ହେଡଲାଇନସ୍:

ପାଟଣାଗଡ଼ NACରେ ସରକାରୀ ଅର୍ଥର ବାଟମାରଣା ଅଭିଯୋଗ!

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

କଂକ୍ରିଟ୍ ରାସ୍ତା ଉପାଡ଼ି ମାଟି ଉପରେ ବାଲି ବିଛାଇ ପେଭର ବ୍ଲକ୍; ନିମ୍ନମାନର କାମକୁ ନେଇ ଉଠିଲା ବଡ଼ ପ୍ରଶ୍ନ

ପାଟଣାଗଡ଼, ତା. ୦୫.୦୭.୨୬:- ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ NAC କାର୍ଯ୍ୟାଳୟ ସମ୍ମୁଖରେ ଚାଲିଥିବା ରାସ୍ତା ନିର୍ମାଣ କାମକୁ ନେଇ ଏବେ ଗୁରୁତର ପ୍ରଶ୍ନ ଉଠିଛି। ସରକାରୀ ଅର୍ଥରେ ହେଉଥିବା ଏହି କାମରେ ନିର୍ମାଣ ମାନଦଣ୍ଡକୁ ଅବହେଳା କରାଯାଇଥିବା ଅଭିଯୋଗ ସାମ୍ନାକୁ ଆସିଛି। ଅଭିଯୋଗ ଅନୁସାରେ, ପୂର୍ବରୁ ଥିବା କଂକ୍ରିଟ୍ ରାସ୍ତାକୁ ସମ୍ପୂର୍ଣ୍ଣ ଉପାଡ଼ି ଦିଆଯାଇଛି। ଏହା ପରେ ନିୟମ ଅନୁଯାୟୀ ମଜବୁତ ଭିତ୍ତିଭୂମି ପ୍ରସ୍ତୁତ ନକରି କେବଳ ମାଟି ଉପରେ ବାଲି ବିଛାଇ ପେଭର ବ୍ଲକ୍ ବସାଇବା କାମ ଚାଲିଛି। ଫଳରେ ରାସ୍ତାର ସ୍ଥାୟୀତ୍ୱ ଉପରେ ପ୍ରଶ୍ନ ଉଠିଛି। ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ, ଏହି ରାସ୍ତା ଦେଇ ପ୍ରତିଦିନ NAC କାର୍ଯ୍ୟାଳୟକୁ PDS ଚାଉଳ ବୋଝେଇ ଭାରୀ ଟ୍ରକ୍ ସମେତ ବିଭିନ୍ନ ଭାରୀଯାନ ଯାତାୟାତ କରିଥାଏ। ଏପରି ପରିସ୍ଥିତିରେ ଦୁର୍ବଳ ଭିତ୍ତି ଉପରେ ପେଭର ବ୍ଲକ୍ ବସାଗଲେ ରାସ୍ତା ଖୁବ କମ୍ ସମୟ ମଧ୍ୟରେ ଦବିଯିବା ସହ ନଷ୍ଟ ହୋଇପାରେ। ଏହା ଦ୍ୱାରା ସରକାରୀ ଅର୍ଥର ଅପଚୟ ହେବ ବୋଲି ଆଶଙ୍କା କରାଯାଉଛି।
ପ୍ରକାଶ ଥାଉକି, କଂକ୍ରିଟ୍ ରାସ୍ତା ଉପାଡ଼ିବା ସମୟରେ NACର କାର୍ଯ୍ୟନିର୍ବାହୀ ଅଧିକାରୀ ଉପସ୍ଥିତ ଥିବା ଏବଂ ତାଙ୍କ ବାସଭବନ ମାତ୍ର ୨୫ ମିଟର ଦୂରରେ ଥିବା ସତ୍ତ୍ୱେ ଏଭଳି କାମ ହେଉଥିବା ନେଇ ସାଧାରଣରେ ଚର୍ଚ୍ଚା ଜୋର ଧରିଛି। ଏହି ଘଟଣାକୁ ନେଇ କୋଶଳ ମୁକ୍ତି ମୋର୍ଚ୍ଚା (KMM) ସଭାପତି ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଛନ୍ତି। ସେପଟେ NACର ଜୁନିଅର ଇଞ୍ଜିନିୟର (JE)ଙ୍କୁ ପଚାରିବାରୁ, ଏଭଳି ପଦ୍ଧତିରେ କାମ ହେବା ଉଚିତ ନୁହେଁ ଏବଂ ଏହା ଭୁଲ୍ ବୋଲି ସେ କହିଥିବା ଅଭିଯୋଗ ହୋଇଛି। ଯଦି ବିଭାଗୀୟ ଯନ୍ତ୍ରୀ ନିଜେ କାମର ତ୍ରୁଟି ସ୍ୱୀକାର କରୁଛନ୍ତି, ତେବେ ପ୍ରଶ୍ନ ଉଠୁଛି—ଏହି କାମ କାହାର ନିର୍ଦ୍ଦେଶରେ ଚାଲିଛି? ସାମାଜିକ କର୍ମୀ ଡିଙ୍ଗର କୁମ୍ଭାର ଫେସବୁକ୍ ଲାଇଭ୍ ମାଧ୍ୟମରେ NAC ଚେୟାରମ୍ୟାନଙ୍କୁ ଏହି କାମର ତୁରନ୍ତ ତଦନ୍ତ କରି ନିମ୍ନମାନର ନିର୍ମାଣକୁ ବନ୍ଦ କରିବା ପାଇଁ ଅନୁରୋଧ କରିଛନ୍ତି।
ଏବେ ସମସ୍ତଙ୍କ ନଜର ପାଟଣାଗଡ଼ NAC ପ୍ରଶାସନ ଉପରେ। ଅଭିଯୋଗର ସତ୍ୟତା ଯାଞ୍ଚ କରି ଆବଶ୍ୟକ ପଦକ୍ଷେପ ନିଆଯିବ କି, ନା କି ପୂର୍ବବତ୍ କାମ ଜାରି ରହିବ—ତାହା ଦେଖିବାକୁ ବାକି ରହିଲା।

0
0
0
s2sdefault