ବିପଦରେ ପକ୍ଷୀ ଅଭୟାରଣ୍ୟ : ଏନଏଲସି ଲିମିଟେଡର ରେଲୱେ ଲାଇନ କାଳ ହେବ ପକ୍ଷୀମାନଙ୍କ ପାଇଁ। 

0

ଝାରସୁଗୁଡ଼ା :(ସୁଭାଷ ସହାରେ); ଝାରସୁଗୁଡ଼ା ସଦର ମହକୁମାରୁ ମାତ୍ର ୧୩ କିଲୋମିଟର ଦୂରରେ ଥିବା ସିଂହାବଗା ଗ୍ରାମର ପକ୍ଷୀ ଅଭୟାରଣ୍ୟ ବର୍ତ୍ତମାନ ସଂକଟରେ। ଏନଏଲସି ଲିମିଟେଡ କମ୍ପାନୀ ଦ୍ଵାରା ନିର୍ମାଣ ହେଉଥିବା ରେଲୱେ ଲାଇନ ଯୋଗୁଁ ପ୍ରକୃତିର ଏହି ସୌନ୍ଦର୍ଯ୍ୟ ଅବିଳମ୍ବେ ନଷ୍ଟ ହୋଇଯିବାର ସମ୍ଭାବନା ରହିଛି ବୋଲି ଆଶଙ୍କା ପ୍ରକାଶ ପାଇଛି। 

ସୂଚନା ମୁତାବକ, ସିଂହାବଗା ଗ୍ରାମର ସନ୍ତସନ୍ତିଆ ମାଟି ଓ ଆର୍ଦ୍ର  ଜଳବାୟୁ ପ୍ରତ୍ୟେକ ବର୍ଷ ହଜାର ହଜାର ବହିରାଗତ ପକ୍ଷୀଙ୍କୁ ଆକର୍ଷିତ କରିଥାଏ। ପ୍ରାୟ ୩୬ ପ୍ରକାରର ବହିରାଗତ ପକ୍ଷୀ ଏଠାକୁ ନିଜର ଋତୁକାଳୀନ ବାସସ୍ଥାନ ଓ ପ୍ରଜନନ ନିମନ୍ତେ ଆସୁଥିବା ପରିବେଶ ବିଜ୍ଞାନୀ ଓ ବନବିଭାଗ ଅଧିକାରୀ କୁହନ୍ତି। ମାତ୍ର ପ୍ରସ୍ତାବିତ ରେଲୱେ ଲାଇନ ନିମନ୍ତେ ଜମେରା ପଞ୍ଚାୟତ ଅନ୍ତର୍ଗତ ସିଂହାବଗା ଗ୍ରାମର ୪.୩୧ ଏକର ଓ ହିର୍ମା ପଞ୍ଚାୟତର  ୧୯.୬୧ ଏକର ଜମି ଅଧିକୃତ ହେବ ଯାହାଦ୍ୱାରା ପରିବ୍ରାଜକ ପକ୍ଷୀମାନଙ୍କ ଉପରେ ଏହା ପ୍ରତିକୂଳ ପ୍ରଭାବ ପକାଇବ ବୋଲି ଜଙ୍ଗଲ ବିଭାଗ ଅଧିକାରୀ ଲଲିତ କୁମାର ପାତ୍ର କହିଛନ୍ତି। ଅନ୍ୟପକ୍ଷରେ କମ୍ପାନୀର ପ୍ରକଳ୍ପ ଅଧିକାରୀ ସୁରେଶ ଚନ୍ଦ୍ର ସୁମନ କହିଛନ୍ତି ଯେ ରାଜ୍ୟର ଜଳ ସମ୍ପଦ ବିଭାଗ ଓ ରେଲୱେର ଅନୁମୋଦନ ପରେ ଏହି ପ୍ରକଳ୍ପ ଆରମ୍ଭ କରିବାକୁ ନିଷ୍ପତ୍ତି ନିଆଯାଇଛି। ଏହା ସହ ପକ୍ଷୀମାନଙ୍କ ପ୍ରତି ଯେପରି କୌଣସି ସଂକଟ ସୃଷ୍ଟି ନ ହୁଏ, ସେଥିପ୍ରତି ମଧ୍ୟ ଦୃଷ୍ଟି ଦିଆଯାଇଛି। 

କିନ୍ତୁ ପରିବେଶପ୍ରେମୀ,ପକ୍ଷୀପ୍ରେମୀ ଓ ସ୍ଥାନୀୟ ବାସିନ୍ଦା ଏହା ଉପରେ ଭିନ୍ନ ମତ ପୋଷଣ କରନ୍ତି। ସେମାନଙ୍କ ଅନୁସାରେ ରେଲୱେ ଲାଇନ ଆରମ୍ଭ କରାଯିବା ପରେ ଏଠାରେ ପକ୍ଷୀମାନଙ୍କ ଗମନାଗମନ ସମ୍ପୂର୍ଣ୍ଣ ଭାବରେ ପ୍ରତିହତ ହେବ। ଗୋଟିଏ ପକ୍ଷରେ ରାଜ୍ୟ ସରକାର ପର୍ଯ୍ୟଟନ ଶିଳ୍ପର ବିକାଶ ନିମନ୍ତେ ନୂତନ ଘୋଷଣା କରୁଥିବା ବେଳେ ଏହିପରି ପଦକ୍ଷେପ ପର୍ଯ୍ୟଟନ ଶିଳ୍ପର ପରିପନ୍ଥୀ। ଗତ ୨୦୧୯ ମସିହାରେ ଏହି ପକ୍ଷୀ ଅଭୟାରଣ୍ୟ ନିମନ୍ତେ ଜିଲ୍ଲା ଖଣିଜ ସମ୍ପଦ ଫାଉଣ୍ଡେସନ ପକ୍ଷରୁ  ୨.୨୫ କୋଟି ଟଙ୍କା ବରାଦ କରାଯାଇଥିବା ବେଳେ ଗୋଟିଏ ଟଙ୍କା ମଧ୍ୟ କାର୍ଯ୍ୟ ପାଇଁ ବ୍ୟବହାର ହୋଇନାହିଁ। ତେଣୁ  ସେମାନେ ଦାବି କରିଛନ୍ତି ଯେ ଏହି ରେଲୱେ ଲାଇନର ନିର୍ମାଣକୁ ଅନ୍ୟତ୍ର ସ୍ଥାନାନ୍ତରିତ କରାଯାଇ ପକ୍ଷୀ ମାନଙ୍କ ପାଇଁ ଅନୁକୂଳ ପରିବେଶ ସୃଷ୍ଟି କରାଯାଉ।

Leave A Reply

Your email address will not be published.