ଦେଶର ପ୍ରମୁଖ ପର୍ଯ୍ୟଟନସ୍ଥଳି ଏବଂ ତୀର୍ଥସ୍ଥାନରେ ଅତ୍ୟାଧୁନିକ ଶୌଚାଳୟ ନିର୍ମାଣ କରିବାକୁ ପରାମର୍ଶ ଦେଲେ ଧର୍ମେନ୍ଦ୍ର ପ୍ରଧାନ

0

ପେଟ୍ରୋଲିୟମ ମନ୍ତ୍ରଣାଳୟର ସ୍ୱଚ୍ଛତା ଅଭିଯାନ ପୁରସ୍କାର ସମାରୋହରେ କେନ୍ଦ୍ରମନ୍ତ୍ରୀ

ନୂଆଦିଲ୍ଲୀ/ଭୁବନେଶ୍ୱର – ପେଟ୍ରୋଲିୟମ ମନ୍ତ୍ରଣାଳୟର ସ୍ୱଚ୍ଛତା ପାଖୱାଡ଼ା ପାଇଁ ସୋମବାର ଆୟୋଜିତ ପୁରସ୍କାର ବିତରଣ ସମାରୋହରେ ଯୋଗଦେଇ ବିଭାଗୀୟ ମନ୍ତ୍ରଣାଳୟର ରାଷ୍ଟ୍ରାୟତ କମ୍ପାନୀ ଗୁଡ଼ିକୁ ପୁରସ୍କୃତ କରିବା ସହ ଦେଶର ପ୍ରମୁଖ ପର୍ଯ୍ୟଟନସ୍ଥଳି ଏବଂ ସମସ୍ତ ତୀର୍ଥସ୍ଥାନ ଠାରେ ଅତ୍ୟାଧୁନିକ ଶୌଚାଳୟ ନିର୍ମାଣ କରିବାକୁ ପରାମର୍ଶ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ସେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ୱଚ୍ଛତାକୁ ଜନ ଆନ୍ଦୋଳନ ରେ ପରିଣତ କରିଥବା ବେଳେ ଏଥିରେ ଗ୍ରାମାଂଚଳ, ସହରାଂଚଳ ଏବଂ ସମାଜର ପ୍ରତ୍ୟେକ ନାଗରିକ ସାମିଲ ହୋଇଛନ୍ତି । ପେଟ୍ରୋଲିୟମ ମନ୍ତ୍ରଣାଳୟ ମଧ୍ୟ ଏହି ଅଭିଯାନରେ ସାମିଲ ହୋଇ ଏହାକୁ ବ୍ୟାପକ କରିବାରେ ଅନ୍ୟତମ ଭୂମିକା ଗ୍ରହଣ କରିଛି  । ୨୦୨୨କୁ ଦେଶ ସ୍ୱାଧୀନତାର ୭୫ ବର୍ଷ ପୂର୍ତି ହେବ । ଏହି ସମୟ ସୁଦ୍ଧା ଆମକୁ ସ୍ୱଚ୍ଛ ଭାରତର ସ୍ୱପ୍ନକୁ ସାକାର କରିବାକୁ ହେବ । ଏହି ଅବସରରେ ଶ୍ରୀ ପ୍ରଧାନ ସ୍ୱଚ୍ଛ ଭାରତ ଅଭିଯାନରେ ଅଧିକରୁ ଅଧିକ ବେସରକାରୀ ତୈଳ ଓ ଗ୍ୟାସ କମ୍ପାନୀମାନେ ସାମିଲ ହେବା ପାଇଁ ଆହ୍ୱାନ କରିଛନ୍ତି ।

ଉଲ୍ଲେଖନୀୟ ଯେ, ସ୍ୱଚ୍ଛତା ପାଖୱାଡ଼ା ଏବଂ ସ୍ୱଚ୍ଛତା ହିଁ ସେବା ଅଭିଯାନ ପାଇଁ ଶ୍ରୀ ପ୍ରଧାନ ରାଷ୍ଟ୍ରାୟତ ତୈଳ ଓ ଗ୍ୟାସ ଉଦ୍ୟୋଗ ଗୁଡିକୁ ପୁରସ୍କାର ପ୍ରଦାନ କରିଥିଲେ । ସ୍ୱଚ୍ଛତା ପାଖୱାଡାରେ ଆଇଓସିଏଲ, ବିପିସିଏଲ ଏବଂ ଓଏନଜିସି କ୍ରମାଗତ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ପୁରସ୍କାର ପାଇଥିବା ବେଳେ ଏଚପିସିଏଲ ସ୍ୱତନ୍ତ୍ର ପୁରସ୍କାର ଗ୍ରହଣ କରିଥିଲା । ସେହିପରି ସ୍ୱଚ୍ଛତା ହିଁ ସେବାରେ ଏଚପିସିଏଲ ପ୍ରଥମ, ବିପିସିଏଲ ଦ୍ୱିତୀୟ ଓ ଆଇଓସିଏଲ ତୃତୀୟ ପୁରସ୍କାର ପାଇଥିଲା । ବର୍ଜ୍ୟବସ୍ତୁ ପରିଚାଳନା ଏବଂ ଥରେ ମାତ୍ର ବ୍ୟବହାର ହେଉଥିବା ପ୍ଲାଷ୍ଟିକକୁ ଦୂର କରିବା ସହିତ ସ୍ୱଚ୍ଛତାର ବିଭିନ୍ନ ଦିଗ ଉପରେ ସଚେତନତା ସୃଷ୍ଟି ପାଇଁ ଉଦ୍ୟମ ପାଇଁ ଶ୍ରୀ ପ୍ରଧାନ ସ୍ୱଚ୍ଛତା ହିଁ ସେବା -୨୦୧୯ ଏବଂ ସ୍ୱଚ୍ଛତା ପାଖୱାଡ଼ାର ବିଜେତାମାନଙ୍କୁ ପ୍ରଶଂସା କରିଥିଲେ  ।

 

Leave A Reply

Your email address will not be published.