ଧାନ ଫସଲ ରେ ଅଜଣା ରୋଗ: କାମ ଦଉନି କୀଟନାଶକ,ଚିନ୍ତା ରେ ଚାଷୀ

0

ଝାରବନ୍ଧ-ମନୋହର ଦାଶ:ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଝାରବନ୍ଧ ବ୍ଲକ ରେ ୧୪ ଟି ପଞ୍ଚାୟତ ର ବିଭିନ୍ନ ଗ୍ରାମ ରେ ଧାନ ଫସଲରେ ମାଡି ଚାଲିଛି ଅଜଣା ରୋଗ।କୃଷି ବିଭାଗ ଯେତେ ପ୍ରକାର ଔଷଧ ପକାଇବାକୁ ପରାମର୍ଶ ଦେଲେ ମଧ୍ୟ କୌଣସି ଗୋଟିଏ ବି କାମ କରୁନଥିବା ଚାଷୀ ଅଭିଯୋଗ କରିଛନ୍ତି।ଆଖି ଆଗରେ ଫସଲ ଉଜୁଡି ଯାଉଥିବା ଦେଖି ଚାଷୀ କୁଳ ଚିନ୍ତାରେ ପଡିଯାଇଛନ୍ତି।ଚଳିତ ବର୍ଷ ଭଲ ଫସଲ ହୋଇଥିବା ବେଳେ ଚାଷୀମାନେ ଆଗୁଆ ବିଲକାମ ସାରିଥିଲେ ଭଲ ଅମଲ ହେବ ବୋଲି ଆଶା ରଖିଥିଲେ।ପ୍ରଥମେ ଲଘୁଚାପ ଜନିତ ଲଗାଣ ବର୍ଷା ଏବେ ରୋଗ ପୋକ ଯୋଗୁଁ ଧାନ ଫସଲ ସମ୍ପୂର୍ଣ ନଷ୍ଟ ହେବାକୁ ବସିଛି।

ରୋଗ ପୋକ ଲାଗି ଧାନ ଗଛ ଗୁଡିକ ହଳଦିଆ ପଡି ପଚି ଯାଉଛି। ପ୍ରଥମେ ପ୍ରଥମେ କେବଳ ବୁଣା ଜମିରେ ଏହି ରୋଗ ପୋକ ଲାଗୁଥିଲା।ଏବେ ରୁଆ ଜମିକୁ ବ୍ୟାପିଲାଣି।ଯେତେ ପ୍ରକାର କୀଟନାଶକ ବ୍ୟବହାର କଲେ ମଧ୍ୟ କୌଣସି ସୁଫଳ ମିଳୁ ନଥିବା ଚାଷୀ ଅଭିଯୋଗ କରିଛନ୍ତି।ପ୍ରଥମେ କୁମିର,ଚଣ୍ଡୀଭଟା,ଲଉଡିଦରହା ରେ ଏହି ରୋଗପୋକ ଦେଖିବାକୁ ମିଳିଥିଲା।ଏବେ ଝାରବନ୍ଧ ବ୍ଲକ ୧୪ଟି ପଞ୍ଚାୟତ ର ସମସ୍ତ ପଞ୍ଚାୟତ ର ବିଭିନ୍ନ ଗ୍ରାମ ମାନଙ୍କୁ ବ୍ୟାପିଲାଣି।ଏନେଇ କିଛି ଚାଷୀ କୃଷି ବିଭାଗ କୁ ଅବଗତ କରିବା ପରେ ବିଭାଗୀୟ ଅଧିକାରୀ ଓ କର୍ମଚାରୀ ଚାଷ ଜମି ବୁଲି ଦେଖିଥିଲେ ।ପ୍ଲାନ୍ଟୋମାଇସିନ,ସାଫ ସିକ୍ସର,ହିସ୍କୋକୁନାଜଳ ଆଦି କୀଟନାଶକ ସିଞ୍ଚନ କରିଥିଲେ ମଧ୍ୟ କୌଣସି ଲାଭ ହେଉନି।ଫଳରେ ଚାଷୀ ମାନେ ମୁଣ୍ଡରେ ହାତ ଦେଇ ବସିଛନ୍ତି।

କୃଷି ବିଭାଗ ତୁରନ୍ତ ଏକ ବିଶେଷଜ୍ଞ ଦଳ ପଠାଇ ରୋଗ ନିରାକରଣ କରିବାକୁ ଚାଷୀମାନେ ଦାବି କରିଛନ୍ତି। ଏ ସମ୍ପର୍କ ରେ ବ୍ଲକ କୃଷି ଅଧିକାରୀ ପ୍ରଣୟ ମନ୍ତ୍ରୀ ଙ୍କୁ ପଚାରିବାରୁ ସେ ଏହାକୁ ପତ୍ରପୋଡ଼ା ରୋଗ ବୋଲି କହିବା ସହ ଚାଷୀମାନେ ଆମ ପରାମର୍ଶ ନ ମାନି ଦୋକାନୀ ଙ୍କ କଥାରେ ଔଷଧ ସିଞ୍ଚନ କରୁଥିବା କହିଥିଲେ । ଏଥିପ୍ରତି କୃଷିବିଭାଗ ଦୃଷ୍ଟି ଦିଅନ୍ତୁ ।

Leave A Reply

Your email address will not be published.