ଚାଷୀ ଆତ୍ମହତ୍ୟା ରୋକିବାକୁ ଅଭିନବ ପ୍ରୟାସ: ‘ଆମେ ଅଛୁ’ ଅଭିଯାନରେ ବାହାରିଲେ ଶିକ୍ଷକ ।

0

13-05-18-chasi.jpg - 66.97 kB

ବରଗଡ଼-କୃଷକ ବଞ୍ଚିଲେ କୃଷି ବଞ୍ଚିବ । କୃଷି ବଞ୍ଚିଲେ ଆମେ ବଞ୍ଚିବା। କୃଷକଙ୍କ ଆତ୍ମବିଶ୍ୱାସକୁ ଦୁର୍ବଳ ହେବାକୁ ଦେବା ନାହିଁ । କୃଷକ ହେଉଛି ସମାଜର ମେରୁଦଣ୍ଡ । କୃଷି ହେଉଛି ରାଜ୍ୟ ଓ ଦେଶ ପ୍ରଗତିର ମୂଳପିଣ୍ଡ । କୃଷି ଓ କୃଷକଙ୍କ ବିନା ବିକାଶର ସ୍ବପ୍ନ ଅଧୁରା । ଓଡ଼ିଶା ରାଜ୍ୟରେ କୃଷି ଓ କୃଷକ ବହୁଳ ଜିଲାଭାବେ ବରଗଡ଼ ଜିଲାର ସ୍ଥାନ ସ୍ବତନ୍ତ୍ର । ଓଡ଼ିଶାର ଭାତହାଣ୍ଡି କୁହାଯାଉଥିବା ଏହି ଜିଲାରେ ପ୍ରାକୃତିକ ବିପର୍ଯୟ ବେଳେବେଳେ ଚାଷୀଙ୍କ ଆର୍ଥିକ ମେରୁଦଣ୍ଡକୁ ଦୋହଳାଇ ଦେଉଛି । ଚାଷୀକୁଳ ହତାଶ ହୋଇ ସଚେତନତାର ଅଭାବରୁ ଆତ୍ମବିଶ୍ୱାସ ହରାଇ ବସୁଛନ୍ତି ଏବଂ ଶେଷରେ ଆତ୍ମହତ୍ୟା ଭଳି ଉଦ୍ୟମ କରିବାକୁ ପଛାଉ ନାହାନ୍ତି । ମାତ୍ର ଆତ୍ମହତ୍ୟା ସମାଧାନର ବାଟ ନୁହେଁ। ଏହି ପରିପ୍ରେକ୍ଷୀରେ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟ ନେଇ ଅଞ୍ଚଳର କିଛି ଶିକ୍ଷକ ଶ୍ରେଣୀ କୋଠରୀ ମଧ୍ୟରେ ନିଜ ଶିକ୍ଷାଦାନକୁ ସୀମିତ ନ ରଖି ଗ୍ରୀଷ୍ମ ଅବକାଶ ଅବସରରେ ଏକ ଅଭିଯାନରେ ବାହାରିଛନ୍ତି । ବରିଷ୍ଠ ଶିକ୍ଷକ ଡଃ ଡୋଲାମଣି ଶତପଥୀଙ୍କ ତତ୍ତ୍ବାବଧାନରେ ବାହାରିଥିବା ଶିକ୍ଷକ ପ୍ରତିନିଧି ମଣ୍ଡଳୀ ବରଗଡ଼ ବ୍ଲକ ଅନ୍ତର୍ଗତ ଗୋବିନ୍ଦପୁର ଗ୍ରାମରୁ ତାଙ୍କର ଏହି ସଚେତନତା ଅଭିଯାନ ‘ଆମେ ଅଛୁ’ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି । ଏହି ଅବସରରେ ଗୋବିନ୍ଦପୁର ମନ୍ଦିର ପ୍ରାଙ୍ଗଣରେ ସ୍ଥାନୀୟ ସରକାରୀ ହାଇସ୍କୁଲର ପ୍ରଧାନଶିକ୍ଷକ ନବୀନ ସାବତଙ୍କ ଅଧ୍ୟକ୍ଷତାରେ ଏକ ସଚେତନତ ସଭା ହୋଇଥିଲା। ରାଜ୍ୟ ସମବାୟ ସଂଘ ନିର୍ଦ୍ଦେଶକ ପ୍ରଫୁଲ୍ଲ ନାଏକ, ରୋହିତ ଭୋଇ, ଶିରୋମଣି ପୂଜାରୀ, ଗୁରୁଦେବ ସାହୁ, ରକ୍ଷାକାରୀ ବାରିକ ପ୍ରମୁଖ ଯୋଗଦେଇ କାର୍ଯ୍ୟକ୍ରମର ଉଦ୍‌ଘାଟନ କରିଥିଲେ । ଶିକ୍ଷକ ସନାତନ ଖମାରୀ ଉଦ୍ଦେଶ୍ୟ ଜ୍ଞାପନ କରିଥିବାବେଳେ ଡଃ ଶତପଥୀ ଉପସ୍ଥିତ ଚାଷୀମାନଙ୍କ ସହିତ ଆଲୋଚନା କରି ଆତ୍ମବିଶ୍ୱାସ ନ ହରାଇବା ପାଇଁ କହିଥିଲେ । ସେ ଆହୁରି କହିଥିଲେ, ଯେତେ ଝଡ଼ଝଞ୍ଜା, ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହେଲେ ମଧ୍ୟ ନିରାଶ ହୋଇ ଆତ୍ମହତ୍ୟା କରିବା ଆଦୌ ସମୀଚୀନ ନୁହେଁ । ଭଗବାନ ଆମକୁ ଜିଇଁବାକୁ ଜୀବନ ଦେଇଛନ୍ତି, ଏଭଳି ସ୍ଥିତିରେ ନିଜ ପରିବାର, ଦୁନିଆଁକୁ ଭୁଲିଯାଇ ନିଜେ ଜାଣିଶୁଣି ଜୀବନ ହରାଇବା ଆଦୌ ଠିକ୍‌ ନୁହେଁ । ସେଭଳି ପ୍ରବୃତ୍ତିରୁ ନିଜକୁ ଦୂରରେ ରଖିବାକୁ ଚାଷୀଙ୍କୁ ଶିକ୍ଷକମାନେ କହିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ଗ୍ରାମର ବହୁସଂଖ୍ୟାକ ଚାଷୀ ଭାଗ ନେଇଥିଲେ। ଶେଷରେ ଶିକ୍ଷକ ଗୋପବନ୍ଧୁ ପୁରୋହିତ ଧନ୍ୟବାଦ ଦେଇଥିଲେ।

Leave A Reply

Your email address will not be published.