ବନ୍ଦ ହୋଇଗଲା ରଙ୍ଗବତୀ ସ୍ରଷ୍ଟାଙ୍କ ଜୀବନ ସଂଗୀତ 

0

28-05-18-Prabhudutta-Pradha.jpg - 67.63 kB

ସମ୍ବଲପୁର ଅଂଚଳରେ ଶୋକର ଛାୟା, ମୁଖ୍ୟମନ୍ତ୍ରୀ କଲେ ଶୋକବ୍ୟକ୍ତ 

ସମ୍ବଲପୁର:ଲୋକପ୍ରିୟ ତଥା ଓଡ଼ିଶାର ଗାଁ ଗାଁ ରେ ପରିଚିତ  ‘ ରଙ୍ଗବତୀ’ ଗୀତର ଅମୂର୍ତ ସ୍ରଷ୍ଟା ସଙ୍ଗୀତକାର ପ୍ରଭୁଦତ୍ତ ପ୍ରଧାନ ଆଉ ନାହାନ୍ତି | ରଙ୍ଗବତୀ ଗୀତ ପାଇଁ ଓଡିଶା,. ଭାରତ ଓ ଭାରତ ବାହାରେ ମଧ୍ୟ ପରିଚିତ ହୋଇଥିବା ଶ୍ରୀ ପ୍ରଧାନଙ୍କ ଜୀବନ  ସଂଗୀତ ଆଜି ଭୋର ସାଢେ ଚାରିଟା ସମୟରେ ସମ୍ବଲପୁରର ଏକ ଘରୋଇ ନର୍ସିଂ ହୋମ୍‌ରେ  ବନ୍ଦ ହୋଇଯାଇଛି  ।  ତାଙ୍କର ବିଧବା ପତ୍ନୀ ଓ ଦୁଇ ପୁତ୍ର ଆଶିଷ ଓ ଅସୀମ ଅଛନ୍ତିି। ପ୍ରାପ୍ତ ସୂଚନା ଅନୁଯାୟୀ ମଙ୍ଗଳବାର ଦିନ ସକାଳ ୯ ଟା ସମୟରେ ତାଙ୍କର ମୃତ ଶରୀରକୁ କବର ଦିଆଯିବ | 

୧୯୪୩ ମସିହା ନଭେମ୍ବର ୧୧ ତାରିଖରେ ଜନ୍ମିତ ଶ୍ରୀ ପ୍ରଧାନ ଦୀର୍ଘ ୪୫ ବର୍ଷ ହେବ ସଙ୍ଗୀତ କ୍ଷେତ୍ରରେ କାର୍ଯ୍ୟ କରିଛନ୍ତି। ସମ୍ବଲପୁର ଆକାଶବାଣୀ କେନ୍ଦ୍ରରେ ବାଦ୍ୟଯନ୍ତ୍ର  ଶିଳ୍ପୀଭାବେ ୧୯୫୯ ମସିହାରୁ କାର୍ଯ୍ୟ କରି ଆସୁଥିବା  ପ୍ରଭୁଦତ୍ତ ଢୋଲ ଓ ମାଦଳ ବାଦ୍ୟରେ ମାହିର ଥିଲେ | ଗୀତିକାର ହେଲେ ମିତ୍ରଭାନୁ ଗୌନ୍ତିଆଙ୍କ  ଲୋକ ପ୍ରିୟ ସମ୍ବଲପୁରୀ ଗୀତ  ରଙ୍ଗବତୀର ନିର୍ଦେଶନା ଦେଇଥିଲେ ପ୍ରଭୁଦତ୍ତ | ଆଉ ସେଥିରେ କାନ୍ଥ ଦାନ କରିଥିଲେ  ଜିତେନ୍ଦ୍ର ହରିପାଲ୍‌ ଓ କ୍ରିଷ୍ଣା ପଟେଲ୍‌। 

ତାଙ୍କର ଅନନ୍ୟ କୃତି ପାଇଁ ବା ଜୀବନବ୍ୟାପି ସାଧନା ପାଇଁ  ଶ୍ରୀ  ପ୍ରଧାନ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମି ଆଓ୍ଵାର୍ଡ ସମେତ ଅନେକ ପୁରସ୍କାର ପାଇଥିବା ବେଳେ ଆକାଶବାଣୀ ପାଇଁ ବହୁ ଗୀତର ସ୍ୱର ସଂଯୋଜନା କରିଥିଲେ। ପ୍ରଭୁଦତ୍ତ ପ୍ରଧାନଙ୍କ ବିୟୋଗରେ ସମ୍ବଲପୁରରେ ସମେତ ପଶ୍ଚିମ ଓଡିଶାରେ ଶୋକର ଛାୟା ଖେଳିଯାଇଛି | 

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଶ୍ରୀ ପ୍ରଧାନଙ୍କ ବିୟୋଗରେ ଗଭୀର ଶୋକାଵ୍ୟକ୍ତ କରିଛନ୍ତି | ମୁଖ୍ୟମନ୍ତ୍ରୀ ତାଙ୍କ  ଶୋକବାର୍ତ୍ତାରେ ସ୍ବର୍ଗତ ପ୍ରଧାନଙ୍କୁ ଜଣେ ପ୍ରତିଭାବାନ ସଂଗୀତ ନିର୍ଦ୍ଦେଶକ ବୋଲି କହିବା ସହ ଦେଶ ବିଦେଶରେ ରଙ୍ଗବତୀ ଗୀତର ଲୋକପ୍ରିୟତା ତାଙ୍କ ସଂଗୀତ ଦକ୍ଷତାକୁ ପ୍ରମାଣିତ କରିଛି | ସ୍ୱର୍ଗତ ପ୍ରଧାନଙ୍କ ଅମରାତ୍ମାର ସଦଗତି କାମନା କରିବା ସହ ଶୋକ ସନ୍ତପ୍ତ ପରିବାର ବର୍ଗଙ୍କ ପ୍ରତି ଗଭୀର ସମବେଦନା ଜ୍ଞାପନ କରିଛନ୍ତି |

 

Leave A Reply

Your email address will not be published.