ସ୍ବାସ୍ଥ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀରେ ସ୍ବାସ୍ଥ୍ୟସେବାରେ ଅବହେଳା। ଦୁଇ ଦିନରେ ୩ ମୃତ୍ୟୁ। 

0

ଝାରସୁଗୁଡ଼ା :(ସୁଭାଷ ସହାରେ) : ସ୍ବାସ୍ଥ୍ୟମନ୍ତ୍ରୀଙ୍କ ନିଜ ନିର୍ବାଚନ ମଣ୍ଡଳୀରେ ଚିକିତ୍ସାର ଚରମ ଅବହେଳାର ଅଭିଯୋଗ ଆସିଅଛି। ଆସିଥିବା ରୋଗୀମାନଙ୍କ ଚିକିତ୍ସା ନ କରି ସେମାନଙ୍କୁ ପକାଇ ରଖାଯାଉଛି। ତେଣୁ ଗୁରୁତର ଅବସ୍ଥାରେ ଆସୁଥିବା ରୋଗୀମାନେ ମୃତ୍ୟୁ କବଳରେ ପଡ଼ୁଛନ୍ତି। ଗତ ଦୁଇ ଦିନରେ ତିନିଜଣ ଗୁରୁତର ଅବସ୍ଥାରେ ଆସିଥିବା ରୋଗୀଙ୍କ ମୃତ୍ୟୁ ହୋଇ ସାରିଛି। ଦୁଇଟି ମୃତ ଦେହ ଆଇସୋଲେସନ ୱାର୍ଡ଼ରେ ପଡ଼ି ରହିଥିବା ସୂଚନା ମିଳିଛି। 

ବର୍ତ୍ତମାନ ରାଜ୍ୟ ସାରା କୋରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ି ଚାଲିଥିବାରୁ ଡାକ୍ତର ମାନଙ୍କ ମଧ୍ୟରେ ଏକ କୋକୁଆ ଭୟ ସୃଷ୍ଟି ହୋଇଛି। ଯେ କୌଣସି ରୋଗୀକୁ କୋରୋନା ସଂକ୍ରମିତ ହୋଇଥିବା ସନ୍ଦେହ କରି ତାଙ୍କ ଚିକିତ୍ସାରୁ ପଛଘୁଞ୍ଚା ଦେଉଛନ୍ତି ଚିକିତ୍ସା ଦାୟୀତ୍ବରେ ଥିବା କର୍ମଚାରୀମାନେ। ଆଜି ଝାରସୁଗୁଡ଼ା ଜିଲ୍ଲା ମୂଖ୍ୟ ଚିକିତ୍ସାଳୟରେ ଆଇସୋଲେସନ ୱାର୍ଡ଼ରେ ଭର୍ତ୍ତି ହୋଇଥିଲେ ଜଣେ ଅଜଣା ଯୁବକ। ମାତ୍ର ତାଙ୍କର ଚିକିତ୍ସା ପାଇଁ କେହି ହେଲେ ନ ଆସିବାରୁ ସେ ମୃତ୍ୟୁବରଣ କରିଥିଲେ। ଏହିପରି ଆଉ ଜଣେ ବୟସ୍କ ବ୍ୟକ୍ତିଙ୍କ ମୃତ୍ୟୁ ମଧ୍ୟ ଚିକିତ୍ସା ଅଭାବରୁ ହୋଇଥିବା ଜଣାପଡ଼ିଛି। ମାନବିକତା ହରାଇଥିବା ଝାରସୁଗୁଡ଼ା ଚିକିତ୍ସାଳୟର ଚରମ ଅବହେଳାର ଉଦାହରଣ ହେଉଛି ଏ ପର୍ଯ୍ୟନ୍ତ ଏହି ଦୁଇ ଶବ ଚିକିତ୍ସାଳୟରେ ପଡ଼ି ରହିଛି। ସୋସିଆଲ ମିଡ଼ିଆରେ ଏହି ଦୁଇଟି ଶବ ପଡ଼ି ରହିଥିବା ଦୃଶ୍ୟ ଦେଖିବାକୁ ମିଳୁଛି। 

ଗତକାଲି ମଧ୍ୟ ଏକ ମହିଳାଙ୍କ ମୃତ୍ୟୁ ଚିକିତ୍ସା ଅବହେଳାରୁ ହୋଇଥିଲା ବୋଲି ଅଭିଯୋଗ ହୋଇଛି। ଏହି ଭଳି ଅଭିଯୋଗ ବାରମ୍ବାର ଆସିଥିବାରୁ ଏହାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ। 

ଏ ନେଇ ନିଜ ଅଫିସିଆଲ ଟ୍ବିଟର ଏକାଉଣ୍ଟରୁ ଭିଡିଓ ପୋଷ୍ଟ କରି ଟ୍ବିଟ୍ କରି ଏ ଘଟଣା ବିଷୟରେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ବିଜେପି ରାଜ୍ୟ ସଂପାଦକ ଟଙ୍କଧର ତ୍ରିପାଠୀ। ଗୁରୁତର ରୋଗୀଙ୍କୁ ଚିକିତ୍ସା କରାଯାଉ ନାହିଁ ବୋଲି ରୋଗୀଙ୍କ ସଂପର୍କୀୟ ମାନେ ମଧ୍ୟ ଅଭିଯୋଗ କରିଛନ୍ତି। 

ଖବର ଅନୁସାରେ ମୃତ ଯୁବକଙ୍କ କୋରୋନା ଭୂତାଣୁ ପରୀକ୍ଷାର ରିପୋର୍ଟ ନେଗେଟିଭ ଆସିଥିବା ବେଳେ ମୃତ ବୟସ୍କ ବ୍ୟକ୍ତିଙ୍କ ରିପୋର୍ଟ ଏ ପର୍ଯ୍ୟନ୍ତ ଆସି ପାରି ନାହିଁ। ତେବେ ସାଧାରଣ ଲୋକଙ୍କ ମଧ୍ୟରେ ପ୍ରଶ୍ନ ଉଠେ ଯେ ଜଣେ ଗୁରୁତର ରୋଗୀଙ୍କୁ କୋରୋନା ରିପୋର୍ଟ ଆସିବା ପର୍ଯ୍ୟନ୍ତ ଚିକିତ୍ସା ପାଇଁ ଅପେକ୍ଷା କରିବା କେତେଦୂର ଯୁକ୍ତିଯୁକ୍ତ? 

ଅନ୍ୟ ଏକ ସୂତ୍ରରୁ ପ୍ରକାଶ ଯେ ପ୍ରକୃତରେ ଦୁଇ ଦିନରେ ତିନିଜଣଙ୍କ ନୁହେଁ, ପାଞ୍ଚ ଜଣଙ୍କ ମୃତ୍ୟୁ ହୋଇସାରିଛି। ତେଣୁ ଝାରସୁଗୁଡ଼ା ଜିଲ୍ଲାରେ ଚିକିତ୍ସା ବ୍ୟବସ୍ଥା କେତେଦୂର ଭୁଷୁଡ଼ି ପଡ଼ିଛି ତାହା ସହଜରେ ଅନୁମେୟ।

Leave A Reply

Your email address will not be published.