ଭୁବନେଶ୍ୱର- ଆସନ୍ତା ଅକ୍ଟୋବର ୧୨ରୁ ୧୮ ତାରିଖ ମଧ୍ୟରେ ରାଜ୍ୟର ସାଧାରଣ ଓଡିଆ ଶିକାର ହେଉଥିବା ଦୁର୍ନୀତିକୁ ପ୍ରସଙ୍ଗ କରି ମଣ୍ଡଳ ସ୍ତରରେ ଆନ୍ଦୋଳନ କରି ଓଡିଆଙ୍କ ହକର ଲଢେଇ ଲଢିବ ଭାରତୀୟ ଜନତା ପାର୍ଟି । ରାଜ୍ୟର ୧୦୦୧ ମଣ୍ଡଳରେ ଏହି ଆନ୍ଦୋଳନ କରାଯିବ । ଏହି ଆନ୍ଦୋଳନ ପାଇଁ ଲିଫ୍ଲେଟ ଓ ବ୍ୟାନରର ଉନ୍ମୋଚନ କରିବା ଅବସରରେ ବିଜେପିର ବରିଷ୍ଠ ନେତା ମାନେ ଏହି ସୂଚନା ଦେଇଛନ୍ତି । ନବୀନ ଶାସନରେ ପିସି, ଲାଂଚ ଓ ହାତଗୁଞ୍ଜା କବଳରୁ ମୁକ୍ତି ଓ ଓଡିଆଙ୍କ ହକ୍ ପାଇଁ ଏହି ଆନ୍ଦୋଳନ ବୋଲି ବିଜେପି ନେତା ମାନେ କହିଛନ୍ତି ।
ବିଜେପି ନେତା ମାନେ କହିଛନ୍ତି ଯେ ୧୮ ବର୍ଷର ନବୀନ ପଟ୍ଟନାୟକଙ୍କ ନିରଙ୍କୁଶ ଶାସନ ପରେ ବି ମୌଳିକ ସୁବିଧା ଶିକ୍ଷା, ସ୍ୱାସ୍ଥ୍ୟ, ବିଜୁଳି, ପାନୀୟ ଜଳ, କୃଷି ପାଇଁ ଜଳସେଚନର ଆବଶ୍ୟକତା ପୂରଣ ହୋଇ ପାରି ନାହିଁ ସାଧାରଣ ଓଡିଆଙ୍କର । ଶାସକ ବିଜେଡି ସରକାରୀ ଯୋଜନାକୁ ଦଳୀୟ ଆଧାରରେ ବାଂଟି ଦେଉଛି । କଟକ ମେୟରଙ୍କ ପରି ଧନୀ ବିଜେଡି ନେତା ଓ କର୍ମୀଙ୍କୁ ଗରୀବ ଓଡିଆଙ୍କ ହକର ଭାଗ ଦିଆ ଯାଉଥିବା ଏହାର ପ୍ରମାଣ ।
ପକ୍କା ଘର ଓ ପାଇଖାନା ନିର୍ମାଣର ଅର୍ଥ ପ୍ରଦାନରେ ଅଯଥା ବିଳମ୍ବ କରି ଲାଂଚ ଦେବାକୁ ଗାଁ-ଗଣ୍ଡାରେ ଗରୀବମାନଙ୍କୁ ବାଧ୍ୟ କରାଯାଉଛି ବୋଲି ସେମାନେ କହିଛନ୍ତି । ସେହିପରି ବାର୍ଧକ୍ୟ, ବିଧବା ଓ ଦିବ୍ୟାଙ୍ଗ ଭତା, ଜନ୍ମମୃତ୍ୟୁ ପ୍ରମାଣ ପତ୍ର, ଜାତି ପ୍ରମାଣପତ୍ର, ଜମି ଜମା ସମ୍ବନ୍ଧୀୟ ପ୍ରମାଣପତ୍ର ଦେବା ପାଇଁ ବାରମ୍ବାର ବ୍ଲକ- ତହସିଲକୁ ଦଉଡାଇ ଲାଂଚ ପାଇଁ ବାଧ୍ୟ କରା ଯାଉ ଥିବା ପ୍ରସଙ୍ଗ ଏହି ଆନେ୍ଦାଳନରେ ଉଠାଯିବ ବୋଲି ସେମାନେ କହିଛନ୍ତି । ଗାଁ ସ୍କୁଲରେ ଶିକ୍ଷକ ନ ଥିବାରୁ ଗରୀବ ପିଲାଙ୍କ ଭବିଷ୍ୟତ ଖରାପ ହେବା, ସରକାରୀ ଡାକ୍ତରଖାନା ଡାକ୍ତରଶୂନ୍ୟ ଥିବା କାରଣରୁ ବ୍ୟୟବହୁଳ ବେସରକାରୀ ଚିକିତ୍ସା ଗରୀବ ଓଡିଆଙ୍କ ଆର୍ଥିକ ମେରୁଦଣ୍ଡକୁ ଭାଙ୍ଗି ଦେଉଥିବା ଓ ନିରାମୟ ଯୋଜନାରେ ୫ ଶହରୁ ଉର୍ଧ ମାଗଣାରେ ମିଳିବାକୁ ଥିବା ଔଷଧ ମଧ୍ୟରୁ ହାତ ଗଣତି କେତୋଟି ଔଷଧ ମିଳିବା ଦୁର୍ନୀତିଖୋର ବିଜେଡି ନେତାଙ୍କ କଳା କାରନାମା ବୋଲି ସେମାନେ କହିବା ସହ ଏହି ପ୍ରସଙ୍ଗକୁ ଆନେ୍ଦାଳନ ସମୟରେ ଉଠାଯିବ ।
ଅଟୋରେ, ଖଟରେ, ବେତା- ଟୋକେଇରେ ପ୍ରସୁତି ବୁହା ହେବା ଓ ଖୋଲା ଆକାଶ ତଳେ ମା- ଭଉଣୀଙ୍କ ପ୍ରସବ ହେବା ମାତୃଜାତି ପ୍ରତି ଅପମାନ ହୋଇଥିବା ବେଳେ ମା ଓ ଶିଶୁ ପାଇଁ ଉଦ୍ଧିଷ୍ଟ ପୁଷ୍ଟିକର ଛତୁଆକୁ ନିମ୍ନ ମାନ ଓ ଭେଜାଲଯୁକ୍ତ କରି ଟଙ୍କା ଖାଉଥିବା ପ୍ରସଙ୍ଗ ମଧ୍ୟ ଉତଥାପନ କରାଯିବ ବୋଲି ସେମାନେ କହିଛନ୍ତି ।
ଗାଁ- ଗାଁରେ ବିଶୁଦ୍ଧ ପାନୀୟ ଜଳ ନ ମିଳିବା, ନିର୍ମାଣ ଶ୍ରମିକଙ୍କୁ ଆର୍ଥିକ ସୁବିଧା ପାଇଁ ଚୟନ ପ୍ରକ୍ରିୟା ଦଳୀୟ ଆଧାରରେ କରି ଯୋଗ୍ୟ ହିତାଧିକାରୀଙ୍କୁ ବାଦ୍ ଦିଆ ଯିବାକୁ ମଧ୍ୟ ପ୍ରସଙ୍ଗ କରାଯିବ । ଏବେ ବି ଗାଁ-ଗଣ୍ଡାରେ ବିଜୁଳି ସଂଯୋଗ ନ ପହଂଚିବା ତଥା ଟ୍ରାନସଫର୍ମର ପୋଡିଲେ ମାସ ମାସ ଅନ୍ଧାର ଓ ସାଧାରଣ ଫ୍ୟୁଜ ଉଡିଗଲେ ଘଂଟା ଘଂଟା ଧରି ସଜାଡିବା ପାଇଁ କର୍ମଚାରୀ ନ ପହଂଚିବା ଓ ପହଂଚିଲେ ଅର୍ଥ ଦାବି କରିବା ଆଦିକୁ ମଧ୍ୟ ଏହି ଆନେ୍ଦାଳନରେ ଉଠା ଯିବ ବୋଲି ସେମାନେ କହିଛନ୍ତି ।
ଓଡିଶାର ସ୍ୱାର୍ଥକୁ ଦୀର୍ଘ ଦିନର ଶାସନରେ ଧୋକା ଦେଇଥିବା କଂଗ୍ରେସ ଦଳକୁ ଆଶାବାଡି କରି ନିଜ ନିହିତ ସ୍ୱାର୍ଥ ସାଧନ ପାଇଁ ବିଜେଡି ବ୍ୟବହାର କରୁଥିବା ସେମାନେ ଅଭିଯୋଗ କରିଛନ୍ତି । ଓଡିଆ ଲୋକଙ୍କର ଏହି ହକ୍ର ଲଢେଇରେ ସାମିଲ ହେବାକୁ ସାଧାରଣ ଲୋକମାନଙ୍କୁ ବିଜେପି ପକ୍ଷରୁ ଆହ୍ୱାନ କରା ଯାଇଛି ଉକ୍ତ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ଉପ ସଭାପତି ସମୀର ମହାନ୍ତି.ରାଜ୍ୟ ମୁଖ୍ୟ ପ୍ରବକ୍ତା ସଜ୍ଜନ ଶର୍ମା, ସୁଦିପ୍ତ ରାୟ,ଗୋଲକ ମହାପାତ୍ର, ଏବଂ ଦିଲିପ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ ।।