କେରଳରେ ରାଷ୍ଟ୍ର ଉଦ୍ଦେଶ୍ୟରେ ଏକାଧିକ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ

0 2

କେରଳ ଓ ଦକ୍ଷିଣ ଭାରତର ସାମଗ୍ରିକ ବିକାଶକୁ ତ୍ୱରାନ୍ୱିତ କରିବ – ପ୍ରଧାନମନ୍ତ୍ରୀ

ଲୋକାର୍ପିତ ପିଡିପିପି ପ୍ଲାଂଟରୁ  ବିଦେଶରୁ ଆମଦାନୀ ହେଉଥିବା ସର୍ବୋତ୍କୃଷ୍ଟ  ମାନର ପେଟ୍ରୋକେମିକାଲ ଉତ୍ପାଦିତ ହେବ – ଧର୍ମେନ୍ଦ୍ର ପ୍ରଧାନ

କେରଳ/ଭୁବନେଶ୍ୱର– କେରଳର କୋଚି ଠାରେ ରବିବାର ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପିତ ପେଟ୍ରୋକେମିକାଲ୍ସ ପ୍ରକଳ୍ପ ସମେତ ଏକବିଂଶ ଶତାବ୍ଦୀର ଏକାଧିକ ଭିତିଭୂମି ପ୍ରକଳ୍ପ ଗୁଡିକ କେରଳ ତଥା ଦକ୍ଷିଣ ଭାରତର ସାମଗ୍ରିକ ଶିଳ୍ପ ଏବଂ ଅର୍ଥନୀତି ବିକାଶକୁ ତ୍ୱରାନ୍ୱିତ କରିବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି । ସେହିପରି ଲୋକାର୍ପିତ ହୋଇଯାଇଥିବା ଭାରତ ପେଟ୍ରୋଲିୟମ କର୍ପୋରେସନ ଲିମିଟେଡ଼(ବିପିସିଏଲ)ର ୬ ହଜାର କୋଟି ଟଙ୍କା ବ୍ୟୟରେ ନିର୍ମିତ କୋଚି ବିଶୋଧନାଗାରର ଅତ୍ୟାଧୁନିକ ପ୍ରୋପିଲିନ ଡେରିଭେଟିଭ ପେଟ୍ରୋକେମିକାଲ ପ୍ରୋଜେକ୍ଟ (ପିଡ଼ିପିପି) ପ୍ଲାଂଟରେ  ବିଦେଶରୁ ଆମଦାନୀ ହେଉଥିବା ସର୍ବୋତ୍କୃଷ୍ଟ  ମାନର ପେଟ୍ରୋକେମିକାଲ ଉତ୍ପାଦ ଉତ୍ପାଦନ କରାଯିବ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଶ୍ରୀ ପ୍ରଧାନ କହିଛନ୍ତି ଯେ ଆଜି ଏକ ବିଶାଳ ସମାରୋହରେ ପ୍ରଧାନମନ୍ତ୍ରୀ ମୋଦିଙ୍କ କରକମଳରେ ବିପିସିଏଲ୍ କୋଚି ରିଫାଇନାରୀର ପିଡ଼ିପିପି ପ୍ଲାଂଟ୍ ଏବଂ କୋଚି ସ୍ଥିତ ୱିଲିଙ୍ଗଡ଼ନ ଦ୍ୱୀପପୁଞ୍ଜରେ ରୋ-ରୋ ଜାହାଜକୁ ଦେଶ ଉଦେ୍ଧଶ୍ୟରେ ଉତ୍ସର୍ଗ କରାଯାଇଛି । ସେହିପରି କୋଚି ବନ୍ଦରରେ ଅନ୍ତର୍ଜାତୀୟ କ୍ରୁଜ ଟର୍ମିନାଲ ‘ସାଗରିକା’ ଓ ସାମୁଦ୍ରିକ ଇଞ୍ଜିନିୟରିଂ ପ୍ରଶିକ୍ଷଣ କେନ୍ଦ୍ର(ବିଜୟ ସାଗର)ର ଉଦଘାଟନ ହୋଇଥିବା ବେଳେ କୋଚି ଠାରେ ସାଉଥ୍ କୋଲ ବର୍ଥର ପୁନଃନିର୍ମାଣର ଶିଳାନ୍ୟାସ କରାଯାଇଛି । ଲୋକାର୍ପଣ ଓ ଶିଳାନ୍ୟାସ ହୋଇଯାଇଥିବା ଏହି ଉଚ୍ଚାଭିଳାଷୀ ପ୍ରକଳ୍ପ ଗୁଡ଼ିକ ମେକ୍ ଇନ୍ ଇଣ୍ଡିଆ ପଦକ୍ଷେପକୁ ମଜବୁତ୍ କରିବ, କେରଳର ସାମଗ୍ରିକ ବିକାଶ କରିବା ସଙ୍ଗେସଙ୍ଗେ ପର୍ଯ୍ୟଟନକୁ ଗତି ଦେବ । ଏହାସହ ରାଜସ୍ୱ ବୃଦ୍ଧି କରିବା ସହ କେରଳରେ ନିଯୁକ୍ତି ସୁଯୋଗ ତିଆରି କରିବ । ଦେଶର ଭବିଷ୍ୟତର ଭିତିଭୂମି ନିର୍ମାଣ କରିବା ଦିଗରେ ବିପିସିଏଲର ପିଡିପିପି ପ୍ଲାଂଟ ଅନ୍ୟତମ ପଦକ୍ଷେପ । ଏହି ପ୍ଲାଂଟ୍ ସ୍ଥାନୀୟ ଅଂଚଳର ଡାଉନଷ୍ଟ୍ରିମ ପେଟ୍ରୋକେମିକାଲ ଶିଳ୍ପକୁ ପ୍ରୋତ୍ସାହନ ଦେବା ସଙ୍ଗେସଙ୍ଗେ ଅର୍ଥନୀତି ଏବଂ ରୋଜଗାର ବୃଦ୍ଧି କରିବ । ଫଳରେ ବାର୍ଷିକ ୪ ହଜାର କୋଟି ଟଙ୍କାର ବୈଦେଶିକ ମୁଦ୍ରା ସଂଚୟ କରାଯାଇପାରିବ । ଅପରପକ୍ଷରେ କୋଚି ବନ୍ଦରରେ ଅନ୍ତର୍ଜାତୀୟ କ୍ରୁଜ ଟର୍ମିନାଲ ‘ସାଗରିକା’ ସମେତ ଅନ୍ୟାନ୍ୟ ଉଦଘାଟିତ ଜଳପଥ ପ୍ରକଳ୍ପ ଗୁଡ଼ିକ କମ୍ ଖର୍ଚ୍ଚ ସହିତ ବାଣିଜ୍ୟ କ୍ଷେତ୍ରକୁ ପ୍ରୋତ୍ସାହନ ଦେବ ଏବଂ କେରଳ ଉପକୂଳ ଅଂଚଳକୁ ପରିବର୍ତନ କରିବା ସହ ନୂଆ ସୁଯୋଗ ତିଆରି କରିବ ।

ବିଗତ ୬ ବର୍ଷରେ କେରଳରେ ତୈଳ ଏବଂ ଗ୍ୟାସ ଶିଳ୍ପ ବିଶୋଧନାଗାର, ପାଇପଲାଇନ, ମାର୍କେଟିଂ, ସିଜିଡ଼ି ନେଟୱାର୍କ ସମେତ ପେଟ୍ରୋଲିୟମ ପ୍ରକଳ୍ପରେ ପ୍ରାୟ ୨୫ ହଜାର କୋଟି ଟଙ୍କା ପୁଞ୍ଜିନିବେଶ କରିଛି  ।ଏହାସହ ତୈଳଶିଳ୍ପ ବାର୍ଷିକ ଆନୂମାନିକ ୭ ହଜାର ୫୦୦ କୋଟି କେରଳର ରାଜକୋଷକୁ ପ୍ରଦାନ କରୁଛି । ଗତ ମାସ ତଳେ ପ୍ରଧାନମନ୍ତ୍ରୀ ମୋଦି ୪୫୦ କିମି ଲମ୍ବ କୋଚି-ମାଙ୍ଗାଲୁରୁ ପ୍ରାକୃତିକ ଗ୍ୟାସ ପାଇପଲାଇନ ରାଷ୍ଟ୍ର ଉଦ୍ଦେଶ୍ୟରେ  ଉତ୍ସର୍ଗ କରିଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲୋକଙ୍କ ଆକାଂକ୍ଷା ପୂରଣ କରିବା ସହ ସେମାନଙ୍କ ଜୀବନଯାପନକୁ ସୁଗମ କରିବା ଏବଂ ଭବିଷ୍ୟତ ପାଇଁ ନୂଆ ଭାରତ ଗଠନ କରିବାକୁ ପ୍ରାଥମିକତା ଦେଉଥିବା ଆଜିର କାର୍ଯ୍ୟକ୍ରମରେ ପ୍ରତିଫଳିତ ହୋଇଛି ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ।

 ଏହି କାର୍ଯ୍ୟକ୍ରମରେ କେରଳର ରାଜ୍ୟପାଳ ଆରିଫ୍ ମହମ୍ମଦ ଖାନ, ମୁଖ୍ୟମନ୍ତ୍ରୀ ପିନାରାୟୀ ବିଜୟନ, କେନ୍ଦ୍ରମନ୍ତ୍ରୀ ଭି. ମୂରଲି ଧରନ ଓ ମନସୁଖ ଏଲ. ମାଣ୍ଡଭିୟ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.