“ବିଧାୟକ ହାତ ପାଣ୍ଠି 2 ବର୍ଷ ପାଇଁ ବନ୍ଦ ରଖାଯାଉ “

0 2

 କରୋନା ପାଇଁ ସ୍ୱତନ୍ତ୍ର ପାଣ୍ଠି  ଗଠନ ପ୍ରସ୍ତାବ ଦେଲେ ବିରୋଧୀ ଦଳ ନେତା

ବିଧାୟକ ଓ ମନ୍ତ୍ରୀ ମାନଙ୍କର ଦରମା ଅନ୍ୟୁନ ଏକ ବର୍ଷ ପାଇଁ 30 ପ୍ରତିଶତ କମ୍ କରାଯାଉ 

ଭୁବନେଶ୍ୱର(ଶାସକ ପ୍ରଶାସକ)  : ” ବର୍ତ୍ତମାନ ପରିସ୍ଥିତିରେ ରାଜ୍ୟରେ  ବିଧାୟକ ହାତ ପାଣ୍ଠି 2 ବର୍ଷ ପାଇଁ ବନ୍ଦ ରଖାଯାଉ ବୋଲି ରାଜ୍ୟ ସରକାରଙ୍କୁ ପରାମର୍ଶ ଦେଇଛନ୍ତି ବିରୋଧୀ ଦଳ ନେତା ପ୍ରଦୀପ୍ତ କୁମାର ନାୟକ |

ଶ୍ରୀ ନାୟକ କହିଛନ୍ତି ଯେ “ସାରା ଦେଶ ଓ ରାଜ୍ୟ ଏକ ମନ ଏବଂ ଏକ ପ୍ରାଣରେ କରୋନା ଭୂତାଣୁ ସହ ଲଢ଼ୁଛି । ଦେଶ ଓ ରାଜ୍ୟର ଏହି ଘଡ଼ିସନ୍ଧି ମୁହୂର୍ତ୍ତରେ ଆମେ ଲୋକ ପ୍ରତିନିଧି ମାନଙ୍କର ଲୋକମାନଙ୍କ ପାଇଁ ବଡ଼ ଭୂମିକା ରହିଛି । ଓଡ଼ିଶାର ସବୁ ବିଧାୟକ ମାନଙ୍କର ବିଧାୟକ ହାତ ପାଣ୍ଠି ଏମଏଲଏ ଲାଡ୍ ଫଣ୍ଡ (MLA Lad Fund) 2 ବର୍ଷ ପାଇଁ ବନ୍ଦ କରିବାକୁ ମୁଁ ରାଜ୍ୟ ସରକାରଙ୍କୁ ଅନୁରୋଧ କରୁଛି ।  ଏହାସହ ସବୁ ବିଧାୟକ ଓ ମନ୍ତ୍ରୀ ମାନଙ୍କର ଦରମା ଅନ୍ୟୁନ ଏକ ବର୍ଷ ପାଇଁ 30 ପ୍ରତିଶତ କମ୍ କରିବା ପାଇଁ ଇଚ୍ଛାବ୍ୟକ୍ତ କରିବା ସହ ରାଜ୍ୟ ସରକାର ଏହାକୁ ଲାଗୁ କରନ୍ତୁ ।” 

“ରାଜ୍ୟର ବିଭିନ୍ନ ସରକାରୀ ସଂସ୍ଥା ଯଥା ବିକାଶ ପରିଷଦ ଓ ରାଜ୍ୟ ସରକାରଙ୍କ ଉଦ୍ୟୋଗ ଗୁଡ଼ିକରେ ସଭାପତି ଅଧ୍ୟକ୍ଷ ଥିବା ରାଜନୈତିକ ବ୍ୟକ୍ତିବିଶେଷ ମାନେ ମଧ୍ୟ 30 ପ୍ରତିଶତ କମ୍ ଦରମା ନେବାକୁ ମୁଁ ପ୍ରସ୍ତାବ ଦେଉଛି । କେନ୍ଦ୍ର ସରକାର ସାଂସଦ ମାନଙ୍କ ପାଇଁ ଏହି ବ୍ୟବସ୍ଥା ଲାଗୁ କରିଛନ୍ତି। କେନ୍ଦ୍ରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯେଉଁ ବ୍ୟବସ୍ଥା ଲାଗୁ କରିଛନ୍ତି, ଓଡ଼ିଶାରେ ମଧ୍ୟ ଅନୁରୂପ ଭାବେ ଏହା ତୁରନ୍ତ ଲାଗୁ କରାଯାଉ । ଏମଏଲଏ ଲାଡ୍ ଫଣ୍ଡରୁ ଏବଂ ମନ୍ତ୍ରୀ ଓ ବିଧାୟକଙ୍କ ଦରମା କଟିବାରୁ ଯେଉଁ ଅର୍ଥ ଆସିବ, ଏଥିରେ ଏକ ବିଶେଷ ପାଣ୍ଠି ଗଠନ କରି ଏହାକୁ କରୋନାର ମୁକାବିଲା ପାଇଁ ତଥା ସ୍ୱାସ୍ଥ୍ୟ କ୍ଷେତ୍ରରେ ଦୀର୍ଘମିଆଦି ଯୋଜନା କରି ଖର୍ଚ୍ଚ କରିବା ପାଇଁ ମୁଁ ପ୍ରସ୍ତାବ ଦେଉଛି ।” ବୋଲି କହିଛନ୍ତି ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ | 

Leave A Reply

Your email address will not be published.