ଭଞ୍ଜନଗର ରୁ ( ଉଦୟନାଥ ପଣ୍ଡା ) ଶାସକ ପ୍ରଶାସକ: ନିର୍ବାଚନ ପ୍ରକ୍ରିୟାକୁ ଅଧିକ ସ୍ୱଚ୍ଛ, ନିର୍ଭୁଲ ଓ ବିଶ୍ୱସନୀୟ କରିବା ସହ ସ୍ୱତନ୍ତ୍ର ସଘନ ସଂଶୋଧନ (ଏସ୍.ଆଇ.ଆର୍.) କାର୍ଯ୍ୟକ୍ରମର ସଫଳ ରୂପାୟନ ନିମନ୍ତେ ଆଜି ରବିବାର ଦିନ ଭଞ୍ଜନଗର ସ୍ଥିତ ଉପଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧିମାନଙ୍କୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଯାଇଛି।
ଏଥିରେ ଭଞ୍ଜନଗର ଉପଖଣ୍ଡ ଅନ୍ତର୍ଗତ ୩ ଟି ନିର୍ବାଚନ ମଣ୍ଡଳୀ ଯଥା— ଭଞ୍ଜନଗର, ଆସ୍କା ଏବଂ ସୋରଡ଼ା ବିଧାନସଭା ନିର୍ବାଚନ ମଣ୍ଡଳୀ ଦାୟିତ୍ୱରେ ଥିବା ଇ.ଆର୍.ଓ (ERO) ମାନଙ୍କ ଦ୍ଵାରା ଏହି "ଚ଼ିଠା" ଭୋଟର ତାଲିକା' ଆନୁଷ୍ଠାନିକ ଭାବେ ପ୍ରକାଶିତ ହୋଇଛି। ୩ ଟି ବିଧାନସଭା ମଣ୍ଡଳୀରୁ ୩୬,୩୪୨ ଜଣଙ୍କ ନାମ ଚିଠା ଭୋଟର୍ ତାଲିକାରୁ ବାଦ୍ ଦିଆଯାଇଛି।
ଏହି ସଂଶୋଧନ ପ୍ରକ୍ରିୟାରେ ମୃତ୍ୟୁ, ସ୍ଥାୟୀ ସ୍ଥାନାନ୍ତରଣ, ଅନ୍ୟତ୍ର ନାମ ପଞ୍ଜୀକରଣ, ଅନୁପସ୍ଥିତି ଏବଂ ଅନ୍ୟାନ୍ୟ ଯାନ୍ତ୍ରିକ କାରଣରୁ ଉପଖଣ୍ଡରୁ ସମୁଦାୟ ୩୬,୩୪୨ ଜଣଙ୍କ ନାମ ଚିଠା ଭୋଟର ତାଲିକାରୁ ବାଦ ଦିଆଯାଇଛି। ଏହାର ସବିଶେଷ ବିବରଣୀ ନିମ୍ନ ପ୍ରକାରର:
ବିଧାନସଭା ନିର୍ବାଚନ ମଣ୍ଡଳୀବାଦ୍ ପଡ଼ିଥିବା ଭୋଟରଙ୍କ ସଂଖ୍ୟା
ଭଞ୍ଜନଗର୧୩,୭୩୮
ଆସ୍କା୧୨,୨୯୩
ସୋରଡ଼ା୧୦,୩୧୧
ସମୁଦାୟ୩୬,୩୪୨
ସଭା ପ୍ରାରମ୍ଭରେ ଇ.ଆର୍.ଓ ତଥା ଭଞ୍ଜନଗର ଉପଜିଲ୍ଲାପାଳ ଶ୍ରୀ ଉମାଶଙ୍କର ବେହେରା ଉପସ୍ଥିତ ରାଜନୈତିକ ଦଳର ପ୍ରତିନିଧିମାନଙ୍କୁ ସମ୍ବୋଧନ କରି କହିଥିଲେ ଯେ, ପରିଗଣନା ଫର୍ମ ସଂଗ୍ରହ କାର୍ଯ୍ୟ ସଫଳତାର ସହ ସମ୍ପନ୍ନ ହେବା ପରେ ସେଗୁଡ଼ିକର ଡିଜିଟାଇଜେସନ୍ କାର୍ଯ୍ୟ ଶେଷ ହୋଇ ଚିଠା ଭୋଟର ତାଲିକା ପ୍ରକାଶ ପାଇଛି। ସମସ୍ତ ମତଦାତା ନିଜ ନାମ ଓ ବିବରଣୀ ଯାଞ୍ଚ କରିବା ସହ ଜୁଲାଇ ୫ ରୁ ଅଗଷ୍ଟ ୪, ୨୦୨୬ ମଧ୍ୟରେ ଆବଶ୍ୟକ ସ୍ଥଳେ ଦାବି ଓ ଆପତ୍ତି ଦାଖଲ କରିପାରିବେ।
୧ ଜୁଲାଇ ୨୦୨୬ ସୁଦ୍ଧା ୧୮ ବର୍ଷ ବୟସ ପୂରଣ କରିଥିବା ସମସ୍ତ ଯୋଗ୍ୟ ନାଗରିକମାନେ ଫର୍ମ–୬ ପୂରଣ କରି ନିଜ ଅଞ୍ଚଳର ବି.ଏଲ୍.ଓ. (BLO) ଙ୍କ ନିକଟରେ ଦାଖଲ କରି ନାମ ପଞ୍ଜୀକରଣ କରିପାରିବେ।
ନିର୍ବାଚନ ସଂଶୋଧନ ପ୍ରକ୍ରିୟାର ଗୁରୁତ୍ୱପୂର୍ଣ୍ଣ ତାରିଖ (Timeline):
ମେ ୩୦ - ଜୁନ୍ ୨୮, ୨୦୨୬: ପରିଗଣନା ଫର୍ମ ପୂରଣ କାର୍ଯ୍ୟ (ସଫଳତାର ସହ ସମାପ୍ତ)
ଜୁଲାଇ ୫ - ଅଗଷ୍ଟ ୪, ୨୦୨୬: ଦାବି ଓ ଆପତ୍ତି ଗ୍ରହଣ ଅବଧି
ସେପ୍ଟେମ୍ବର ୨, ୨୦୨୬: ସମସ୍ତ ଦାବି ଓ ଆପତ୍ତିର ଶୁଣାଣିର ଶେଷ ତାରିଖ
ସେପ୍ଟେମ୍ବର ୬, 2026: ଚୂଡ଼ାନ୍ତ ଭୋଟର ତାଲିକା (Final Voter List) ପ୍ରକାଶନ
ଅଧିକାରୀଙ୍କ ପ୍ରତିଶ୍ରୁତି ଓ ସହଯୋଗ ଆହ୍ୱାନ
ଉପଜିଲ୍ଲାପାଳ କହିଛନ୍ତି ଯେ, କୌଣସି ଯୋଗ୍ୟ ମତଦାତା ଯେପରି ଭୋଟର ତାଲିକାରୁ ବାଦ ନ ପଡ଼ନ୍ତି ଏବଂ ଅଯୋଗ୍ୟ ବ୍ୟକ୍ତିଙ୍କ ନାମ ସାମିଲ ନ ହୁଏ, ସେଥିପ୍ରତି ପ୍ରଶାସନ ପକ୍ଷରୁ ସର୍ବୋଚ୍ଚ ଗୁରୁତ୍ୱ ଦିଆଯାଉଛି।
ଏହି ବୈଠକରେ ଆସ୍କା ଇ.ଆର୍.ଓ ତଥା ଅତିରିକ୍ତ ଉପଜିଲ୍ଲାପାଳ ଶ୍ରୀମତୀ ପ୍ରଧାନ ଟୁଲିଆମା ଏବଂ ସୋରଡ଼ା ଇ.ଆର୍.ଓ ଶ୍ରୀ ବସନ୍ତ କୁମାର ବେହେରା ଉପସ୍ଥିତ ଥିଲେ। ରାଜନୈତିକ ପ୍ରତିନିଧିଙ୍କ ଦ୍ୱାରା ଉତ୍ଥାପିତ ବିଭିନ୍ନ ପ୍ରଶ୍ନର ଉତ୍ତର ଦେବା ସହ ସେମାନଙ୍କ ସନ୍ଦେହ ଦୂର କରାଯାଇଥିଲା। ଆଗତ ଅଭିଯୋଗ ଗୁଡ଼ିକର ତତ୍କାଳ ସମାଧାନ
ପାଇଁ ବ୍ୟକ୍ତିଗତ ପ୍ରୟାସ ଜାରି ରହିବ ବୋଲି ଆଶ୍ୱାସନା ଦେବା ସହ ଉପଜିଲ୍ଲାପାଳ ଶ୍ରୀ ବେହେରା ସମସ୍ତ ରାଜନୈତିକ ଦଳ ଓ ଜନସାଧାରଣଙ୍କ ସକ୍ରିୟ ସହଯୋଗ କାମନା କରିଛନ୍ତି।







