରୋଇ ହସପିଟାଲରେ ଚିକିତ୍ସିତ ହେଉଥିବାରୁ ଜାତୀୟ ଟୁ୍ୟବରକୁ୍ୟଲୋସିସ୍ (ଟି.ବି) ମୁଳୋତ୍ପାଟନ କାର୍ଯ୍ୟକ୍ରମ ଜରିଆରେ ସେମାନଙ୍କୁ ଚିହ୍ନଟ କରିବା ସମ୍ଭବ ହୋଇପାରୁନାହିଁ । ତେଣୁ ଏହା ଦ୍ୱାରା ଜାତୀୟ ସ୍ତରରେ ଏହି ରେଗୀମାନଙ୍କୁ ଚିହ୍ନଟ କରିବାରେ ସମସ୍ୟା ସୃଷ୍ଟି ହେଉଛି ବୋଲି ସେ କହିଛନ୍ତି । ସେ ଆହୁରି ମଧ୍ୟ କହିଥିଲେ ଯେ ଘରୋଇ ସ୍ୱାସ୍ଥ୍ୟ କେନ୍ଦ୍ର ଗୁଡିକ ସରକାରୀ ହସପିଟାଲରେ ଥିବା ସିବିନାଟର ସୁଯୋଗ ଉଠାନ୍ତୁ ଏବଂ ମାଗଣାରେ ଏହି ରୋଗକୁ ଚିହ୍ନଟ କରିବାରେ ସହାୟକ ହୁଅନ୍ତୁ । ଯାହା ଦ୍ୱାରା ଏହି ରୋଗ ବିରୁଦ୍ଧରେ ଯୁଦ୍ଧକୁ ତୀବ୍ର କରିବା ସମ୍ଭବ ହେବ । ଡେରିରେ ଚିକିତ୍ସା କରାଇଲେ ଡ୍ରଗ ରେଜିଷ୍ଟାଂଟ ଟିବିରେ ପୀଡିତ ରୋଗରେ ମୃତ୍ୟୁ ହେବାର ମଧ୍ୟ ଯଥେଷ୍ଟ ସମ୍ଭାବନା ରହିଛି । ମାତ୍ର ଏହି ସଂକ୍ରମଣକୁ ପରାସ୍ତ କରିବା ନିମନ୍ତେ ବେଡାକୁଇଲିନ ଓ ଡେଲାମାନିଡ ଭଳି ନୂତନ ଔଷଧ ଉପଲବ୍ଧ ଅଟେ ।

ଏହି କାର୍ଯ୍ୟକ୍ରମରେ ଏନଟିଇପିର ମେଡିକାଲ ଅଫିସର ଡ. ଶାରଦା ପ୍ରସନ୍ନ ମିଶ୍ର, ଆଇଏମଏସ ଆଣ୍ଡ ସମ୍ ହସପିଟାଲର ମେଡିକାଲ ସୁପରିଟେଣ୍ଡେଂଟ ପ୍ରଫେସର ପୁଷ୍ପରାଜ ସାମନ୍ତସିଂହାର, ସମ୍ ହସପିଟାଲର ପଲମୋନାରୀ ମେଡିସିନ ବିଭାଗର ମୁଖ୍ୟ ପ୍ରଫେସର ବନାନୀ ଜେନା ଏବଂ ପ୍ରଫେସର ରାକ୍ଷୀ ଲୁଦାମ ପ୍ରମୁଖ ବକ୍ତବ୍ୟ ରଖିଥିଲେ ।

Leave A Reply

Your email address will not be published.