ହେଡଲାଇନସ୍:

ଜାମୁକୋଣ ବୈଷ୍ଣୋଦେବୀ ମନ୍ଦିର ଚୋରି ଘଟଣାକୁ ପୁରିଲା ଦୁଇ ମାସ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଚୋର ଓ ଚୋରି ସାମଗ୍ରୀ ହୋଇନି ଜବତ୍,ପୋଲିସ ତଦନ୍ତକୁ ନେଇ ବଢ଼ୁଛି ପ୍ରଶ୍ନ,

ଓଡ଼ଗାଁ, ୫।୭(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ ଅନ୍ତର୍ଗତ ଜାମୁକୋଣସ୍ଥିତ ମା' ବୈଷ୍ଣୋଦେବୀ ମନ୍ଦିରରେ ଘଟିଥିବା ବହୁଚର୍ଚ୍ଚିତ ଚୋରି ଘଟଣାକୁ ଦୁଇ ମାସ ବିତିଥିଲା ବେଳେ ପୋଲିସ ଏପର୍ଯ୍ୟନ୍ତ ଚୋରଙ୍କୁ ଗିରଫ କରିବାରେ ସଫଳ ହୋଇନଥିବା ସହିତ ଚୋରି ହୋଇଥିବା ସୁନା-ଚାନ୍ଦି ଅଳଙ୍କାର ସାମଗ୍ରୀ ଉଦ୍ଧାର କରିବାରେ ବିଫଳ ହୋଇଛି । ଏହାକୁ ନେଇ ଭକ୍ତମାନଙ୍କ ଭାବାବେଗକୁ ଗଭୀର ଆଘାତ ପ୍ରାପ୍ତ ହୋଇଛି । ଫଳରେ ପୋଲିସର କାର୍ଯ୍ୟଦକ୍ଷତା ଉପରେ ମଧ୍ୟ ପ୍ରଶ୍ନ ଉଠିଛି।
ଗତ ଏପ୍ରିଲ ୩୦ ତାରିଖ ବିଳମ୍ବିତ ରାତିରେ ଦୁର୍ବୃତ୍ତମାନେ ମନ୍ଦିରର କବାଟ ଭାଙ୍ଗି ତିନୋଟି ସୁନାର ମୁକୁଟ, ତିନୋଟି ସୁନାର ହାର ଓ ତିନୋଟି ଚାନ୍ଦିର ଚାନ୍ଦୁଆ ଚୋରି କରିଥିଲେ। ଚୋରି ସାମଗ୍ରୀର ଆନୁମାନିକ ମୂଲ୍ୟ ପ୍ରାୟ ୪୦ ଲକ୍ଷ ଟଙ୍କା ବୋଲି କୁହାଯାଉଛି। ପରଦିନ ଶରଣକୁଳ ଥାନାରେ ମାମଲା ରୁଜୁ ହେବା ପରେ ବୈଜ୍ଞାନିକ ପ୍ରଣାଳୀ ଓ ଡଗ୍ ସ୍କ୍ୱାଡ୍ ତଦନ୍ତ ପୋଲିସ ଆରମ୍ଭ କରିଥିଲା। ଏହା ସତ୍ତ୍ୱେ ଦୁଇ ମାସ ବିତିଯାଇଥିଲେ ମଧ୍ୟ କୌଣସି ଦୃଶ୍ୟମାନ ସଫଳତା ମିଳିନାହିଁ। ଏଥିପାଇଁ ସାଧାରଣ ଲୋକଙ୍କ ମଧ୍ୟରେ ପୋଲିସର କାର୍ଯ୍ୟଶୈଳୀକୁ ନେଇ ସନ୍ଦେହ ବଢ଼ିବା ସହ ଚୋରି ସାମଗ୍ରୀ ଉଦ୍ଧାରକୁ ନେଇ ଆଶଙ୍କା ପ୍ରକାଶ ପାଉଛି। ଘଟଣା ରାତିରେ କାଳବୈଶାଖୀ ଯୋଗୁଁ ବିଦ୍ୟୁତ ବିଚ୍ଛିନ୍ନ ହେବା, ସିସିଟିଭି ବନ୍ଦ ରହିବା, ଜେନେରେଟର ଚାଲୁ ନ କରିବା ଏବଂ ସୁରକ୍ଷା ବ୍ୟବସ୍ଥାର ଅଭାବକୁ ଏହି ଚୋରିର ପ୍ରମୁଖ କାରଣ ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରୁଛନ୍ତି। ମନ୍ଦିରରେ ସ୍ଥାୟୀ ସୁରକ୍ଷା ବ୍ୟବସ୍ଥା, ସଚଳ ସିସିଟିଭି, ପର୍ଯ୍ୟାପ୍ତ ଆଲୋକ ବ୍ୟବସ୍ଥା ଓ ପ୍ରଶିକ୍ଷିତ ସୁରକ୍ଷାକର୍ମୀ ନିଯୁକ୍ତ କରିବାକୁ ଦାବି ହେଉଛି।
ରାଜ୍ୟର ଅନ୍ୟତମ ପ୍ରମୁଖ ଧାର୍ମିକ ଓ ପର୍ଯ୍ୟଟନ ସ୍ଥଳୀ ଭାବେ ପରିଚିତ ଜାମୁକୋଣ ବୈଷ୍ଣୋଦେବୀ ମନ୍ଦିରରେ ଘଟିଥିବା ଏହି ଚୋରି ଅଗଣିତ ଭକ୍ତଙ୍କ ମନକୁ ଆଘାତ ଦେଇଛି। ତେଣୁ ଘଟଣାର ଶୀଘ୍ର ପର୍ଦ୍ଦାଫାଶ କରି ଚୋରଙ୍କୁ ଗିରଫ ଏବଂ ଚୋରି ସାମଗ୍ରୀ ଉଦ୍ଧାର କରିବା ସହ ମନ୍ଦିରର ସୁରକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ପ୍ରଶାସନଙ୍କ ନିକଟରେ ଭକ୍ତ ଓ ସ୍ଥାନୀୟ ଅଞ୍ଚଳବାସୀ ଦୃଢ଼ ଦାବି ଜଣାଇଛନ୍ତି।

0
0
0
s2sdefault