ବନ୍ଧା ହେଲେ ରସିକିଆ ଅବକାରୀ କନେଷ୍ଟବଳ 

0 2

ବିବାହର ପ୍ରତିଶ୍ରୁତି ଦେଇ ପ୍ରତାରଣା, ଥାନାରେ ମାମଲା ଦେଲେ ପୀଡିତା  

ବାରିପଦା(ଦିଲ୍ଲୀପ ମହାନ୍ତି)- ପ୍ରଥମେ ଦେଖା ସାକ୍ଷାତ, ପରେ ବନ୍ଧୁତ୍ୱ ଓ ଶେଷରେ ବିବାହର ପ୍ରତିଶ୍ରୁତି ଦେଇ ଶାରିରୀକ ସମ୍ପର୍କ ପରେ ପ୍ରତାରଣାକୁ ନେଇ ପୀଡିତା ପକ୍ଷରୁ ବାରିପଦା ଟାଉନ ଥାନାରେ ଅଭିଯୋଗ ହେବାର ୬ ଘଣ୍ଟା ମଧ୍ୟରେ ପୁଲିସ ପକ୍ଷରୁ ଅଭିଯୁକ୍ତ ଅବକାରୀ ବିଭାଗର କନେଷ୍ଟବଳକୁ ଗିରଫ କରାଯାଇଥିବାର ଜଣାପଡ଼ିଛି । ପ୍ରାପ୍ତ ସୂଚନାରୁ ଜଣାପଡ଼ିଛି, ବାରିପଦା ପୌରପରିଷଦର ଜନୈକ ୨୫ ବର୍ଷିୟା ଯୁବତୀ ୨୦୧୬ରେ ଭଦ୍ରକ  ସ୍ୱୟଂ ଶାସିତ ମହାବିଦ୍ୟାଳୟରେ +୩ରେ ଶେଷ ବର୍ଷରେ ଅଧ୍ୟନ କରୁଥିବା ସମୟରେ ଭଦ୍ରକ  ଟାଉନ ଥାନା ଅଧୀନ କାଁଶ ମାତୃମଙ୍ଗଳ ସେଣ୍ଟରେ ରହି ଭଦ୍ରଖ ଅବକାରୀ ବିଭାଗରେ କନେଷ୍ଟବଳ ଚାକିରୀ କରୁଥିବା ତିହିଡ଼ି ଥାନା କୋହ୍ଲା ଗ୍ରାମର ଶଙ୍କର୍ଷଣ ପଣ୍ଡାଙ୍କ ପୁଅ ଶିବ ପ୍ରସାଦ ସାହୁ ଓରଫ ଶିବ(୩୨)ଙ୍କ ସହିତ ଦେଖାସାକ୍ଷାତ ହୋଇଥିଲା । ଏହାପରେ ପରସ୍ପର ମଧ୍ୟରେ କଥାବାର୍ତ୍ତା ଓ ପରେ ବନ୍ଧୁତା ଗଢ଼ି ଉଠିଥିଲା । ଏହାପରେ ଶିବ ବିବାହର ପ୍ରତିଶ୍ରୁତି ଦେଇ ଯୁବତୀ ସହିତ ୨୦୧୬ ସେପ୍ଟେମ୍ବର ମାସରେ ଶାରିରୀକ ସମ୍ପର୍କ ରଖିଥିଲେ । ପରସ୍ପର ମଧ୍ୟରେ କିଛି ଦିନ ଏହିପରି ଚାଲିବା ପରେ ହଠାତ୍ ଶିବ ତାର ମୋବାଇଲ ସୁଇଚ ଅଫ୍ କରି ଦେଇଥିଲା । ଯୁବତୀ ଜଣକ ଶିବ ସହିତ ବାରମ୍ବାର ଯୋଗାଯୋଗ ଉଦ୍ୟମ କରି ଆସୁଥିଲା । ଏହି ସହୟରେ ହଠାତ୍ ଦିନେ ଶିବ ସହିତ ମୋବାଇଲରେ ଯୋଗାଯୋଗ ହେବାରୁ ଯୁବତୀକୁ ଖରାପ ଭାଷାରେ ଗାଳିଗୁଲଜ କରିବା ସହିତ ତା ସହ ସମ୍ପର୍କ ନ ରଖିବାକୁ ଚେତାବନୀ ଦେଇଥିଲା । ଏହି ସମୟରେ ଯୁବତୀ ଜଣକ ଶିବ ବିବାହିତ ବୋଲି ଜାଣିବାକୁ ପାଇଥିଲା ଏବଂ ମିଥ୍ୟା ବିବାହର ପ୍ରତିଶ୍ରୁତି ଦେଇ ପ୍ରତାରିତ କରିଥିବାର ଧରାପଡ଼ିଯାଇଥିଲା । କିନ୍ତୁ ଯୁବତୀ ନିକଟରେ ଶିବ ତା ସାଙ୍ଗରେ ପ୍ରତାରଣା କରିଥିବାର କୌଣସି ପ୍ରମାଣ ନ ଥିବାରୁ ନୀରବ ରହିବାକୁ ବାଧ୍ୟ ହୋଇଥିଲା । ଏହି ସମୟରେ ହଠାତ୍ ୨୦୧୯ରେ ଶିବ ଯୁବତୀ ସହିତ ଚାଟିଂ କରିବା ଆରମ୍ଭ କରି ଦେଇଥିଲା ଏବଂ ଯୁବତୀ ସହିତ ରଖିଥିବା ସମ୍ପର୍କ ବିଷୟରେ ତା ପରିବାରର ସଦସ୍ୟମାନଙ୍କ ନିକଟରେ ପ୍ରକାଶ ନ କରିବାକୁ ପରାମର୍ଶ ଦେଇଥିଲା । ମୋବାଇଲରେ ଚାଟିଂ କରିବା ସମୟରେ ଯୁବତୀ ଜଣକ ଶିବର ସମସ୍ତ କଳା କାରନାମାର ସମସ୍ତ ପ୍ରମାଣ ଯୋଗାଡ଼ କରିବା ପରେ ଗତ ଫେବୃଆରୀ ୧୮ ରାତିରେ ବାରିପଦା ଟାଉନ ଥାନାରେ ଲିଖିତ ଅଭିଯୋଗ କରିବା ପରେ ଥାନାରେ ଭାରତୀୟ ଦଣ୍ଡବିଧି ଆଇନ ଧାରା ୩୭୬, ୨୯୪, ୫୦୬ ଓ ୪୧୭ ଅନୁସାରେ କେଶ ନମ୍ବର ୧୪୦/୨୦୨୧ରେ  ଏକ ମାମଲା ରୁଜୁ କରାଯାଇ ଅଭିଯୁକ୍ତ ଅବକାରୀ ବିଭାଗର କନେଷ୍ଟବଳକୁ କାଁଶରୁ ଗିରଫ କରାଯାଇଥିଲା । ଏହାପରେ ବାରିପଦା ଟାଉନ ଥାନା ପୁଲିସ ପିଡ଼ିତା ଯୁବତୀ ନିକଟରୁ ସେକ୍ସନ ୧୬୧ ସିଆରପିସିରେ ବୟାନକୁ ରେକଡ଼ିଂ କରିବା ପରେ ଡ଼ାକ୍ତରୀ ପରୀକ୍ଷା ନିମନ୍ତେ ପଠାଇ ଥିଲେ ଏବଂ ଅଭିଯୁକ୍ତ ଶିବକୁ କୋର୍ଟ ଚାଲାଣ କରାଯାଇଥିବାର ପୁଲିସ ସୂତ୍ରରୁ ଜଣାପଡ଼ିଛି ।

Leave A Reply

Your email address will not be published.