ପୁରୀ, ୫/୭ (ଅନିମେଶ ପଟ୍ଟନାୟକ): ଶ୍ରୀଜଗନ୍ନାଥଙ୍କ ସେବା ପରମ୍ପରାରେ ଆଉ ଏକ ନିଆରା ଅଧ୍ୟାୟ ଯୋଡ଼ିଛନ୍ତି ମାତ୍ର ୬ ମାସ ୨୧ ଦିନ ବୟସର ଶିଶୁ ଶ୍ରୀଅଂଶ ଦାସ ମହାପାତ୍ର। ସେ ବର୍ତ୍ତମାନ ଶ୍ରୀମନ୍ଦିରର ସର୍ବକନିଷ୍ଠ ଦଇତାପତି ସେବକ ଭାବେ ମହାପ୍ରଭୁଙ୍କ ଅଣସର ସେବାରେ ଯୋଗଦେଇଛନ୍ତି।
ସ୍ନାନଯାତ୍ରା ପରେ ଶ୍ରୀଜିଉମାନେ ଅଣସର ଘରେ ବିରାଜମାନ ଥିବାବେଳେ ଦଇତାପତି ସେବକମାନଙ୍କ ଦ୍ୱାରା ପ୍ରଚଳିତ ଗୁପ୍ତ ସେବା ଜାରି ରହିଛି। ଏହି ଅବସରରେ ଦଇତାକୂଳର ପାରମ୍ପରିକ ନିୟମ ଅନୁଯାୟୀ କୁନି ଦଇତାପତି ଶ୍ରୀଅଂଶ ମଧ୍ୟ ମହାପ୍ରଭୁଙ୍କ ସେବାରେ ସାମିଲ ହୋଇଛନ୍ତି।
ଶ୍ରୀଅଂଶ ହେଉଛନ୍ତି ମାଟିମଣ୍ଡପ ସାହିର ଶିବାନୀ ପ୍ରସାଦ ଦାସ ମହାପାତ୍ରଙ୍କ ପୁଅ ଏବଂ ଦଇତାପତି ଭବାନୀ ପ୍ରସାଦ ଦାସ ମହାପାତ୍ରଙ୍କ ପୁତୁରା। ଦଇତାପତିଙ୍କ ପାରମ୍ପରିକ ବେଶ ଓ ମକୁଟା ପରିଧାନ କରି ସେ ଅଣସର ତାଟି ଦେଇ ଅଣସର ପିଣ୍ଡିରେ ବିଜେ ଶ୍ରୀଜିଉଙ୍କ ନିକଟକୁ ଯାଇଥିଲେ। ସେଠାରେ ନିଜ ହାତରେ ପାଉଣା ଭେଟି ଅର୍ପଣ କରିବା ସହ ଚକଟା ଭୋଗ ସେବନ କରି ସର୍ବକନିଷ୍ଠ ଦଇତାପତି ସେବକ ଭାବେ ମାନ୍ୟତା ଲାଭ କରିଥିଲେ।
ଦଇତାକୂଳର ପରମ୍ପରା ଅନୁଯାୟୀ, ଜନ୍ମର ୨୧ ଦିନ ପରେ ଶିଶୁଙ୍କୁ ଦଇତା ଭାବେ ଗଣନା କରାଯାଏ। ଅଣସର ପଞ୍ଚମୀ, ଅର୍ଥାତ୍ ଫୁଲୁରି ତେଲ ଲାଗି ପରଦିନଠାରୁ କୁନି ଦଇତାପତିମାନେ ମହାପ୍ରଭୁଙ୍କ ଗୁପ୍ତ ସେବାରେ ଯୋଗ ଦେଇଥାନ୍ତି। ଯଦିଓ ଏତେ କମ୍ ବୟସରେ ଶ୍ରୀଅଂଶ ନୀତିକାନ୍ତି ସମ୍ପର୍କରେ ଅବଗତ ନୁହନ୍ତି, ତଥାପି ପାରିବାରିକ ପରମ୍ପରା ଅନୁଯାୟୀ ଭବିଷ୍ୟତରେ ସମର୍ପିତ ଭାବରେ ମହାପ୍ରଭୁଙ୍କ ସେବା କରିବେ ବୋଲି ତାଙ୍କ ବଡ଼ବାପା ଭବାନୀ ପ୍ରସାଦ ଦାସ ମହାପାତ୍ର କହିଛନ୍ତି।







