ଚିଖିଲିରେ ମହାନଦୀ ବଞ୍ଚାଅ ଅଭିଯାନରେ ଭାଜପା ନେତାଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଆହ୍ବାନ
ବରଗଡ଼(ନୀଳ ଦୀପ) -ମହାନଦୀ ଓଡ଼ିଶାର ଜୀବନ ରେଖା, ଆମର ମା। ମହାନଦୀ ବିନା ଓଡ଼ିଆ ଜାତିର କଳ୍ପନା ନାହିଁ । ମାତ୍ର ମହାନଦୀକୁ ନେଇ କେନ୍ଦ୍ର ଓ ଛାତିଶଗଡ଼ ସରକାରଙ୍କ ଆଭିମୁଖ୍ୟ ଓଡ଼ିଶା ବିରୋଧୀ ।କିନ୍ତୁ ଓଡ଼ିଶାର ଭାଜପା ନେତାମାନେ ମଧ୍ୟ ସେ ନେଇ ଛତିଶଗଡ଼କୁ ସମର୍ଥନ କରୁଛନ୍ତି ଏବଂ ଆମ ଏଠାରେ କୁମ୍ଭୀର କାନ୍ଦଣା କରୁଛନ୍ତି। ଯଦି ଜଣେ ହେଲେ ବି ଭାଜପା ନେତାଙ୍କ ଓଡ଼ିଶା ପ୍ରତି ଦରଦ ଅଛି, ଛତିଶଗଡ଼ର ସେଭଳି କାମକୁ ବିରୋଧ କରନ୍ତୁ । ମହାନଦୀ ବଞ୍ଚାଅ ଅଭିଯାନର ଦ୍ୱିତୀୟ ପର୍ଯ୍ୟାୟ କାର୍ଯ୍ୟକ୍ରମ ଅବସରରେ ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲିଠାରେ ଅନୁଷ୍ଠିତ ସଭାମଞ୍ଚରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଭଳି ଆହ୍ବାନ କରିବା ସହିତ ଭାଜପା ନେତାଙ୍କୁ ଇଙ୍ଗିତ କରି ତାକୁ ବିରୋଧ କରିପାରିବେ କି ବୋଲି ପ୍ରଶ୍ନ ମଧ୍ୟ କରିଥିଲେ।
ମୁଖ୍ୟମନ୍ତ୍ରୀ ଆହୁରି କହିଥିଲେ, ବିଜେଡ଼ି ସରକାର ଓଡ଼ିଶାର ହକ୍ ପାଇଁ ସୁପ୍ରିମକୋର୍ଟ ଯାଇଥିଲେ। ଆମ ସରକାରଙ୍କ ଦାବିକ୍ରମେ ମହାନଦୀ ଟ୍ରିବ୍ୟୁନାଲ ଗଠନ ହୋଇଛି। ଛତିଶଗଡ଼ ସରକାରଙ୍କ ବ୍ୟାରେଜ ନିର୍ମାଣ ଯୋଗୁ ମହାନଦୀ ଶୁଖିଲା ରହୁଛି। ହୀରାକୁଦ ବି ଶୁଖି ଯାଉଛି। ବର୍ଷାଋତୁରେ ସେଭଳି କିଛି ଅସୁବିଧା ନାହିଁ, ମାତ୍ର ରବିଚାଷ ପାଇଁ ପାଣି ମିଳିବ ନାହିଁ। ଚାଷୀଙ୍କ ସୁବିଧା ପାଇଁ ରାଜ୍ୟ ସରକାର ମହାନଦୀରେ ଅନେକ ମେଗା ଲିଫ୍ଟ ନିର୍ମାଣ କରିଛନ୍ତି। ଆଗକୁ ମଧ୍ୟ ଏଭଳି ପ୍ରକଳ୍ପ ନିର୍ମାଣ ସହିତ ବ୍ୟାରେଜ ନିର୍ମାଣ କରାଯିବ। ଲୋକେ ଯେଭଳି ବିସ୍ଥାପିତ ନ ହେବେ, ସେଥିପ୍ରତି ସରକାର ଧ୍ୟାନ ଦେବେ। ମହାନଦୀ ଗର୍ବ ଓ ଗୌରବର ସାକ୍ଷୀ। ମହାନଦୀକୁ କେବେ ହେଲେ ମଧ୍ୟ ଶୁଖିବାକୁ ଦେବୁ ନାହିଁ । ଏହି ଲଢ଼େଇ ସାରା ଓଡ଼ିଶାବାସୀଙ୍କ ଲଢ଼େଇ। ଆମର ଏହି ଲଢ଼େଇ ସଫଳ ହେବ ଏବଂ ଓଡ଼ିଶା ଜାତିର ହକ୍ ପାଇଁ ଏହି ଲଢ଼େଇରେ ସାମିଲ୍ ହେବାକୁ ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ଆହ୍ବାନ କରିଥିଲେ ।
ନିର୍ଦ୍ଧାରୀତ ସମୟଠାରୁ ମୁଖ୍ୟମନ୍ତ୍ରୀ ପ୍ରାୟ ଏକ ଘଣ୍ଟା ବିଳମ୍ବରେ ପହଞ୍ଚିଥିଲେ। ଦିନ ସାଢ଼େ ୧୦ଟାରେ ଏଠାକୁ ପହଞ୍ଚିବାର କାର୍ଯ୍ୟକ୍ରମ ରହିଥିଲା। ମାତ୍ର ମୁଖ୍ୟମନ୍ତ୍ରୀ ହେଲିକ୍ୟାପ୍ଟରରେ ଆସି ଦିନ ପ୍ରାୟ ୧୧ଟା ୪୦ରେ ଚିଖିଲିକୁ ପହଞ୍ଚି ଉଦ୍ବୋଧନ ଦେଇଥିଲେ। ଉଦ୍ବୋଧନ ଦେବା ପରେ ପତାକା ଦେଖାଇ ମହାନଦୀ ବଞ୍ଚାଅ ଅଭିଯାନ ଦ୍ୱିତୀୟ ପର୍ଯ୍ୟାୟ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ ଏବଂ ଅପରାହ୍ନ ୧୨ଟା ୧୬ମିନିଟରେ ସଭାମଞ୍ଚ ଛାଡ଼ି ପୁଣି ଝାରସୁଗୁଡ଼ା ଅଭିମୁଖେ ଯାଇଥିଲେ। ଚିଖିଲି ପୂର୍ବରୁ ମୁଖ୍ୟମନ୍ତ୍ରୀ ଝାରସୁଗୁଡ଼ା ଜିଲାର ଲଖନପୁର ବ୍ଲକ ଶୁଖାସୋଡ଼ାଠାରେ ମଧ୍ୟ ମହାନଦୀ ବଞ୍ଚାଅ କାର୍ଯ୍ୟକ୍ରମରେ ଉଦ୍ବୋଧନ ଦେଇଥିଲେ। ଚିଖିଲି ସଭାରେ ଅନ୍ୟମାନଙ୍କ ମଧ୍ୟରେ ମନ୍ତ୍ରୀ ପ୍ରଫୁଲ୍ଳ ମଲ୍ଲିକ, ନିରଞ୍ଜନ ପୂଜାରୀ, ସ୍ନେହାଙ୍ଗିନୀ ଛୁରିଆ, ସୁଶାନ୍ତ ସିଂ, ରାଜ୍ୟସଭା ସାଂସଦ ପ୍ରସନ୍ନ ଆଚାର୍ଯ୍ୟ, ଅନଙ୍ଗ ଉଦୟ ସିଂଦେଓ, ଡ଼ ଅରୁଣ ସାହୁ, ବିଧାୟିକା ରୀତା ସାହୁ, ବିଧାୟକ ଦେବେଶ ଆଚାର୍ଯ୍ୟ, ଆୟୁବ୍ ଖାଁ ପ୍ରମୁଖ ଉପସ୍ଥିତ ଥିଲେ।