“ଚାଷର ‘ଅ’ ‘ଆ’ ଜାଣି ନଥିବା ଲୋକେ ଏହା ବିଷୟରେ ଲୋକଙ୍କୁ ଜ୍ଞାନ ଦେଉଛନ୍ତି” 

0

ସାଂସଦ ସୁରେଶ ପୂଜାରୀଙ୍କୁ ମହେନ୍ଦ୍ରଙ୍କ ପାଲଟା ଜବାବ 

ସାଂସଦ ମହୋଦୟ ପ୍ରଥମେ  ଚାଷର ପ୍ରାରମ୍ଭିକ ଶବ୍ଦ ଯଥା “ବାହାରି ଭିତରି”, “ହର ତ ତ”, “ହ ହ” କୁ ଶିଖନ୍ତ ଓ ତା ପରେ ଚାଷୀଙ୍କୁ ଜ୍ଞାନ ପ୍ରଦାନ କରନ୍ତୁ 

ଝାରସୁଗୁଡ଼ା :(ସୁଭାଷ ସହାରେ):କୃଷକ ବିଲକୁ ନେଇ ସାରା ଦେଶରେ ଝଡ଼ ସୃଷ୍ଟି ହୋଇଥିବା ବେଳେ ଝାରସୁଗୁଡ଼ା ଜିଲ୍ଲାରେ ଏହାକୁ ନେଇ ବିଭିନ୍ନ ରାଜନୈତିକ ଦଳ ଓ ବିଜେପି ନେତାଙ୍କ ମଧ୍ୟରେ ପରୋକ୍ଷ ଆରୋପ ପ୍ରତ୍ୟାରୋପ ଆରମ୍ଭ ହୋଇଯାଇଛି। ଗତକାଲି ବରଗଡ଼ ସାଂସଦ ସୁରେଶ ପୂଜାରୀ କୃଷକ ଆନ୍ଦୋଳନକୁ ବିରୋଧୀଙ୍କ ଚକ୍ରାନ୍ତ ବୋଲି କହିଥିବା ବେଳେ ଆଜି ଝାରସୁଗୁଡ଼ା ଜିଲ୍ଲାର ପୂର୍ବତନ କଂଗ୍ରେସ ବିଧାୟକ ପ୍ରାର୍ଥୀ ମହେନ୍ଦ୍ର ନାଏକ ସାଂସଦଙ୍କୁ ଚାଷ ବିଷୟରେ କିଛି ଜାଣିନଥିବା ବ୍ୟକ୍ତି ଓ ପୁଞ୍ଜିପତି ସମର୍ଥକ ବୋଲି କହିଛନ୍ତି। 

ସୂଚନାଯୋଗ୍ୟ ଯେ ଗତକାଲି ଝାରସୁଗୁଡ଼ାର ଯୋଗେନ୍ଦ୍ର ହୋଟେଲରେ ଏକ ସାମ୍ବାଦିକ ସମ୍ମିଳନୀରେ ବରଗଡ଼ ସାଂସଦ ସୁରେଶ ପୂଜାରୀ ଚାଷୀ ଆନ୍ଦୋଳନକୁ ଆଧାରହୀନ ଓ ବିରୋଧୀଙ୍କ ଷଡ଼ଯନ୍ତ୍ର ବୋଲି କହିଥିଲେ।ଏହାକୁ ନେଇ ସମସ୍ତ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଝାରସୁଗୁଡ଼ା କଂଗ୍ରେସ ଦଳର ପୂର୍ବତନ ବିଧାୟକ ପ୍ରାର୍ଥୀ ମହେନ୍ଦ୍ର ନାଏକ ମଧ୍ୟ ଏ ବିଷୟରେ ଏକ ପ୍ରେସ ବିଜ୍ଞପ୍ତି ଜାରି କରି କହିଛନ୍ତି ଯେ ସାଂସଦ ହେବା ପୂର୍ବରୁ ଶ୍ରୀ ପୂଜାରୀ ପ୍ରଥମେ ଚାଷୀମାନଙ୍କ ସପକ୍ଷରେ କହୁଥିଲେ ଓ ପୁଞ୍ଜିପତିମାନଙ୍କ ବିରୋଧରେ ଭାଷଣ ଦେଉଥିଲେ। ମାତ୍ର ବର୍ତ୍ତମାନ ସେ ପୁଞ୍ଜିପତିମାନଙ୍କ ସମର୍ଥକ ପାଲଟିଛନ୍ତି। ଯେଉଁ ତିନୋଟି କଳା ଆଇନକୁ ଲାଗୁ କରିବାକୁ କେନ୍ଦ୍ରର ମୋଦି ସରକାର ସମସ୍ତ ସଂସଦୀୟ ଓ ସାମ୍ବିଧାନିକ ପ୍ରକ୍ରିୟାକୁ ପଦଦଳିତ ଓ ଉପହାସ କରିଥିଲେ, ସେହି ଆଇନ ଦେଶର କୃଷକ ପାଇଁ ଘାତକ ପରିଣାମ ସୃଷ୍ଟି କରିବ। କୃଷକମାନଙ୍କ ଏକମାତ୍ର ଭରସା ମଣ୍ଡି ବ୍ୟବସ୍ଥା ଉଚ୍ଛେଦ ହେବା ସହ ଚାଷୀକୁ ତାର ପରିଶ୍ରମର ମୂଲ୍ୟ ମିଳିବ ନାହିଁ। ବିହାର ଏହାର ଉଦାହରଣ ବୋଲି ସେ କହିଛନ୍ତି। ମଣ୍ଡି ବ୍ୟବସ୍ଥାର ବିଘଟନ ଯୋଗୁଁ କେବଳ କୃଷକ ନୁହେଁ ଅନ୍ୟ ଅନେକଙ୍କ ରୋଜଗାର ଖତମ କରିଦେବ ବୋଲି ସେ କହିଛନ୍ତି। ଏହିପରି ଅନେକ କୁପ୍ରଭାବ ଉପରେ ସାଂସଦ ମହୋଦୟ ଲୋକଙ୍କୁ ନ ଜଣାଇ ସେ କେବଳ ହିତୋପଦେଶ ଦେଇ ଚାଲିଛନ୍ତି ବୋଲି ଶ୍ରୀ ନାୟକ ତାତ୍ସଲ୍ୟ କରିଛନ୍ତି। ତେଣୁ ସାଂସଦ ମହୋଦୟ ପ୍ରଥମେ  ଚାଷର ପ୍ରାରମ୍ଭିକ ଶବ୍ଦ ଯଥା “ବାହାରି ଭିତରି”, “ହର ତ ତ”, “ହ ହ” କୁ ଶିଖନ୍ତ ଓ ତା ପରେ ଚାଷୀଙ୍କୁ ଜ୍ଞାନ ପ୍ରଦାନ କରିବାକୁ  ପରାମର୍ଶ ଦେଇଛନ୍ତି ଶ୍ରୀ ନାୟକ।

Leave A Reply

Your email address will not be published.